ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ନିରୋଧୀ ମାସ ପାଳନ ଓ  ଟାସ୍କ ଫୋର୍ସ ବୈଠକ ଅନୁଷ୍ଠିତ

ଜଗତସିଂହପୁର,୨୫/୦୬/୨୦୨୬ (ଓଡ଼ିଶା ସମାଚାର)- ଜଗତସିଂହପୁର ଜିଲ୍ଲାରେ ମ୍ୟାଲେରିଆ ନିୟନ୍ତ୍ରଣ ଏବଂ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗର ପ୍ରତିରୋଧ ଓ ନିୟନ୍ତ୍ରଣକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଜିଲ୍ଲା ସ୍ତରୀୟ ମ୍ୟାଲେରିଆ ନିରୋଧୀ ମାସ ପାଳନ ଏବଂ ଭେକ୍ଟର ବାହିତ ରୋଗର ଜିଲ୍ଲା ଟାସ୍କ ଫୋର୍ସ ବୈଠକ ଜିଲ୍ଲାପାଳ ଶ୍ରୀ ଜେ. ସୋନାଲଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି।

ବୈଠକରେ ଜିଲ୍ଲାରେ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗର ବର୍ତ୍ତମାନ ସ୍ଥିତି, ନିୟନ୍ତ୍ରଣ କାର୍ଯ୍ୟକ୍ରମର ଅଗ୍ରଗତି ଏବଂ ଆଗାମୀ ଦିନରେ ଗ୍ରହଣ କରାଯିବାକୁ ଥିବା କାର୍ଯ୍ୟଯୋଜନା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା।

ଜିଲ୍ଲାପାଳ ଶ୍ରୀ ଜେ. ସୋନାଲ ସମସ୍ତ ବିଭାଗ ମଧ୍ୟରେ ସମନ୍ୱୟ ରକ୍ଷା କରି ଗ୍ରାମ ଓ ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଅଧିକ ଜୋରଦାର କରିବା, ମଶାର ପ୍ରଜନନ ସ୍ଥଳ ନଷ୍ଟ କରିବା, ପରିବେଶ ପରିଷ୍କାର ରଖିବା ଏବଂ  ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ ସମସ୍ତ ଲାଇନ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରେ ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶ୍ରୀମତୀ ସ୍ନିଗ୍ଧାମୟୀ ମହାନ୍ତି ଜିଲ୍ଲାର ଭେକ୍ଟର ବାହିତ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ସମ୍ପର୍କରେ ମତ ରଖିଥିଲେ। ଡା. ସନ୍ତୋଷ କୁମାର ବେହେରା, ଏଡିପିଏଚଓ (ଭିବିଡି), ଜିଲ୍ଲାରେ ଚାଲିଥିବା ମ୍ୟାଲେରିଆ ବିରୋଧୀ ମାସର ବିଭିନ୍ନ କାର୍ଯ୍ୟକ୍ରମ, ରୋଗ ନିରୀକ୍ଷଣ, ସଚେତନତା ଅଭିଯାନ ଓ ପ୍ରତିରୋଧାତ୍ମକ ପଦକ୍ଷେପ ସମ୍ପର୍କରେ ଉପସ୍ଥାପନା ଦେଇଥିଲେ।

ଡା. ପ୍ରମୋଦ ବାରିକ, ଏଡିପିଏଚଓ (ଏଫ୍‌ଡବ୍ଲ୍ୟୁ), ଡା. ସରୋଜ ଜେନା, ଏଡିଏମଓ (ମେଡିକାଲ), ସୋନାଲି ପ୍ରିୟଦର୍ଶିନୀ ଡିପିଏମ ଏବଂ ଶ୍ରୀମତୀ ତୃପ୍ତି ରାଣୀ ନାୟକ, ଜିଲ୍ଲା ଭିବିଡି ପରାମର୍ଶଦାତା, କାର୍ଯ୍ୟକ୍ରମର ସଫଳ ରୂପାୟନ ନିମନ୍ତେ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ।

ଏହି ବୈଠକରେ ଜିଲ୍ଲାର ସମସ୍ତ  ବିଭାଗ ଯଥା ପଞ୍ଚାୟତିରାଜ, ପୌରପାଳିକା, ଶିକ୍ଷା, ମହିଳା ଓ ଶିଶୁ ବିକାଶ, ଜଳ ଓ ପରିମଳ, ସୂଚନା ଓ ଲୋକସମ୍ପର୍କ ଏବଂ ଅନ୍ୟାନ୍ୟ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ।

ବୈଠକ ଶେଷରେ ଭେକ୍ଟର ବାହିତ ରୋଗ ମୁକ୍ତ ଜଗତସିଂହପୁର ଗଠନ ପାଇଁ ସମସ୍ତ ବିଭାଗ ଓ ସାଧାରଣ ଜନତାଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *