କଟକ,୧୭/୦୬/୨୦୨୬(ଓଡ଼ିଶା ସମାଚାର) : ବାଲିକୁଦା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ବରିଷ୍ଠ ଶିକ୍ଷାବିତ୍ ପ୍ରଫେସର ଦେବେନ୍ଦ୍ର ନାଥ ବାରିକଙ୍କୁ ୪୨ ମୌଜା ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ସେ ଏକାଧାରରେ ଜଣେ ସଙ୍ଗୀତ ବିଶାରଦ, ବିଶିଷ୍ଟ ସାହିତ୍ୟିକ,ଶିକ୍ଷାବିତ୍,କ୍ରୀଡ଼ାବିତ୍, ସଙ୍ଗୀତଜ୍ଞ ସର୍ବୋପରି ଜଣେ ଉତ୍ତମ ମଣିଷ ଭାବରେ ଖ୍ୟାତି ଅର୍ଜନ କରିଛନ୍ତି । ଏହି ମହାନ ବ୍ୟକ୍ତିତ୍ୱଙ୍କୁ ଦୟାନିଧି ପ୍ରତିଭା ବିକାଶ ପ୍ରତିଷ୍ଠାନର ସମ୍ପାଦକ ନାରାୟଣ ଚନ୍ଦ୍ର ମହାନ୍ତି ମୁକୁଟ, ଉତ୍ତରୀୟ,ପ୍ରଶଂସାପତ୍ର ଏବଂ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି।
ଅନୁଷ୍ଠାନର ସଭାପତି ଶ୍ରୀମତୀ ସରୋଜ ନଳିନୀ ପରିଜାଙ୍କ ନିର୍ଦ୍ଦେଶ କ୍ରମେ ଅନୁଷ୍ଠାନର ସଭ୍ୟମାନେ ତାଙ୍କ ଶ୍ରୀଯୁକ୍ତ ବାରିକଙ୍କ ବାସଭବନରେ ପହଞ୍ଚି ସମ୍ବର୍ଦ୍ଧିତ କରିଥିଲେ । ଅନୁଷ୍ଠିତ ସଭାରେ ବିଶିଷ୍ଟ କଣ୍ଠଶିଳ୍ପୀ ବିଶ୍ୱଜିତ୍ ସିଂ,ଦୈନିକ ଧରିତ୍ରୀର ସହ ସମ୍ପାଦିକା ପଦ୍ମିନୀ ମହାନ୍ତି,କବି ତଥା ସାମ୍ବାଦିକ ଖଗେଶ୍ୱର ଖଣ୍ଡୁଆଳ,ସମାଜସେବୀ ସୁକାନ୍ତ କୁମାର ସାହୁଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।
