ଯାଜପୁର,୧୭/୦୬/୨୬(ଓଡ଼ିଶା ସମାଚାର)- ଜିଲ୍ଲା ପ୍ରଶାସନ ପକ୍ଷରୁ ଆସନ୍ତା ଜୁନ୍ ୨୧ ରେ ଯାଜପୁରରେ ଉତ୍ସବର ସହିତ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ କରାଯିବ। ଏଥିପାଇଁ ଅତିରିକ୍ତ ଜିଲ୍ଲାପାଳ ଯୁଧିଷ୍ଠିର ନାଏକଙ୍କ ଅଧ୍ୟକ୍ଷତାରେ ଯୋଗ ଦିବସ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଜିଲ୍ଲା, ବ୍ଲକ୍, ପୌର ପରିଷଦ ଏବଂ ଗ୍ରାମ ପଞ୍ଚାୟତ ସ୍ତରରେ ଯୋଗ ଦିବସ ପାଳନ ହେବ। ଏହାସହ ଚଳିତ ବର୍ଷ ଐତିହ୍ୟ ସ୍ଥଳ ରତ୍ନଗିରିରେ ଯୋଗ ଦିବସ ପାଳନ ଭଳି ଏକ ଅଭିନବ ପ୍ରୟାସ କରାଯାଉଛି। ଜୁନ୍ ୨୧ ତାରିଖ ସକାଳ ୬ ଘଟିକା ରୁ ୭ ଟା ମଧ୍ୟରେ ପଞ୍ଜୀକରଣ ଏବଂ କାର୍ଯ୍ୟକ୍ରମ ଉଦଘାଟନ ହେବା ପରେ ୭ ଟା ପରେ ଯୋଗ ଅଭ୍ୟାସ ଅଧିବେଶନ ଆରମ୍ଭ ହେବ। ଏଥିରେ ବିଶିଷ୍ଟ ବ୍ୟକ୍ତି ଏବଂ ଜନପ୍ରତିନିଧିଗଣ ଅତିଥି ରୂପେ ଯୋଗ ଦେବେ।
ସ୍କୁଲ, କଲେଜ ଛାତ୍ରଛାତ୍ରୀଙ୍କ ସମେତ ପ୍ରାୟ ୫୦୦ ରୁ ଉର୍ଦ୍ଧ୍ବ ଜନସାଧାରଣ ଯୋଗ ଦିବସରେ ସାମିଲ ହେବା ନେଇ ବୈଠକରେ ଆଲୋଚନା ହୋଇଥିଲା। ଯୋଗାଭ୍ୟାସ ପାଇଁ ସ୍ୱତନ୍ତ୍ର ରୂପେ ଯୋଗ ପ୍ରଶିକ୍ଷକ ନିୟୋଜିତ ହେବେ। ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା କ୍ରୀଡା ଅଧିକାରୀ ଫକୀର ମୋହନ ଟୁଡୁ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ବିଜୟ ମିଶ୍ର ଏବଂ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ, ଯୋଗ ସଂଯୋଜକମାନେ ଉପସ୍ଥିତ ଥିଲେ।
