ସାଲେପୁର ରେ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ଗଣ ଧାରଣା

ସାଲେପୁର,୦୨/୦୬/୨୦୨୬ ( ଓଡିଶା ସମାଚାର / ଅଭୟ ଜେନା )- ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଗଣ ଧାରଣା ଅନୁଷ୍ଠିତ ହୋଇଛି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପ୍ରତିବାଦରେ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ଓ ବିଭିନ୍ନ ପଂଚାୟତ ନାଗରିକ କମିଟି ପକ୍ଷରୁ ଗଣଧାରଣାରେ ଶତାଧିକ ଜନସାଧାରଣ ସାମିଲ ହୋଇଥିଲେ । ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨ ଟି ଡାକ୍ତର ପଦବୀ ରହିଥିବା ବେଳେ ଏବେ ୧୭ ଜଣ ଡାକ୍ତର ନାହାଁନ୍ତି । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ସାଲେପୁର ବ୍ଲକ ସହିତ ନିଶ୍ଚନ୍ତକୋଇଲି, କିଶନନଗର ବ୍ଲକ ଅଂଚଳର କିଛି ଲୋକ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । କିନ୍ତୁ ବଡ଼ ପରିତାପର ବିଷୟ ଏଠି ହାତଗଣତି ଡାକ୍ତରରେ ଚାଲିଛି ସ୍ୱାସ୍ଥ୍ୟସେବା । ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଠିକ ଭାବରେ ମେଡ଼ିସିନ ମିଳୁନି, ଉପଲବ୍ଧ ସ୍ୱାସ୍ଥ୍ୟସେବାର ସୂଚନା ମିଳୁନି। ସାଧାରଣ ରୋଗୀଟିଏ ପହଞ୍ଚିଲେ ସେବା ବଦଳେ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଉଛି।

ପ୍ରସୂତି ସେବା ପାଇଁ କୌଣସି ଆନୁସାଙ୍ଗିକ ବ୍ୟବସ୍ଥା ନାହିଁ । ଏଭଳି ଦଶଦଫା ଦାବି ନେଇ ଗଣଧାରଣା ହୋଇଛି । ଏହି ସମସ୍ୟା ସମାଧାନ ପାଇଁ ସ୍ୱାସ୍ଥ୍ୟ ବିଭାଗ ର ଉଚ୍ଚ କର୍ତୃପକ୍ଷ ଓ ରାଜ୍ୟ ସରକାରଙ୍କୁ ପୂର୍ବରୁ ବାରମ୍ବାର ଲିଖିତ ଅଭିଯୋଗ କରାଗଲା ମଧ୍ୟ ଏହି ଘଟଣାକୁ କର୍ଣ୍ଣପାତ କରୁନାହାନ୍ତି । ପୁନର୍ବାର ସାଲେପୁର ଜନସାଧାରଣ ମାନଙ୍କ ପକ୍ଷରୁ ବିଭିନ୍ନ ଅନୁଷ୍ଠାନ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାର ଦୁରବସ୍ଥା ପ୍ରତି ଜରୁରୀ ପଦକ୍ଷେପ ପାଇଁ ଗତ ତା ୨୦/୫/୨୦୨୬ ରିଖରେ ତହସିଲଦାରଙ୍କ ଜରିଆରେ ସ୍ୱାସ୍ଥ୍ୟ ବିଭାଗ ଓ ରାଜ୍ୟ ସରକାରଙ୍କୁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରା ଯାଇଥିଲା । ଏ ସମ୍ବନ୍ଧରେ କୌଣସି ପଦକ୍ଷେପ ଗ୍ରହଣ କରା ନଯିବାରୁ ତା ୧/୬/୨୦୨୬ ରିଖ ଠାରୁ ସାଲେପୁର ସହରାଞ୍ଚଳ ବିକାଶ ପରିଷଦ ଓ ବିଭିନ୍ନ ପଂଚାୟତ ନାଗରିକ କମିଟି ପକ୍ଷରୁ ଗଣ ଧାରଣା ଆରମ୍ଭ ହୋଇଛି । ଏହି ଗଣ ଧାରଣାକୁ ସମର୍ଥନ କରି ସାଲେପୁର ବିଧାୟକ ପ୍ରଶାନ୍ତ ବେହେରା ତାଙ୍କର ଶତାଧିକ ସମର୍ଥକଙ୍କ ସହ ଗଣଧାରଣାରେ ସାମିଲ ହେବା ସହ ବିପର୍ୟ୍ୟସ୍ତ ସ୍ୱାସ୍ଥ୍ୟସେବା ପାଇଁ ରାଜ୍ୟ ସରକାର ଉପରେ ପ୍ରବଳ ବର୍ଷି ଥିଲେ ।

ତୁରନ୍ତ ରାଜ୍ୟ ସରକାର ଜନସାଧାରଣଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଧ୍ୟାନ ଦେଇ ସମସ୍ୟାର ସମଧାନ ଦାବି କରିଛନ୍ତି । ନଚେତ ଆଗାମୀ ଦିନରେ ଜୋରଦାର ପ୍ରତିବାଦ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏହି ଗଣ ଧାରଣାରେ ସହରାଞ୍ଚଳ ବିକାଶ ପରିଷଦ ଅଧ୍ୟକ୍ଷ ନନ୍ଦକିଶୋର ଭୂୟାଁ, ବାଲିସାହି ସରପଞ୍ଚ ପବିତ୍ର ସାମଲ,ନାନ୍ଦୋଳ ସରପଞ୍ଚ ଜ୍ଞାନରଞ୍ଜନ ମହାନ୍ତି,ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, ପ୍ରସନ୍ନ ମିଶ୍ର,ବିରଞ୍ଚି ନାରାୟଣ କର,ଜୟଦେବ ଷଢଙ୍ଗୀ, ଗୁଲରେଜ ଅଲ୍ଲୀ,ବିନୋଦ ସାମଲ, ବିଭୁତିଭୂଷଣ ଦାଶ, ଜୟରାମ ବେହେରା, ରାଜେଶ ମହାନ୍ତି, ହାଡିବନ୍ଧୁ ମଲ୍ଲିକ, ଶ୍ରୀପତି ଷଡ଼ଙ୍ଗୀ, ପ୍ରୀତିରଞ୍ଜନ ମହାନ୍ତି, ଗୋପାଳ କୃଷ୍ଣ ଭୂୟାଁ, ହରିହର ସାହୁ, ଗୋପବନ୍ଧୁ ଭୂୟାଁ, ଦୀପକ ରାଉତ, ମୁନା ସ୍ୱାଇଁ,ଦିଲ୍ଲୀପ ସ୍ୱାଇଁ,ଅଶ୍ୱିନୀ ଦାସ, କୈଳାସ ବେହେରା, ଗୋପବନ୍ଧୁ ଭୂୟାଁ,ଧୃବ ଚରଣ ଖୁଣ୍ଟିଆ, ଆର୍ତ୍ତତ୍ରାଣ ତ୍ରିପାଠୀ, ପରୀକ୍ଷିତ ବେହେରା ପ୍ରମୁଖ ଙ୍କ ସମେତ ଶତାଧିକ ଜନ ସାଧାରଣ ସାମିଲ ହୋଇଥିଲେ ।

Leave a Reply

Your email address will not be published. Required fields are marked *