ଭଞ୍ଜନଗର, ୧୩/୦୬/୨୦୨୬ (ଓଡ଼ିଶା ସମାଚାର)- ଭଞ୍ଜନଗର ସ୍ଥିତ ପ୍ରସିଦ୍ଧ କୁଲାଡ ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁପରିଚାଳନା ଏବଂ ସୁବ୍ୟବସ୍ଥିତ ଆୟୋଜନ କରିବା ପରିପ୍ରେକ୍ଷୀରେ ଏକ ପ୍ରସ୍ତୁତି ବୈଠକ ଉପଜିଲଳପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଶୁକ୍ରବାର ଅନୁଷ୍ଠିତ ହୋଇଛି । ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଏଥିରେ ଅଧ୍ୟକ୍ଷତା କରି ରଥଯାତ୍ରାର ସୁବ୍ୟବସ୍ଥା ବିଷୟରେ ଆଲୋକପାତ କରିଥିଲେ ।
ରଥଯାତ୍ରାରେ ସର୍ବୋଚ୍ଚ ସୁରକ୍ଷା ଓ ସୁବ୍ୟବସ୍ଥା ନିଶ୍ଚିତ କରି ଜନସାଧାରଣଙ୍କୁ ଏକ ନିରାପଦ ଏବଂ ଭାବବହୁଳ ଅନୁଭବ ଦେବା ସହ ସମସ୍ତ ବିଭାଗକୁ ସମ୍ପୂର୍ଣ୍ଣ ସଚେତନ ଓ ସମନ୍ୱୟ ଭିତିରେ କାମ କରିବାକୁ ବିଧାୟକ ଶ୍ରୀ ନାୟକ କହିଥିଲେ । ଉପଜିଲାପାଳ ଶ୍ରୀ ବେହେରା କୁଲାଡ ପରି ଉପଖଣ୍ଡର ସମସ୍ତ ଅଂଚଳରେ ରଥଯାତ୍ରା ଅନୁଷ୍ଠିତ ହେବ । ତେଣୁ ଯାତ୍ରାକୁ ଶାନ୍ତି ଶୃଙ୍ଖଳାର ସହ ସମ୍ପନ୍ନ ପାଇଁ ଉପଖଣ୍ଡ ସ୍ତରୀୟ ଅଧିକାରୀଙ୍କୁ ସହଯୋଗ କରିବା ପାଇଁ ଅନୁରୋଧ କରିଥିଲେ ।
ଚଳିତ ବର୍ଷ ରଥ ନିର୍ମାଣ, ରଥଯାତ୍ରା ଓ ବାହୁଡ଼ା ଯାତ୍ରାର ସୁରକ୍ଷା ଓ ସଠିକ୍ ପରିଚାଳନା, ଟ୍ରାଫିକ୍ ବ୍ୟବସ୍ଥା,ଶାନ୍ତି ଶୃଙ୍ଖଳା, ଅଗ୍ନି ନିରାପଦ, ଆମ୍ୱୁଲାନ୍ସ ଓ ଚିକିତ୍ସାକର୍ମୀ ଉପଲବ୍ଧତା, ଜନସ୍ୱାସ୍ଥ୍ୟ ଓ ପାଣି ବ୍ୟବସ୍ଥା , ପୋଟେବୁଲ ଟଏଲେଟ୍,ସଫେଇ ଓ ପରିଚ୍ଛନ୍ନତା ବ୍ୟବସ୍ଥା,ମଣ୍ଡପ/ରଥ ପରିଚାଳନା, ଚାଳକ ଓ ରଥ ନିର୍ଦେଶନା, ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥା ସମ୍ପର୍କରେ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରାଯାଇଥିଲା ।
ବୈଠକରେ ଅତିରିକ୍ତ ଜିଲାପାଳ ପ୍ରଧାନ ଟୁଲିଆମା,ବିଡ଼ିଓ ଭାରତୀ ଦେବୀ, ତହସିଲଦାର ଅଭିପ୍ସା ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅବିନାଶ କୁମାର ମାହାରଙ୍କ ସମେତ ସମସ୍ତ ସରକାରୀ ଓ ସାମାଜିକ ପ୍ରତିନିଧି, ମନ୍ଦିର ପରିଚାଳନା ସଦସ୍ୟ, ପୁଲିସ ବ୍ୟବସ୍ଥା, ଆମ୍ୱୁଲାନ୍ସ ଓ ଆପଦକାଳୀନ ସେବା ସଂପୃକ୍ତ ବିଭାଗଗୁଡିକର ଅଧିକାରୀ ଓ ପ୍ରତିନିଧି ଉପସ୍ଥିତ ଥିଲେ । ତହସିଲଦାର ଅଭିପ୍ସା ପଟ୍ଟନାୟକ ଏହାକୁ ସଂଯୋଜନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
