ସୂଚନା ଓ ଲୋକସମ୍ପର୍କ ବିଭାଗରେ ପାଳିତ ହେଲା ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ

ଇନ୍ଦିରା ଗାନ୍ଧୀ ଥିଲେ ଜଣେ ବିଶ୍ୱବିଦିତା ଅନନ୍ୟା ନାରୀନେତ୍ରୀ

ଭୁବନେଶ୍ୱର, ୧୯/୧୧/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଆଜି ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ୧୦୭ତମ ଜୟନ୍ତୀ ଅବସରରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳନ ହୋଇଯାଇଛି । ଏଥିରେ ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷାବିତ ତଥା ସ୍ତମ୍ଭକାର ଡ଼ ଅଭିରାମ ବିଶ୍ୱାଳ ଯୋଗଦେଇ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ଜୀବନୀ ଓ ବ୍ୟକ୍ତିତ୍ୱ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି । ଇନ୍ଦିରା ଗାନ୍ଧୀଙ୍କ ବ୍ୟକ୍ତିତ୍ୱକୁ ସେ ହୀରା ସହ ତୁଳନା କରିବା ସହ ଦେଶର ବିଭିନ୍ନ ବିକାଶମୂଳକ ଓ ଗଠନମୂଳକ ପଦକ୍ଷେପ ଗ୍ରହଣ କରି ଇନ୍ଦିରା ଗାନ୍ଧୀ ଅନେକ ପରିବର୍ତ୍ତନ ଆଣିପାରିଥିବା ନେଇ ମୁଖ୍ୟବକ୍ତା ସୂଚନା ଦେଇଛନ୍ତି ।

ଭାରତବର୍ଷ ସମେତ ସମଗ୍ର ପୃଥିବୀରେ ଇନ୍ଦିରା ଗାନ୍ଧୀ ଜଣେ ଅନନ୍ୟା ନାରୀନେତ୍ରୀ ଭାବେ ସ୍ୱତନ୍ତ୍ର ପରିଚିତି ସୃଷ୍ଟି କରିପାରିଥିଲେ । ଆଜି ଭାରତ ବର୍ଷ ୧୯୭୧ ଯୁଦ୍ଧର ବିଜୟକୁ ନେଇ ଗର୍ବିତ ଅନୁଭବ କରୁଛି, ଏହାର ସମସ୍ତ ଶ୍ରେୟ ସେହି ସାହାସୀ, ଶକ୍ତିଶାଳୀ, ଦୃଢମନା ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀଙ୍କ ସକାଶେ ସମ୍ଭବ ହୋଇ ପାରିଥିବା ମତ ପ୍ରକାଶ କରିଛନ୍ତି ମୁଖ୍ୟବକ୍ତା ଡ଼ ଅଭିରାମ ବିଶ୍ୱାଳ । ସମାଜର ବିଭିନ୍ନ ବର୍ଗ ଯଥା- ମହିଳା, ଶିଶୁ, ଜନଜାତି, ଗରିବ, ସଂଖ୍ୟାଲଘୁ ସମସ୍ତଙ୍କ ସାମଗ୍ରିକ ବିକାଶ ଏବଂ ଉନ୍ନତିକୁ ସ୍ୱର୍ଗତା ଇନ୍ଦିରା ଗାନ୍ଧୀ ପ୍ରାଧାନ୍ୟ ଦେଉଥିଲେ ବୋଲି ମୁଖ୍ୟବକ୍ତା ସୂଚନା ଦେଇଛନ୍ତି ।

ସେହିପରି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ସରୋଜ କୁମାର ସାମଲ ଯୋଗଦେଇ ସ୍ୱର୍ଗତା ଇନ୍ଦିରା ଗାନ୍ଧୀଙ୍କୁ ରାଜନୈତିକ ନୁହେଁ ରାଷ୍ଟ୍ରନୀତିଜ୍ଞ ଭାବେ ସମ୍ବୋଧନ କରିଥିଲେ । ଇନ୍ଦିରା ଗାନ୍ଧୀଙ୍କ ନେତୃତ୍ୱ ଫଳରେ ଭାରତବର୍ଷରେ ସବୁଜ ବିପ୍ଲବ ସମ୍ଭବ ହୋଇଥିବାବେଳେ ଶସ୍ୟ ଉତ୍ପାଦନରେ ଭାରତବର୍ଷ ସ୍ୱାବଲମ୍ବୀ ହୋଇପାରିଥିବା ନେଇ ସେ ସୂଚନା ଦେଇଛନ୍ତି । ଇନ୍ଦିରା ଗାନ୍ଧୀ ଇତିହାସକୁ ନିଜେ ସୃଷ୍ଟି କରିଛନ୍ତି ବୋଲି କହିବା ସହ ୬୦ ଦଶକରେ ଭାରତବର୍ଷର ବିକାଶ ଓ ପ୍ରଗତିରେ ଲୌହମାନବୀଙ୍କ ଭାଗୀଦାରିକୁ ଶ୍ରୀଯୁକ୍ତ ସାମଲ ପ୍ରଶଂସା କରିଛନ୍ତି ।

ରାଜ୍ୟସ୍ତରୀୟ ଇନ୍ଦିରା ଗାନ୍ଧୀ ସ୍ମୃତି ସମିତିର ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ଅମିୟ କୁମାର ପଟ୍ଟନାୟକ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ଜୟନ୍ତୀ ପାଳନରେ ସୂଚନା ଓ ଲୋକସମ୍ପର୍କ ବିଭାଗର ପ୍ରୟାସକୁ ପ୍ରଶଂସା କରିଛନ୍ତି । ଜାତିର ସଂହତି, ଏକତା, ଅଖଣ୍ଡତା ରକ୍ଷାକୁ ନେଇ ଇନ୍ଦିରା ଗାନ୍ଧୀଙ୍କ ବଳିଷ୍ଠ ନେତୃତ୍ୱ ବିଷୟରେ ସେ ଆଲୋଚନା କରିଥିଲେ । ଆଜିର ସଭାରେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ବୈଷୟିକ ଶ୍ରୀଯୁକ୍ତ ସୁରେନ୍ଦ୍ର ନାଥ ପରିଡ଼ା ସ୍ୱାଗତ ଅଭିଭାଷଣ ରଖିଥିବାବେଳେ ଉପ ନିର୍ଦ୍ଦେଶକ ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିସହ ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଓ କର୍ମଚାରୀ ଯୋଗ ଦେଇଥିଲେ ।

-0-

ରୋଜାଲିନ ସାହୁ ,ଲୋକସମ୍ପର୍କ ଅଧିକାରୀ ଙ୍କ  ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *