ଭୁବନେଶ୍ୱର, ୦୮/୧୧/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- କଟକ ସହରର ବକ୍ସି ବଜାର ମଣି ସାହୁ ଛକ ଅଞ୍ଚଳରେ ଆଜି ଏକ ଆପାର୍ଟମେଣ୍ଟର ବାଲକୋନୀ ଛାତ ଭୁଶୁଡ଼ି ଠିକ ତଳେ ଥିବା ଏକ ଆଜବେଷ୍ଟସ ଘର ଉପରେ ପଡ଼ିଥିଲା। ଫଳରେ ନିକଟରେ ଥିବା ବସ୍ତିର ତିନି ଜଣ ଙ୍କର ମୃତ୍ୟୁ ଘଟିଥିଲା ବେଳେ ତିନି ଜଣ ଗୁରୁତର ଙ୍କୁ ଚିକିତ୍ସା ପାଇଁ ବଡ଼ ମେଡ଼ିକାଲକୁ ପଠାଯାଇଥିବା ଜଣାପଡିଛି। ଆହତଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି।
ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଅଛି। ମୃତକ ହେଲେ ଅବଦୁଲ ଜଲିଲ, ଅବଦୁଲ ଜାହିଦ ଓ ଅବଦୁଲ ମୁଜାହିଦ। ମୃତ ତିନି ଜଣ ଗୋଟିଏ ପରିବାରର । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏହି ଖବର ଜାଣି ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠି (CMRF) ରୁ ₹୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି। ଏହି ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ସୁବନ୍ଦୋବସ୍ତ ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଛି।

