ଝାଡୁ ବିକାଳି ଯୁବତୀକୁ ଗଣଦୁଷ୍କର୍ମ

କେନ୍ଦ୍ରାପଡ଼ା, ୧୬/୦୬/୨୦୨୬ (ଓଡ଼ିଶା ସମାଚାର)- କେନ୍ଦ୍ରାପଡ଼ା ସଦର ଥାନା ଅନ୍ତର୍ଗତ ଏସପିଙ୍କ କାର୍ଯ୍ୟାଳୟ ନିକଟ ରାସ୍ତାକଡରେ ତମ୍ବୁରେ ରହି ଝାଡୁ ବିକୁଥିବା ଛତିଶଗଡ଼ର ଜଣେ ଯୁବତୀଙ୍କୁ ଗଣ ଦୁଷ୍କର୍ମ କରାଯାଇଛି । ଏ ନେଇ କେନ୍ଦ୍ରପଡ଼ା ସଦର ଥାନାରେ ଅଭିଯୋଗ ମଧ୍ୟ ହୋଇଛି । ଅଭିଯୋଗ ହେବା ପରେ ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ଅଭିଯୋଗ ଅନୁଯାୟୀ ଛତିଶଗଡ଼ର କେତେକ ଲୋକ ଏସପିଙ୍କ କାର୍ଯ୍ୟାଳୟ ଠାରୁ ମାତ୍ର ଏକଶହ ମିଟର ଦୂରରେ ଥିବା ରାସ୍ତାକଡର ଏକ ସରକାରୀ ଜମିରେ ତମ୍ବୁ ପକାଇ ରହୁଛନ୍ତି । କଟକ-ଚାନ୍ଦବାଲି ରାଜ୍ୟ ରାଜପଥରେ ଝାଡ଼ୁ ବିକ୍ରି କରି ସେମାନେ ପରିବାର ପ୍ରତିପୋଷଣ କରୁଥିଲେ ।

ବିଳମ୍ବିତ ରାତିରେ ତମ୍ବୁ ମଧ୍ୟରେ ଶୋଇଥିବା ଜଣେ ଯୁବତୀଙ୍କୁ ୨ ଜଣ ଯୁବକ ଉଠାଇ ନେଇ ନିକଟସ୍ଥ ଜଙ୍ଗଲରେ ଦୁଷ୍କର୍ମ କରିଥିଲେ । ଦୁଷ୍କର୍ମ କରିବା ପରେ ଯୁବତୀଙ୍କୁ ମୁର୍ମୁଷୁ ଅବସ୍ଥାରେ ଛାଡି ଫେରାର ହୋଇଯାଇଥିଲେ । ସକାଳେ ଯୁବତୀଙ୍କ ପରିବାର ଲୋକେ ଖୋଜା ଖୋଜି କରିଥିଲେ ମଧ୍ୟ ତମ୍ବୁରେ ଯୁବତୀ ନ ଥିଲେ । ନିକଟସ୍ଥ ଜଙ୍ଗଲରେ ଯୁବତୀ ଜଣକ ଅଚେତ ଅବସ୍ଥାରେ ପଡିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତି କରାଯାଇଛି । ଏ ନେଇ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି । ଏସପିଙ୍କ କାର୍ଯ୍ୟାଳୟ ନିକଟରେ ଘଟଣାଟି ଘଟିଥିବାରୁ ଏସପି ସିଦ୍ଧାର୍ଥ କଟ୍ଟାରିଆ ଘଟଣାକୁ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ଏ ଦିଗରେ ସଠିକ ତଦନ୍ତ କରି ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ନିର୍ଦେଶ ଦେଇଛନ୍ତି ଏସପି । ସଦର ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ଅଭିଯୋଗ ପାଇବା ପରେ ଏକ ମମଲା ରୁଜୁ କରାଯାଇ ତଦନ୍ତ ଚାଲିଛି । ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *