ବୃକ୍ଷ ହିଁ ପ୍ରକୃତ ବନ୍ଧୁ – ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ  ପ୍ରଡକ୍ସନ ପକ୍ଷରୁ ଆଗାମୀ ପିଢିପାଇଁ ଗଛଟିଏ

ଭୁବନେଶ୍ୱର,୦୩/୦୮/୨୦୨୫ (ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)- ପ୍ରତ୍ୟେକ ବର୍ଷ ଅଗଷ୍ଟ ୩ ତାରିଖକୁ ଅନ୍ତର୍ଜାତୀୟ ବନ୍ଧୁତ୍ୱ ଦିବସ ଭାବେ ପାଳନ କରାଯାଇଥାଏ । ଏହି ବନ୍ଧୁତ୍ୱ ଦିବସକୁ ପାଳନ କରିବା ପାଇଁ କେହି କେହି ପଞ୍ଚତାରକା ହୋଟେଲ, ପାର୍କ ଓ ତୀର୍ଥସ୍ଥାନମାନଙ୍କରେ ଭିଡ଼ ଜମାଇ ଭୋଜିଭାତରେ ମାତି ରହି ପରସ୍ପରକୁ ବନ୍ଧୁତ୍ୱ ଦିବସର ଅଭିନନନ୍ଦ ଜଣାଉଥିବା ବେଳେ ତୁଷାର ଚାରିଟେବୁଲ ଟ୍ରଷ୍ଟ ଓ ମା’ ସୁନାଦେଇ ପ୍ରଡକ୍ସନ ବନ୍ଧୁତ୍ୱ ଦିବସକୁ ଏକ ନିଆରା ଢଙ୍ଗରେ ପାଳନ କରିଛନ୍ତି । ବୃକ୍ଷ ହିଁ ପ୍ରକୃତ ବନ୍ଧୁ । “ଆଗାମୀ ପିଢିପାଇଁ ଗଛଟିଏ” ର ନାରା ଦେଇ ଦୁଇ ଅନୁଷ୍ଠାନ ପକ୍ଷରୁ ଭୁବନେଶ୍ୱରସ୍ଥିତ ୟୁନିଟ୍-୯ ଫ୍ଲାଟ ବିଏସଏନଏଲ ପାର୍କରେ ଗଛ ସହ ବନ୍ଧୁତ୍ୱ ଦିବସ ପାଳନ କରି ସାଧାରଣ ଜନତାଙ୍କୁ ସଚେତନତାର ବାର୍ତା ପ୍ରଦାନ କରିଥିଲେ ।

ତୁଷାର ଚାରିଟେବୁଲ ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କହିଛନ୍ତି ଯେ, ମନୁଷ୍ୟ ଓ ବୃକ୍ଷ ଗୋଟିଏ ମୁଦ୍ରାର ଦୁଇପାଶ୍ୱର୍ ପରି । ବେଳେ ବେଳେ ମଣିଷ ନିଜ ସ୍ୱାର୍ଥପାଇଁ ଗଛଗୁଡ଼ିକୁ କାଟିଥାଏ, କିନ୍ତୁ ଗଛ କେବେ ମଣିଷକୁ ଧୋକା ଦେଇନଥାଏ । ୧୯୯୯ ମସିହା ମହାବାତ୍ୟା ପରେ ଲଗାଯାଇଥିବା ଚାରାଟିଏ ଆଜି ବିରାଟ ବୃକ୍ଷରେ ପରିଣତ ହୋଇ ଅମ୍ଲଜାନ ପ୍ରଦାନ କରିବା ସହ ପରିବେଶ ପ୍ରଦୂଷଣକୁ ଦୂର କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିଛି । ମାତ୍ର ଦୁଃଖର ବିଷୟ କ୍ରମାଗତ ଭାବରେ ବୃକ୍ଷଛେଦନ ଫଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଇ ଚାଲିଛି ।

ପରିବେଶ ପ୍ରଦୂଷଣ ବୃଦ୍ଧି ପାଉଥିବାରୁ ଜୀବଜଗତ ଉପରେ ଏହାର କୁପ୍ରଭାବ ପଡୁଛି । ଚାଷକାର୍ଯ୍ୟ ମଧ୍ୟ ବାଧାପ୍ରାପ୍ତ ହେଉଛି ଏବଂ ଚାଷୀ ଚାଷରେ କ୍ଷତି ସହୁଛି । ଯେଉଁ ପରିମାଣରେ ଗଛ କଟାଯାଉଛି, ସେହି ପରିମାଣରେ ଗଛ ଲଗାଯାଉ ନଥିବାରୁ ଅମ୍ଲଜାନର ଅଭାବ ପରିଲକ୍ଷିତ ହେଲାଣି । ଦିଲ୍ଲୀ, ମୁମ୍ବାଇ ସହର ଭଳି ଓଡ଼ିଶାରେ ଅକ୍ସିଜେନ ପାର୍ଲର ଖୋଲି ଅମ୍ଲଜାନ ବିକ୍ରି ହେଲାଣି ।

ତେଣୁ ଏସବୁକୁ ଦୃଷ୍ଟିରେ ଆଜିର ଯୁବପିଢି ଧୈର୍ଯ୍ୟ ନହରାଇ ପର୍ଯ୍ୟାପ୍ତ ପରିମାଣରେ ଗଛ ଲଗାଇବାକୁ ଶ୍ରୀ ବାରିକ ନିବେଦନ କରିଥିଲେ । ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମକୁ ଅତିଥିମାନ ସାଧୁବାଦ ଜଣାଇବା ସହିତ ଆଗାମୀ ଦିନରେ ବ୍ୟାପକ ସଂଖ୍ୟାରେ ବୃକ୍ଷରୋପଣ କରିବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ସୁନରାମ ସିଂହଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଯୁବପିଢି ଯୋଗଦାନ କରି ଗଛ ସହିତ ବନ୍ଧୁତ୍ୱ ଦିବସ ପାଳନ କରିଥିଲେ ।

Leave a Reply

Your email address will not be published. Required fields are marked *