ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ: ଶାଢ଼ି, ଛତା ବଣ୍ଟନ

କେନ୍ଦ୍ରାପଡ଼ା, ୧୮/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ବରଜ ଗ୍ରାମରେ କଟକ ଜିଲା ପଟଣା ଗ୍ରାମସ୍ଥିତ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ପକ୍ଷରୁ ସେବାକାର୍ଯ୍ୟ କରାଯାଇଛି। ଏହି ପରିପ୍ରେକ୍ଷୀରେ ଗ୍ରାମର ମା’ ବଜ୍ରସୁନା ଗ୍ରାମଦେବତୀ ପୀଠରେ ଆୟୋଜିତ କାର୍ଯ୍ୟକ୍ରମରେ ମହିଳାମାନଙ୍କୁ ଶାଢ଼ି ଏବଂ ପୁରୁଷମାନଙ୍କୁ ଛତା ବଣ୍ଟନ କରାଯାଇଛି।

ପ୍ରତିଷ୍ଠାନର ସଭାପତି ଶ୍ରୀମତୀ ସରୋଜନଳିନୀ ପରିଜା ଏବଂ ସମ୍ପାଦକ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ମହାନ୍ତି ନିଜ ପେନ୍‌ସନ୍‌ ଅର୍ଥରୁ କିଛି ସମାଜକଲ୍ୟାଣ କାର୍ଯ୍ୟରେ ବିନିଯୋଗ କରନ୍ତି ବୋଲି ତାଙ୍କ ବକ୍ତବ୍ୟରେ କହିଛନ୍ତି।

ଏହି ଅବସରରେ ପ୍ରତିଷ୍ଠାନ ପକ୍ଷରୁ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ମହାକାଳପଡ଼ା ବ୍ଲକ ଉପାଧ୍ୟକ୍ଷ ବିଜୟ କୁମାର ଶୁକ୍ଳାଙ୍କୁ ଉତ୍ତରୀୟ, ପ୍ରଶଂସାପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ବରଜ ରାମନାଟ୍ୟରେ ରାବଣ ଭୂମିକାରେ ଅଭିନୟ କରୁଥିବା ଜଗତସିଂହପୁର ଜିଲା ଭୂତମୁଣ୍ଡାଇର ଭଜନାନନ୍ଦ ଦାସଙ୍କୁ ମୁକୁଟ, ଉତ୍ତରୀୟ, ପ୍ରଶଂସାପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରାଯାଇଥିଲା।

ସେହିପରି ଯୁବ କଳାକାର ଶରତ କୁମାର ପରିଡ଼ା,  ଯୁବ କଣ୍ଠଶିଳ୍ପୀ ଆନନ୍ଦ ଚନ୍ଦ୍ର ବାରିକ, ଯୁବ ସମାଜସେବୀ ମାନଗୋବିନ୍ଦ ବାଗୁଲିଙ୍କୁ ଉତ୍ତରୀୟ, ପ୍ରଶଂସାପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏମିତି ପ୍ରତିଭାଙ୍କୁ ସମ୍ମାନିତ କରି ଦୟାନିଧି ପ୍ରତିଭା ବିକାଶ ବିକାଶ ପ୍ରତିଷ୍ଠାନର ସଭାପତି ଏବଂ ସମ୍ପାଦକ ଖୁସି ବ୍ୟକ୍ତ କରିଛନ୍ତି।

ଉକ୍ତ କାର୍ଯ୍ୟକ୍ରମକୁ ଯୁବ କବି ତଥା ସାମ୍ବାଦିକ ଖଗେଶ୍ୱର ଖଣ୍ଡୁଆଳ ପରିଚାଳନା କରିଥିବାବେଳେ ଏଥିରେ ସହଯୋଗ କରିଥିଲେ ସଂଗ୍ରାମ କେଶରୀ ମହାନ୍ତି। ଅନୁଷ୍ଠାନର ସଭ୍ୟାସଭ୍ୟ ତଥା ସମାଜସେବୀ ସୁକାନ୍ତ କୁମାର ସାହୁ, ସୁଦାମ ବେହେରା, ଉପେନ୍ଦ୍ର ବାରିକ, ଶ୍ରାବନ୍ତିକା ଦାସମହାପାତ୍ର, ଶୁଭେନ୍ଦୁ ବରଣ ମହାପାତ୍ରଙ୍କ ସମେତ ପ୍ରଦୀପ କୁମାର ମହାନ୍ତି, ନୀଳମଣି ସାମଲ, ପଦ୍ମିନୀ ମହାନ୍ତି, ସ୍ବାଗତ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *