ଛାତ୍ରୀଛାତ୍ରଙ୍କ ଦକ୍ଷତା ବିକାଶ, ନିଯୁକ୍ତିର ସୁଯୋଗ, ଭଦ୍ୟୋଗୀ ଲକ୍ଷ୍ୟ
ଜଗତସିଂହପୁର, ୨୨/୦୬/୨୦୨୬ (ଓଡ଼ିଶା ସମାଚାର)- ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ ସୂକ୍ଷ୍ମ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ମିଳିତ ଆନୁକୂଲ୍ୟରେ ଜିଲା ପ୍ରଶାସନ ଜଗତସିଂହପୁର ସହଯୋଗରେ ଜିଲାର ୦୮ ଟି ବ୍ଲକରେ ସ୍ୱାବଲମ୍ବୀ ଯୁବ ସମୃଦ୍ଧ ଓଡ଼ିଶା ସମାବେଶ ଅନୁଷ୍ଠିତ ହେବ । ଏନେଇ ଜିଲା ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯାଇଛି। ଦକ୍ଷତା ବିକାଶ ବିଭାଗ ପକ୍ଷରୁ ମିଳିଥିବା ସୂଚନା ମୁତାବକ, ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହେବ I
୨୨ତାରିଖରେ ରଘୁନାଥପୁର ବ୍ଲକ କାର୍ଯ୍ୟାଳୟ ପରିସର, ୨୩ ରେ ବାଲିକୁଦା ବ୍ଲକ ଏବଂ ତିର୍ତ୍ତୋଲ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ। ସେହିପରି ୨୪ରେ ଏରସମା ବ୍ଲକ ଓ ବିରିଡ଼ି ବ୍ଲକ କାର୍ଯ୍ୟାଳୟ ପରିସର ,୨୬ରେ ଜଗତସିଂହପୁର ବ୍ଲକ, ଏସ କେ ଏକାଡେମୀ ପରିସର ଓ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପରିସର, ଏବଂ ୨୮ରେ କୁଜଙ୍ଗ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବ I
ସମ୍ପୃକ୍ତ ବ୍ଲକର ଏବିଡିଓ ମାନେ ନୋଡାଲ ଅଫିସର ଦାୟିତ୍ୱରେ ରହିଛନ୍ତି । ଏହି ଯୁବ ସମାବେଶର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଗ୍ରାମାଞ୍ଚଳରେ ଥିବା ସମସ୍ତ ଯୁବକ ଓ ଯୁବତୀ ଏବଂ ଆଇଟିଆଇ, ଡିପ୍ଲୋମା ପାସ୍ କରିଥିବା କିମ୍ବା ଅଧ୍ୟୟନ କରୁଥିବା ଛାତ୍ରୀଛାତ୍ର, ଦିବ୍ୟାଙ୍ଗ, ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ଓ ପଛୁଆବର୍ଗର ଛାତ୍ରୀଛାତ୍ରଙ୍କୁ ଦକ୍ଷତା ବିକାଶ ତଥା ନିଯୁକ୍ତିର ସୁଯୋଗ ଓ ଉଦ୍ୟୋଗୀ ବିକାଶ ନିମନ୍ତେ ପରାମର୍ଶ ଓ ସହାୟତା ଦିଆଯିବ। ଏହାଦ୍ୱାରା ଭବିଷ୍ୟତରେ ଯୁବକ ଓ ଯୁବତୀମାନେ ଦକ୍ଷ ହେବା ସହିତ ଉଦ୍ୟୋଗୀ ହେଇପାରିବେ। ଏହି ସମାବେଶ ମାଧ୍ୟମରେ ନାନୋ ୟୁନିକର୍ନ, ପିଏମ୍ଇଜିପି, ପିଏମ୍ଏଫ୍ଏମ୍ଇ ଏବଂ ଅନ୍ୟାନ୍ୟ ଉଦ୍ୟୋଗୀ ବିକାଶ ନିମନ୍ତେ ସହାୟତା ମଧ୍ୟ ପ୍ରଦାନ କରାଯିବ। ଦକ୍ଷତା ପ୍ରଶିକ୍ଷଣ ଓ ନିଯୁକ୍ତି ସୁଯୋଗ ନିମନ୍ତେ ଯୁବକ ଯୁବତୀଙ୍କୁ ବିଶ୍ଵ ଦକ୍ଷତା କେନ୍ଦ୍ର, ସିଟିଟିସି, ସିପେଟ୍, ଏସ୍ଡିଆଇ ତଥା ଅନ୍ୟାନ୍ୟ ଦକ୍ଷତା ପ୍ରଶିକ୍ଷଣ ଯୋଗାଉଥିବା ବିଭିନ୍ନ ସଂସ୍ଥା ଗୁଡ଼ିକ ବିଷୟରେ ସଚେତନତା ସୃଷ୍ଟି କରାଇବା ସହିତ ଯୁବପିଢ଼ିଙ୍କୁ ସ୍ଵୟଂ ନିର୍ଭରତା ଦିଗରେ ପ୍ରେରିତ କରାଯିବ। ଏଥିରେ ଜିଲା ନିୟୋଜନ ଅଧିକାରୀ ଓ ଜିଲା ଶିଳ୍ପ ଅଧିକାରୀଙ୍କ ସହିତ ଆଇଟିଆଇ ଓ ପଲିଟେକନିକ ର ଅଧିକାରୀମାନେ ଏଥିରେ ଅଂଶଗ୍ରହଣ କରି ଯୁବପିଢ଼ିଙ୍କୁ ପରାମର୍ଶ ପ୍ରଦାନ କରିବେ। ଏଥିରେ ଜଗତସିଂହପୁର ଜିଲାର ସମସ୍ତ ଯୁବତୀଯୁବକ ଉକ୍ତ ଯୁବ ସମାବେଶରେ ଅଂଶଗ୍ରହଣ କରିବା ପାଇଁ ଜିଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇଛି।
