ବୃଦ୍ଧାଙ୍କୁ ନିଜ ଗାଡ଼ିରେ ଘରେ ଛାଡ଼ିଲେ ବିଡିଓ

ନବରଙ୍ଗପୁର, ୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ଅଫିସର ହେବ ତ ଏମିତି ହେବ  । ଅସହାୟ, ଗରିବଙ୍କୁ ଦେଖି ଯିଏ, ତୁରନ୍ତ ବଢ଼ାଉଥିବ ସାହାଯ୍ୟର ହାତ  । ଏମିତି ଜଣେ ସରକାରୀ ଅଧିକାରୀଙ୍କ କାର୍ଯ୍ୟ ଏବେ ବିଭିନ୍ନ ମହଲରୁ ଚର୍ଚ୍ଚା ସାଉଁଟିଛି  । ରାସ୍ତାରେ ଚାଲି ଚାଲି ଯାଉଥିବା ଜଣେ ବୃଦ୍ଧାଙ୍କୁ ନିଜ ଗାଡ଼ିରେ ବସାଇ ତାଙ୍କ ଘରେ ନେଇ ଛାଡିଛନ୍ତି ଜଣେ ବିଡିଓ  । ଏହାସହ ତାଙ୍କ ସୁବିଧା, ଅସୁବିଧା ସମ୍ପର୍କରେ ପଚାରି ବୁଝିଛନ୍ତି  । ନବରଙ୍ଗପୁର ଜିଲାରୁ ଆସିଛି ଏମିତି ଏକ ଭିଡିଓ  ।

ପ୍ରଚଣ୍ଡ ଖରାରେ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ତେନ୍ତୁଳିଖୁଂଟି ଆସିଥିଲେ ଗୌଡ଼ଗୁଡା ଗାଁର ବୃଦ୍ଧା ସୁନାଦେଈ ବାଘ  । ଆଉ ୩ କିମି ଦୂର ନିଜ ଗାଁକୁ ଚାଲି ଚାଲି ଫେରୁଥିଲେ  । ଅଂଟା ନଇଁଯାଇଛି  । ଥିରି ଥିରି ଚାଲୁଛନ୍ତି  । ଅସହାୟ ବୃଦ୍ଧାଙ୍କୁ ଦେଖି ଗାଡ଼ି ଅଟକାଇଥିଲେ ବିଡିଓ  । ନିଜ ଗାଡ଼ିରେ ବସାଇ ତାଙ୍କ ଘରେ ନେଇ ଛାଡିଛନ୍ତି ତେନ୍ତୁଳିଖୁଂଟି ବିଡିଓ ମନୋଜ ପାଣିଗ୍ରାହୀ  । କେବଳ ସେତିକି ନୁହେଁ ବୃଦ୍ଧା ସୁନାଦେଈଙ୍କୁ ସରକାରୀ ସୁବିଧା ସବୁ ମିଳୁଛି କି ନାହିଁ ପଚାରି ବୁଝିଥିଲେ  । ଏହାସହ ସୁନାଦେଇଙ୍କ ପାଇଁ ଏକ ହୁଇଲ୍ ଚେୟାର ଯୋଗାଇ ଦେବାକୁ ବିଏସଏସଓଙ୍କୁ ନିର୍ଦେଶ ଦେଇଛନ୍ତି ବିଡିଓ ଶ୍ରୀ ପାଣିଗ୍ରାହୀ  । ବିଡିଓଙ୍କ ଏଭଳି ବଦାନ୍ୟତର୍ସମସ୍ତଙ୍କ ହୃଦୟ ଜିଣିନେଇଛି  ।

Leave a Reply

Your email address will not be published. Required fields are marked *