ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରାପଡାର ତେଜ ତନ୍ମୟ ପ୍ରଥମ

କେନ୍ଦ୍ରାପଡ଼ା,୦୩/୦୪/୨୦୨୬ (ଓଡ଼ିଶା ସମାଚାର)- ରାଜ୍ୟ ସ୍ତରୀୟ ଓଡିଶା ଦିବସ ସମାରୋହ-୨୦୨୬ ପାଳନ ଅବସରରେ ଆୟୋଜିତ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତାରେ କେନ୍ଦ୍ରାପଡା ସେଂଟ ଜାଭିୟର ହାଇସ୍କୁଲର ଛାତ୍ର ତେଜ ତନ୍ମୟ ପ୍ରଥମ ସ୍ଥାନ ଅଧିକାର କରି କେନ୍ଦ୍ରାପଡା ଜିଲା ପାଇଁ ଗୌରବ ଆଣି ଦେଇଛନ୍ତି । ଏହି ଉପଲକ୍ଷେ ଓଡିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗଦେଇ ତେଜ ତନ୍ମୟଙ୍କୁ ପୁଷ୍ପଗୁଛ, ପ୍ରମାଣପତ୍ର ଓ ୫ହଜାର ଟଙ୍କାର ଅର୍ଥରାଶି ପୁରସ୍କାର ପ୍ରଦାନ କରିଥିଲେ ।

ରାଜ୍ୟ ସୂଚନା ଓ ଲୋକସମ୍ପର୍କ ଏବଂ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସଚସଚିବ ହେମନ୍ତ ଶର୍ମାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ ଅନ୍ୟତମ ଅତିଥି ଭାବେ ଏକାମ୍ର-ଭୁବନେଶ୍ୱର ବିଧାୟକ ବାବୁ ସିଂ ଓ ମୁଖ୍ୟଶାସନ ସଚିବ ଅନୁ ଗର୍ଗ ଉପସ୍ଥିତ ଥିଲେ । ବର୍ତମାନ ପର୍ଯ୍ୟନ୍ତ ତନ୍ମୟ ୫ଟି ରାଜ୍ୟ ସ୍ତରୀୟ ପୁରସ୍କାର ପାଇ ସାରିଲେଣି । ଏଥିସହିତ ତନ୍ମୟ କେନ୍ଦ୍ରାପଡା ଜିଲା ସ୍ତରୀୟ ୯୧ତମ ଓଡିଶା ଦିବସ ପାଳନ ଅବସରରେ ଅନୁଷ୍ଠିତ ବକ୍ତୃତା ପ୍ରତିଯୋଗିତାରେ ମଧ୍ୟ ପ୍ରଥମ ସ୍ଥାନ ହାସଲ କରିଛନ୍ତି ।

ତନ୍ମୟ ଜଣେ ମେଧାବୀ ଛାତ୍ର ହୋଇଥିବା ବେଳେ ସେକେନ୍ଦ୍ରାପଡା ଜିଲାର ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଅୟୋଜିତ ପ୍ରତିଯୋଗିତା ଗୁଡିକରେ ଅଂଶଗ୍ରହଣ କରି କୃତିତ୍ୱ ହାସଲ କରି ଆସୁଛନ୍ତି । ସେଂଟ୍ ଜାଭିୟର ହାଇସ୍କୁଲର ଅଧ୍ୟକ୍ଷ ନିରଞ୍ଜନ ବେହେରା ତନ୍ମୟଙ୍କ ଏହି କୃତିତ୍ୱ ପାଇଁ ତାଙ୍କୁ ଶୁଭେଛା ଜଣାଇବା ସହ ତାଙ୍କର ଉତରୋତର ଉନ୍ନତି କାମନା କରିଛନ୍ତି । ଉଦୀୟମାନ ତାରକା ତେଜ ତନ୍ମୟ ହେଉଛନ୍ତି ଏକ ଔଷଧ କମ୍ପାନୀର ଆଂଚଳିକ ପ୍ରବନ୍ଧକ ଥିବା ପ୍ରଫୁଲ୍ଲ କୁମାର ଜେନା ଓ ମିନତୀପ୍ରଭା ସ୍ୱାଇଁଙ୍କ ଏକମାତ୍ର ପୁତ୍ର । ଏହି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଛାର ସୁଅ ଛୁଟିଛି ।

Leave a Reply

Your email address will not be published. Required fields are marked *