କଟକ ସଦର ୧୩/୦୬/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): କଟକ ସଦର ର ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା ବିଜେଡ଼ି ଛାଡି ବିଜେପିକୁ ଯାଉଥିବା ନେଇ କିଛି ଦିନ ହେଲା କଳ୍ପନା ଜଳ୍ପନା ଓ ଚର୍ଚ୍ଚା ଜୋର ଧରିଥିବା ପରିପ୍ରେକ୍ଷୀରେ ତାଙ୍କର ପ୍ରତିଦ୍ବନ୍ଦୀ ବିଜେପି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ପ୍ରତିକ୍ରିୟା ରଖିଛନ୍ତି। ‘ବିଜେପି କୁ ଚନ୍ଦ୍ର ସାରଥି ଆସିଲେ ମୁଁ ତାଙ୍କୁ ସ୍ୱାଗତ କରିବି।


ଦଳରେ ରହି ସଦର ର ଉନ୍ନତି ପାଇଁ ସାଙ୍ଗ ହୋଇ କାମ କରିବା’ ବୋଲି ପ୍ରକାଶ ମୁହଁ ଖୋଲି କହିଛନ୍ତି। ଅନ୍ୟ ପକ୍ଷରେ ଗଡ଼ ଫାଦର ଭାବେ କୁହାଯାଉଥିବା ରାଜ୍ୟସଭା ସାଂସଦ ତଥା କଟକ ଜିଲ୍ଲାର ପୂର୍ବତନ ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ ବିଜେପିକୁ ଚାଲିଯିବା ପରେ ତାଙ୍କର ଏକାନ୍ତ ଅନୁଗତ ଚନ୍ଦ୍ର ସାରଥି ଙ୍କୁ ବିଜେପି ରେ ସାମିଲ କରାଇବାକୁ ବିଜେପି ର ଏକ ଶକ୍ତିଶାଳୀ ଗୋଷ୍ଠୀ ଉଦ୍ୟମ ଆରମ୍ଭ କରିଥିବା ଜଣାପଡିଛି। ଏହା ନିଶ୍ଚିତ ବୋଲି ଜାଣିପାରି ପ୍ରକାଶ ବୋଧହୁଏ ଚନ୍ଦ୍ର ସାରଥି ଙ୍କୁ ଆଗୁଆ ସ୍ବାଗତ କରିଥାଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି। ତେବେ ଆଗକୁ କଟକ ସଦର ର ବିଜେଡ଼ି ବିଜେପି ରାଜନୀତି ପାଣିପାଗ କେଉଁ ଆଡକୁ ଯାଉଛି ତାକୁ କେବଳ ଦେଖିବାକୁ ବାକି ରହିଲା।
