ଖୋର୍ଦ୍ଧା-ବଲାଙ୍ଗିର ରେଳପଥ ପାଇଁ ୯୯% ଜମି ଅଧିଗ୍ରହଣ ଶେଷ

ବକଳା ୧% ଜମି ଅଧିଗ୍ରହଣ କାର୍ଯ୍ୟ ଶୀଘ୍ର ସାରିବାକୁ ନିର୍ଦ୍ଦେଶ – ଏକ ସ୍ୱତନ୍ତ୍ର ଟିମ୍‌ କ୍ଷେତ୍ର ପରିଦର୍ଶନରେ ଯିବ

ଭୁବନେଶ୍ୱର,୧୮/୭/୨୦୨୪ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ସଂପ୍ରସାରଣ ପାଇଁ ଜମି ଅଧିଗ୍ରହଣ ସମ୍ପର୍କିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି ସମୀକ୍ଷା ବୈଠକରୁ ଜଣାପଡ଼ିଛି ଯେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥର ଦୈର୍ଘ୍ୟ ମୋଟ ୩୦୧ କିମି ହୋଇଥିବାବେଳେ ଏଥି ମଧ୍ୟରୁ ୧୮୩ କିମି ରେଳପଥ କାମ ସମ୍ପୂର୍ଣ୍ଣ ହୋଇ ରେଳ ଚଳାଚଳ ଯୋଗ୍ୟ ହୋଇ ତା’ ମଧ୍ୟରୁ ୧୧୪ କିମିର କାର୍ଯ୍ୟ ଚାଲୁରହିଛି । ବର୍ତ୍ତମାନ ସୁଦ୍ଧା ମାତ୍ର ୩.୮ କିମି ଜମି ଅଧିଗ୍ରହଣରେ ସମସ୍ୟା ରହିଛି । ଏହା ମଧ୍ୟରୁ ନୟାଗଡ଼ ଜିଲ୍ଲାରେ ୩.୧ କିମି ଓ ବୌଦ୍ଧ ଜିଲ୍ଲାରେ ୭୦୦ ମିଟର ଜମି ଅଧିଗ୍ରହଣ ବାକି ରହିଛି ।        ଏହି ଜମି ଅଧିଗ୍ରହଣରେ ଥିବା ସମସ୍ୟା ଆଗାମୀ ୧୫ ଦିନରେ ସମାଧାନ କରି ରେଳପଥ ନିର୍ମାଣ କାର୍ଯ୍ୟ ସୁରୁଖୁରୁରେ ଆଗେଇ ନେବା ପାଇଁ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନୟାଗଡ଼ ଓ ବୌଦ୍ଧ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

        ରେଳପଥ ପ୍ରକଳ୍ପ ଦ୍ୱାରା ଉଭୟ ଜିଲ୍ଲାର ପ୍ରଭାବିତ ହେବାକୁ ଥିବା ଜନସାଧାରଣଙ୍କୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବା ସହ ସେମାନଙ୍କୁ ବିଭିନ୍ନ ଜନହିତକର ଯୋଜନାରେ ଅନ୍ତର୍ଭୁକ୍ତ କରି ସେମାନଙ୍କର ଜୀବିକାନିର୍ବାହ ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା । ଏହି ଜମିଜମା ସଂକ୍ରାନ୍ତୀୟ ବିଭିନ୍ନ ମାମଲା ହାଇକୋର୍ଟ ଓ ଜିଲ୍ଲା କୋର୍ଟରେ ବିଚାରାଧିନ ଥିବାବେଳେ ଏଥିରେ ସମନ୍ୱୟ ରକ୍ଷାକରି କେସ୍‌ଗୁଡ଼ିକର ତ୍ୱରିତ ଫଇସଲା ଦିଗରେ କାର୍ଯ୍ୟ କଲେ ପ୍ରକଳ୍ପ କାର୍ଯ୍ୟ ଆଗେଇପାରିବ ବୋଲି ବୈଠକରେ ସହମତି ପ୍ରକାଶ ପାଇଥିଲା ।

        ଏହି ଅବସରରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନୟାଗଡ଼ ଓ ବୌଦ୍ଧର ଜିଲ୍ଲାପାଳ, ଡିଭିଜନାଲ ଫରେଷ୍ଟ ଅଫିସର ଓ ତହସିଲଦାରଙ୍କ ସହ ବିଭିନ୍ନ ଗ୍ରାମରେ ଥିବା ଜମି ଅଧିଗ୍ରହଣ ସମସ୍ୟାଗୁଡ଼ିକ ସମ୍ପର୍କରେ ବିଶଦ ଭାବେ ଅବଗତ ହେବା ସହ ଏସବୁ ବିସ୍ତୃତ ଭାବେ ଆଲୋଚନା କରିଥିଲେ ଓ ସମାଧାନର ବାଟ ବାହାର କରିଥିଲେ ।

        ଅଧିଗ୍ରହଣ ହେବାକୁ ଥିବା ଜମି ମଧ୍ୟରେ କିଛି ଜଙ୍ଗଲ ଜମି ରହିଥିବାରୁ, ଏସବୁର ଆଇନଗତ ଦିଗ ସମ୍ପର୍କରେ ତର୍ଜମା କରି ତ୍ୱରିତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଥିଲେ । କେତେକ ସ୍ଥଳେ ଗ୍ରାମସଭା ଡକାଇ ରେଳ ପ୍ରକଳ୍ପ ଦ୍ୱାରା ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ବୁଝାଇଶୁଝାଇ ଉପଯୁକ୍ତ କ୍ଷତିପୂରଣ ଓ ଥଇଥାନ ବ୍ୟବସ୍ଥାରେ ପ୍ରକଳ୍ପ ପାଇଁ ଜମି ଛାଡ଼ିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।

        ଖୋର୍ଦ୍ଧା-ବଲାଙ୍ଗିର ରେଳପଥ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ରାଜ୍ୟର ଅର୍ଥନୈତିକ ବିକାଶରେ ଏହା ସହାୟକ ହେବା ସହ ଉପକୂଳ ଓଡ଼ିଶା ଓ ପଶ୍ଚିମ ଓଡ଼ିଶା ମଧ୍ୟରେ ଗମନାଗମନ ବ୍ୟବସ୍ଥାରେ ବ୍ୟାପକ ଉନ୍ନତି ସାଧିତ ହୋଇପାରିବ । ଏଭଳି ଏକ ପ୍ରକଳ୍ପର କାର୍ଯ୍ୟ ତ୍ୱରାନ୍ୱିତ କରିବା ସହ ଆଗେଇ ନେବା ପାଇଁ ଅତିରକ୍ତ ମୁଖ୍ୟ ଶାସନ ସଚିବ ଗୁରୁତ୍ୱାରୋପ କରିଥିଲେ ।

        ଏହି ବୈଠକରେ ରାଜସ୍ୱ ବିଭାଗ, ଜଙ୍ଗଲ ବିଭାଗ, ବାଣିଜ୍ୟ ଓ ପରିବହନ ବିଭାଗ ଓ   ରେଲୱେର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *