ଏରସମା ବ୍ଲକର ଗ୍ରାମାଞ୍ଚଳରେ ଗୁଣିଗାରେଡ଼ି ଓ ଅନ୍ଧବିଶ୍ୱାସ ନିବାରଣ ସଚେତନତା ଶିବିର ଅନୁଷ୍ଠିତ

ଜଗତସିଂହପୁର,୧୨/୦୬/୨୦୨୬ (ଓଡ଼ିଶା ସମାଚାର)-ଆଜି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ କାର୍ଯ୍ୟାଳୟ, ଜଗତସିଂହପୁର ର ମିଳିତ ଆନୁକୂଲ୍ୟରେ ଏରସମା ବ୍ଲକର ନାରଦିଆ ଏବଂ ଭିତର ଅନ୍ଧାରୀ ଗ୍ରାମରେ ଗୁଣିଗାରେଡ଼ି ଏବଂ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଗ୍ରାମାଞ୍ଚଳରେ ତଥା ଜନଜାତି ଅଧ୍ୟୁଷିତ ଅଞ୍ଚଳରେ ଡାହାଣୀ ପ୍ରଥା ଭଳି ଅନ୍ଧବିଶ୍ୱାସ ଏବଂ କୁସଂସ୍କାର ବିରୁଦ୍ଧରେ ଜନ ଜାଗରଣ ସୃଷ୍ଟି କରିବା ଲକ୍ଷ୍ୟ ନେଇ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।

ସଭାରେ ଅତିଥି ଭାବେ ଅତିରିକ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଜ୍ଞାନେନ୍ଦ୍ର ଲେଙ୍କା, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ଶ୍ରୀ ସୂର୍ଯ୍ୟ ପ୍ରକାଶ ସାମନ୍ତସିଂହାର, ପଞ୍ଚାୟତ ନିର୍ବାହୀ ଅଧିକାରୀ ଶ୍ରୀ ବିଭବ ଦାସ ,ମହିଳା ବିକାଶ ସଂଘ ର ସଭାପତି ମିନତୀ ଲେଙ୍କା, ସରପଞ୍ଚ ଭୁବନେଶ୍ୱର ମାଝୀ ସମସ୍ତ ଉପସ୍ଥିତ ରହି ଆଲୋଚନାରେ କହିଥିଲେ ଯେ ସ୍ୱାସ୍ଥ୍ୟ ସମସ୍ୟା ହେଲେ ଗୁଣିଗାରେଡ଼ି, ଝଡାଫୁଙ୍କାରେ ବିଶ୍ୱାସ ନ କରି ନିକଟସ୍ଥ ଡାକ୍ତରଖାନା ଯିବା ଉଚିତ। ଏହାସହ ଡାହାଣୀ ବୋଲି କିଛି ନାହିଁ ବୋଲି ଗ୍ରାମବାସୀଙ୍କୁ ସଚେତନ କରାଇଥିଲେ। ଡାହାଣୀ ପ୍ରଥାରେ ମହିଳାଙ୍କୁ ନିର୍ଯାତନା ଦେବା ଏକ ଅମାନବୀୟ ଘଟଣା ବୋଲି କହିବା ସହ ବର୍ତ୍ତମାନର ବିଜ୍ଞାନ ଯୁଗରେ ଏସବୁ ଅନ୍ଧବିଶ୍ୱାସରୁ ଦୂରେଇ ରହିବା ପାଇଁ ପରାମର୍ଶ ଦେଇଥିଲେ ଏବଂ ଅନ୍ଧବିଶ୍ୱାସର କୁପରିଣାମ ସମ୍ପର୍କରେ ଉପସ୍ଥିତ ଜନସାଧାରଣଙ୍କୁ ବୁଝାଇଥିଲେ।

ମୌଳିକ ସୁବିଧା ଏବଂ ଭିତ୍ତିଭୂମିର ବିକାଶ ସହ ଆମ ଚିନ୍ତା ଚେତନାରେ ମଧ୍ୟ ବିକାଶର ଆବଶ୍ୟକତା ରହିଛି। ଏହାସହ ବ୍ଲକ୍ କଳା ସଂସ୍କୃତି ସଂଘର କଳାକାର ରଶ୍ମିରେଖା ବେହେରା ଓ ସାଥୀ ଏବଂ ନାରାୟଣ ସାହୁ ଓ ସାଥୀ ମାନେ ଅନ୍ଧବିଶ୍ୱାସ ନିବାରଣ ସମ୍ବନ୍ଧୀୟ ଏକ ଆକର୍ଷଣୀୟ ପାଲା ଲୋକକଳା ପରିବେଷଣ କରି ସଚେତନତା ବାର୍ତ୍ତା ଦେଇଥିଲେ। ସ୍ଲୋଗାନ ପ୍ଲାକାର୍ଡ ମାଧ୍ୟମରେ ଏହି ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି କରାଯାଇଥିଲା। ଏହି ଶିବିରରେ ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ,ପ୍ରାୟ ଦୁଇ ଶହ ଗ୍ରାମବାସୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା, ଆଶା ଓ ଅଙ୍ଗନୱାଡ଼ି କର୍ମୀ, ବ୍ଲକ କର୍ମକର୍ତ୍ତା ଓ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟାଳୟର କର୍ମକର୍ତ୍ତା ଦିବାକର ପାତ୍ର, ପରିକ୍ଷୀତ ପଟ୍ଟନାୟକ ଓ ଚିନ୍ମୟ ସ୍ୱାଇଁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

-0-

ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଜଗତସିଂହପୁର ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *