ଶିଶୁଅନନ୍ତ ଆଶ୍ରମରେ ଦଳିତ ସଂପ୍ରଦାୟ ର ବୈଷ୍ଣବ ସମାବେଶ

ଯେ ବ୍ରହ୍ମକୁ ଚିନ୍ତନ ଓ ପ୍ରାର୍ଥନା କରିପାରିଲା ସେ ହେଉଛି ବ୍ରାହ୍ମଣ- ବାବା ବଳିଆ
ଗରଦପୁର,୧୬/୦୬/୨୦୨୬ (ଓଡ଼ିଶା ସମାଚାର)-ରଜ ମହୋତ୍ସବ ଅବସରରେ ଶିଶୁଅନନ୍ତ ଆଶ୍ରମ ଅରିଲୋ ଠାରେ କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲାର ୭ ଟି ଗ୍ରାମପଂଚାୟତ ରେ ଥିବା ଦଳିତ ସଂପ୍ରଦାୟର ବୈଷ୍ଣବ ମାନଙ୍କର ଏକ ସମାବେଶ ଆୟୋଜନ କରାଯାଇଥିଲା । ଏହି ସମାବେଶରେ ବ୍ରାହ୍ମଣ ଓ ବୈଷ୍ଣବ ମାନଙ୍କ ଦ୍ୱାରା ହେଉଥିବା ପୂଜା ପଦ୍ଧତି ଉପରେ ଏକ ତୁଳନାତ୍ମକ ଆଲୋଚନା କରାଯାଇଥିଲା । ଶିଶୁଅନନ୍ତ ଆଶ୍ରମର ପ୍ରତିଷ୍ଟାତା ତଥା ପଦ୍ମଶ୍ରୀ ପୂଜ୍ୟପୂଜକ ବାବା ବଳିଆ ପୌରୋହିତ୍ୟ କରି କହିଥିଲେ ଯେ ସନାତନ ଧର୍ମରେ ବ୍ରାହ୍ମଣ ,କ୍ଷତ୍ରୀୟ , ବୈଶ୍ୟ , ଶୁଦ୍ର ୪ ଜାତି କୁ ଆମ୍ଭ ମାନଙ୍କର ପୁର୍ବ ପୁରୁଷ ଲକ୍ଷ ଲକ୍ଷ ବର୍ଷ ପୁର୍ବରୁ ସୃଷ୍ଟି କରିଛନ୍ତି । କିନ୍ତୁ ବ୍ରାହ୍ମଣ ମାନେ ଶୁଦ୍ର ଜାତି ଙ୍କ ଘରେ ପୂଜାପାଠ କରନ୍ତି ନାହିଁ ।

ଯାହାଫଳରେ ଶୁଦ୍ର ଜାତିର ବୈଷ୍ଣବ ମାନେ ସେମାନଙ୍କ ଜାତିର ଘରମାନଙ୍କରେ ପୂଜାପାଠ କରନ୍ତି । ଏପରିକି ଗ୍ରାମରେ ଥିବା ମନ୍ଦିରମାନଙ୍କରେ ଶୁଦ୍ର ଜାତିର ଲୋକମାନେ ପ୍ରବେଶ କରିବାକୁ ବାରଣ କରାଯାଏ । ଏହା ସମ୍ପୁର୍ଣ୍ଣ ରୂପେ ଅନ୍ଧ ବିଶ୍ୱାସ । ଯେଉଁ ବ୍ୟକ୍ତି ବ୍ରହ୍ମ କୁ ଚିନ୍ତନ କରି ପ୍ରାର୍ଥନା କରିପାରିଲା ସେ ହେଉଛି ବ୍ରାହ୍ମଣ ବୋଲି ବାବା ବଳିଆ ମତ ପ୍ରକାଶ କରିଥିଲେ । ଶୁଦ୍ର ର ଅର୍ଥ ହେଉଛି ସେବକ । ତେଣୁ ଆମ ପରିବାରର ମା ବାପା ,କୃଷକ , ସୈନିକ , ଶିକ୍ଷକ , ପ୍ରଶାସକ , ରାଜନୈତିକ ବ୍ୟକ୍ତି ,ଡାକ୍ତର ,ନର୍ସ , ପୋଲିସ ପ୍ରଭୃତି ସମସ୍ତେ ସେବକ ଅଟନ୍ତି । ବିବାହ ବ୍ରତ ,ଶ୍ରାଦ୍ଧ ,ପୂଜା ଆଦିରେ ବ୍ରହ୍ମଣ ମାନେ ମନ୍ତ୍ର ପାଠ କରନ୍ତି ।

ବ୍ରାହ୍ମଣ ମାନଙ୍କ ଠାରୁ ବୈଷ୍ଣବ ମାନେ ଯେ ନିମ୍ନ ତାହା ନୁହେଁ । ତେଣୁ ସଠିକ ଭାବେ ପୂଜାପାଠ କରିବାକୁ ହେଲେ ବେଦ ର କିଛି ସ୍ୱତନ୍ତ୍ର ସରଳ ମନ୍ତ୍ର ରହିତ ପୁସ୍ତକ ପ୍ରକାଶନ କରାଯାଇ ଆପଣ ମାନଙ୍କୁ ପ୍ରଦାନ କରାଯିବ । ଦେବତାକୁ ପୂଜିବାକୁ ହେଲେ ଆମକୁ ଦେବତା ହେବାକୁ ପଡିବ । ଆସନ୍ତା ଦିନରେ ବୈଷ୍ଣବ ମାନଙ୍କର ଏକ ବଡଧରଣର ସମାବେଶ ଆୟୋଜନ କରାଯିବା ସହିତ ସାରା ରାଜ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ପ୍ରୟାସ ଜାରିରହିବ ବୋଲି ବାବା ବଳିଆ ସମାବେଶରେ ଉପସ୍ଥିତ ଥିବା ବୈଷ୍ଣବ ମାନଙ୍କୁ ସୂଚନା ପ୍ରଦାନ କରିଥିଲେ । ବିଭିନ୍ନ ଅଂଚଳରୁ ଆସିଥିବା ଶତାଧିକ ବୈଷ୍ଣବ ମାନେ ମଧ୍ୟ ବାବା ବଳିଆ ଙ୍କର ଏହି କାର୍ଯ୍ୟକ୍ରମକୁ ସମର୍ଥନ ଜଣାଇ ସହଯୋଗର ହାତ ବଢାଇଥିଲେ । ଆଶ୍ରମର ଟ୍ରଷ୍ଟି ଶ୍ରୀନିବାସ ଦାସ (କୁନୁଭାଇ) ବୈଷ୍ଣବ ମାନଙ୍କୁ ପୂଜାର୍ଚ୍ଚାନା କରି ପୁଷ୍ପ ହାର ଓ ଉପଢୈାକନ ପ୍ରଦାନ କରିଥିଲେ । ଆଶ୍ରମର ସମସ୍ତ ଅନ୍ତେବାସୀ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *