ଜଗତସିଂହପୁର,୩୧/୦୧/୨୦୨୪ (ଓଡ଼ିଶା ସମାଚାର)- ଗତକାଲି ଜଗତସିଂହପୁର ଜିଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଶ୍ରୀ ରବି ନାରାୟଣ ଜେଠୀ ଙ୍କ ଅଧ୍ୟକ୍ଷତାରେ ଓର୍ମାସ୍ ଦ୍ୱାରା ପ୍ରୋତ୍ସାହିତ ଜିଲ୍ଲାସ୍ତରୀୟ ମାର୍କେଟିଂ କର୍ମଶାଳା ଓ କ୍ରେତା ବିକ୍ରେତା ସମ୍ମିଳନୀ ୨୦୨୪ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ପରିଷଦର ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଓରମାସ୍ ର ଉପମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅଭିମନ୍ୟୁ ପଣ୍ଡା,ବୈଠକ ପରିଚାଳନା କରୁଥିଲେ।
ବୈଠକରେ ଓରମାସ୍ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟର ଯୁଗ୍ମ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ସୁଜୟ କର ଉପସ୍ଥିତ ଥିଲେ।
ଏହି କର୍ମଶାଳାରେ ନାବାର୍ଡର ଏଜିଏମ୍, ଏବିଡିଓ, ସିଡିଏଓ, ଡିଏଫ୍ଓ, ଏଏଚ୍ଓ ଏବଂ ଓର୍ମାସ୍, ମିଶନ ଶକ୍ତି ଓ ଓଏଲ୍ଏମ୍ ର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ। ପିପିଏଲର ସିଏସଆର ମୁଖ୍ୟ, ଆଇଓସିଏଲର ସିଏସଆର ମୁଖ୍ୟ, ବୟନିକାମହାପ୍ରବନ୍ଧକ, ଉତ୍କଳିକାର ହସ୍ତଶିଳ୍ପ ପ୍ରୋତ୍ସାହନ ଅଧିକାରୀ, ଓଏଏସଏସଏମଇର ସଭାପତି ଓ ସମ୍ପାଦକ ଉପସ୍ଥିତ ଥିଲେ ।
ଏହି କର୍ମଶାଳାରେ ଜିଲ୍ଲାର ୨୨ ହଜାର ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ବଜାର ସଂଯୋଗ ବିକାଶ ଉପରେ ଧ୍ୟାନ ଦେବାକୁ ଲକ୍ଷ୍ୟ ରଖାଯାଇଥିଲା । ଏହି କର୍ମଶାଳାରେ ଜିଲ୍ଲାର ପ୍ରାୟ ୬୦ ଜଣ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା ଯେଉଁମାନେ ବିଭିନ୍ନ ସମ୍ଭାବ୍ୟ କୁଟୀର ଶିଳ୍ପ ସହିତ ଜଡିତ ଅଛନ୍ତି ସେମାନେ ସେମାନଙ୍କ ଉତ୍ପାଦ ପ୍ରଦର୍ଶନ କରି ଅଂଶଗ୍ରହଣ କରିଥିଲେ ।
ଏହି କର୍ମଶାଳାରେ ଜିଲ୍ଲା ଉତ୍ପାଦ ତାଲିକାକୁ ବିଶିଷ୍ଟ ବ୍ୟକ୍ତିମାନେ ଉନ୍ମୋଚନ କରିଥିଲେ। ଏହି ତାଲିକାରେ ଜିଲ୍ଲାର ବିଭିନ୍ନ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କ ଦ୍ୱାରା ଉତ୍ପାଦିତ ବିଭିନ୍ନ ଉତ୍ପାଦର ବିବରଣୀ ରହିଛି।
ଜିଲ୍ଲାର ବିଭିନ୍ନ ଉତ୍ପାଦକ ଗୋଷ୍ଠୀକୁ ଭିଜିଟିଂ କାର୍ଡ, ବିଲ୍ ବୁକ୍, ବ୍ୟାନର, ମୂଲ୍ୟ ଟ୍ୟାଗ୍ ଆଦି ବ୍ରାଣ୍ଡିଂ ସାମଗ୍ରୀ ବଣ୍ଟନ କରାଯାଇଥିଲା।
ଜିଲ୍ଲାସ୍ତରୀୟ ମାର୍କେଟିଙ୍ଗ କର୍ମଶାଳା ଓ କ୍ରେତା ବିକ୍ରେତା ସମ୍ମିଳନୀ -2024
