ସୁଶାସନ ଓ ଫଳାଫଳଭିତ୍ତିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଭିନ୍ନ ପଦକ୍ଷେପର ସମୀକ୍ଷା
“ବିକଶିତ ଅନୁଗୋଳ” ଲକ୍ଷ୍ୟରେ ଗୁରୁତ୍ୱପୂର୍ଣ୍ଣ୨୬ଟି ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପର କାର୍ଯ୍ୟକାରିତା ଉପରେ ଉପସ୍ଥାପନା
ଭୁବନେଶ୍ୱର,୧୭/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ମୁଖ୍ୟ ଶାସନ ସଚିବଶ୍ରୀମତୀ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଆଜି ସଚିବସ୍ତରୀୟ ବୈଠକଖାରବେଳ ଭବନସ୍ଥିତ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓରଞ୍ଜନ କୁମାର ସିଂ, ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ସମେତ ଅନ୍ୟ ବିଭିନ୍ନ ବିଭାଗର ସଚିବମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ବୈଠକରେ ସୁଶାସନ ଓ ଫଳାଫଳଭିତ୍ତିକ ପ୍ରଶାସନକୁ ଆହୁରି ସୁଦୃଢ଼ କରିବା ଦିଗରେ ବିଭିନ୍ନ ପଦକ୍ଷେପ ନେଇ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଗର୍ଗ ସମୀକ୍ଷା କରିଛନ୍ତି ।
ବିଭିନ୍ନ ସରକାରୀ ଯୋଜନା କାର୍ଯ୍ୟକାରିତାର ତ୍ୱରିତ ମୂଲ୍ୟାଙ୍କନମାଧ୍ୟମରେ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଜନକୈନ୍ଦ୍ରିକ ପ୍ରଶାସନକୁ ଗୁରୁତ୍ୱାରୋପ କରାଯାଇଛି।ଓଡ଼ିଶା ଜନ ବିଶ୍ୱାସ ଆଇନ୍ କାର୍ଯ୍ୟକାରିତା ସଂପର୍କିତ ଆଲୋଚନା, ତ୍ୱରିତ ମୂଲ୍ୟାଙ୍କନ ବ୍ୟବସ୍ଥା ମାଧ୍ୟମରେ ଅଧିକ ଦକ୍ଷ, ସ୍ୱଚ୍ଛ ଓ ଜନକୈନ୍ଦ୍ରିକ ପ୍ରଶାସନ ଗଠନକୁ ଗୁରୁତ୍ୱାରୋପ କରାଯାଇଛି।ବୈଠକରେ ଗତ ମଇ ମାସରେ ବିଭିନ୍ନ ବିଭାଗର ଉଲ୍କେଖନୀୟ କାର୍ଯ୍ୟ ସଂଫଳତା ସଂପର୍କରେ ମୁଖ୍ୟ ଶାସନ ସଚିବ ଆଲୋକପାତ କରିଥିଲେ । ଆଗାମୀ ଜୁନ୍ ୨୦ ତାରିଖରେ ମାନ୍ୟବର ରାଷ୍ଟ୍ରପତି ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ରାଇରଙ୍ଗପୁର ଗସ୍ତ କାର୍ଯ୍ୟକ୍ରମର ଶୃଙ୍ଖଳିତ ବ୍ୟବସ୍ଥା ନେଇ ବିଭିନ୍ନ ବିଭାଗୀୟ କାର୍ଯ୍ୟ ସୁଚାରୁରୂପେ ସଂପାଦନ କରିବାକୁ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।
ବୈଠକରେ ଅର୍ଥ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ସଂଜୀବ କୁମାର ମିଶ୍ର ଯୋଗଦେଇ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମର ଦ୍ରୁତ ଏବଂ ପ୍ରମାଣଭିତ୍ତିକ ମୂଲ୍ୟାଙ୍କନ ପାଇଁ “ରାପିଡ୍ ସର୍ଭେ ବେସ୍ଡ ଆସେସମେଣ୍ଟ” ବ୍ୟବସ୍ଥାର ଆବଶ୍ୟକତା ସମ୍ପର୍କରେ ସମସ୍ତ ବିଭାଗୀୟ ସଚିବମାନଙ୍କୁ ଅବଗତ କରାଇଥିଲେ। ଏହି ବ୍ୟବସ୍ଥା ଫଳରେ ଯୋଜନାଗୁଡ଼ିକର କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନ ସମ୍ପର୍କରେ ତ୍ୱରିତ ମତାମତ ମିଳିବ, ଯାହା ଦ୍ୱାରା ତ୍ରୁଟି ଚିହ୍ନଟ, ମଧ୍ୟବର୍ତ୍ତୀ ସଂଶୋଧନ, ନୀତି ନିର୍ଦ୍ଧାରଣ ଏବଂ ଫଳାଫଳମୁଖୀ ଶାସନ ବ୍ୟବସ୍ଥାକୁ ସୁଦୃଢ଼ କରିବ ।
ଶିଳ୍ପ ଏବଂ ଅନ୍ୟାନ୍ୟ ବିଭାଗରେ ନିୟାମକ ସରଳୀକରଣ (ଡି-ରେଗୁଲେସନ) ମାଧ୍ୟମରେ ଅନାବଶ୍ୟକ ଅନୁମୋଦନ ଓ ପ୍ରକ୍ରିୟାଗତ ଜଟିଳତା ହ୍ରାସ କରିବା ଉପରେ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସମୀକ୍ଷା କରାଯାଇଥିଲା । ତତ୍ ସହିତ ବିଭିନ୍ନ ବିଭାଗରେ ଖାଲିଥିବା ପଦବୀ ପୂରଣ, ବକେୟା ଥିବା ସରକାରୀ ବିଦ୍ୟୁତ୍ ବିଲ ପୈଠ ସଂପର୍କରେ ସମୀକ୍ଷା କରାଯାଇଥିଲା ।
ଅନୁଗୋଳ ଜିଲ୍ଲାପାଳ ଅବଦ୍ଦାଲ ଏମ୍. ଅଖତର୍ “ବିକଶିତ ଅନୁଗୋଳ” ଲକ୍ଷ୍ୟକୁ ସାକାର କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ୨୬ ଟି ଭିତ୍ତିଭୂମି ଓ ବିକାଶମୂଳକ ପ୍ରକଳ୍ପ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଥିଲେ। ପ୍ରସ୍ତାବିତ ବୁଢାପଙ୍କରୁ ଭାୟା ତେନ୍ତୁଳାଇ ଦେଇ ଲୁବୁରୀ ପର୍ଯ୍ୟନ୍ତ ଦୀର୍ଘ ୧୧୨.୫୬ କିମି ପର୍ଯ୍ୟନ୍ତ ବାହ୍ୟ ରେଳ କରିଡର ଏବଂ ପୁତୁଗାଡ଼ିଆ ଠାରୁ ତେନ୍ତୁଳାଇ ପର୍ଯ୍ୟନ୍ତ ୫୦ କିମି ଦୀର୍ଘ ଆଭ୍ୟନ୍ତରୀଣ ରେଳ କରିଡରର ନିର୍ମାଣ ସଂପର୍କରେ ଆଲୋଚନା କରିଥିଲେ, ଯାହାକିସଂଲଗ୍ନ ବିଭିନ୍ନ ଅଂଚଳରୁ କୋଇଲା ଓ ଖଣିଜ ପଦାର୍ଥ ସୁପରିବହନରେ ତଥା ପରୋକ୍ଷରେ ରାଜ୍ୟ ତଥା ଦେଶର ଶିଳ୍ପ ବିକାଶରେ ଗୁରୁତ୍ୱପୂର୍ଣ୍ଣ ସହାୟତା ପ୍ରଦାନ କରିବ ।
ସେହିପରି ଏନଏଚ୍-୫୩ ଓ ଏନଏଚ୍-୧୪୯ର ଉନ୍ନତିକରଣ, ତାଳଚେର-ବିମଳାଗଡ଼ ରେଳ ସଂଯୋଗୀକରଣ , ଜାତୀୟ ଜଳପଥ-୫ର ବିକାଶ ସଂପର୍କିତ ପ୍ରକଳ୍ପ ଉପରେ ଆଲୋଚନା କରାଯାଇଛି । ଜିଲ୍ଲାରେ ପ୍ରଭାବିତ ଅଂଚଳରେଖଣି ପ୍ରଭାବିତ ଅଂଚଳରେ ଉଲ୍ଲେଖନୀୟ ସଫଳତା ହାସଲ କରାଯାଇଛି । ଆଗାମୀ ମାର୍ଚ୍ଚରୁ ଡିସେମ୍ବର ୨୦୨୭ ମଧ୍ୟରେ ଜିଲ୍ଲାରେ ଗୁରୁତ୍ୱପୂର୍ଣ୍ଣ୫ ଟି ମେଗା ପାଇପ୍ ଓ୍ୱାଟର ପ୍ରକଳ୍ପ ସ୍ଥାପନ, ଆଲୁମିନିୟମ ପାର୍କର ସମ୍ପ୍ରସାରଣ, ପବିତ୍ରମୋହନ ମେଡିକାଲ କଲେଜ ଓ ହସ୍ପିଟାଲର ପୂର୍ଣ୍ଣ କାର୍ଯ୍ୟକ୍ଷମତା, ମାଲ୍ୟଗିରି-ରେଙ୍ଗାଲି-ମଞ୍ଜୋର ଇକୋ-ଟୁରିଜମ ସର୍କିଟ ଏବଂ ସାତକୋଶିଆକୁ ବିଶ୍ୱସ୍ତରୀୟ ପର୍ଯ୍ୟଟନସ୍ଥଳୀ ଭାବେ ବିକଶିତ କରିବା ଭଳି ପ୍ରକଳ୍ପଗୁଡ଼ିକ କାର୍ଯ୍ୟକାରିତା ନେଇ ଜିଲ୍ଲାପାଳ ରୋଡ୍ ମ୍ୟାପ୍ ଉପସ୍ଥାପନ କରିଥିଲେ ।
-0-
ପଠାଣିରାଉତ, ମୁଖ୍ୟ ଶାସନ ସଚିବଙ୍କ ଲୋକ ସମ୍ପର୍କ ଅଧିକାରୀ ଙ୍କ ସୌଜନ୍ୟ ରୁ
