କଟକ ସଦର ୧୩/୦୭/୨୦୨୬ (ଓଡ଼ିଶା ସମାଚାର /ବିଷ୍ଣୁ ବେହେରା): ମା ମରିବାର ଦୁଇବର୍ଷ ପରେ ଗତ ଦୁଇଦିନ ତଳେ ବାପାଙ୍କ ଅକାଳ ମୃତ୍ୟୁ ପରେ ବାପ ମା ଛେଉଣ୍ଡ ତିନିଝିଅ ଏବେ ବେସାହାରା ହୋଇ ଭଙ୍ଗାରୁଜା ଚାଳ ଛପର ଘରେ ଜୀବନ ବିତାଉଥିବା ଜଣାପଡିଛି। ପ୍ରକାଶ ଯେ ଏଭଳି ଏକ ହୃଦୟ ବିଦାରକ ସମ୍ବେଦନଶୀଳ ଘଟଣା ଘଟିଛି କଟକ ସଦର ଅନ୍ତର୍ଗତ ପରମହଂସ ରାଜହଂସ ଭୋଇସାହିର ଏକ ପରିବାରରେ। ମା ଲକ୍ଷ୍ମୀପ୍ରିୟା ଦୁଇବର୍ଷ ହେଲା ମୃତ୍ୟୁବରଣ କରିଥିବା ବେଳେ ବାପା ଅଭିମନ୍ୟୁ ଭୋଇଙ୍କର ନିକଟରେ ମୃତ୍ୟୁ ଘଟିଛି। ସେମାନଙ୍କର ଚାରିଟି ଝିଅ ମଧ୍ୟରୁ ବଡ଼ ଝିଅ ମିକିନାର ଵିଵାହ ହୋଇଯାଇଥିବା ବେଳେ ଆଉ ତିନୋଟି ଝିଅ ପୂର୍ଣ୍ଣିମା(୨୨),ମମତା(୨୦), ସୋନାଲୀ(୧୭) ଏବେ ବେସାହାରା ହୋଇ ପଡିଛନ୍ତି।
ଏପରିକି ସମ୍ବଳ ଅଭାବରୁ ଵାପାଙ୍କ ଶୁଦ୍ଧିକ୍ରିୟା କିପରି କରିବେ ତାକୁ ନେଇ ମୁଣ୍ଡରେ ହାତ ଦେଇ ବସିଛନ୍ତି। ଖଵର ପାଇ କଟକ ସଦର ଵିଚାର ମଞ୍ଚ ସଭାପତି ସୁବୋଧ ବେହେରା ସେମାନଙ୍କୁ ସାକ୍ଷାତ କରି ଆର୍ଥିକ ସହାୟତା ଦେଇଥିବା ବେଳେ ଶୁଦ୍ଧି କ୍ରିୟାରେ ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ଏଭଳି ପରିବାରର ଭରଣ ପୋଷଣ ଦାୟିତ୍ଵ ବହନ କରିବା ସହିତ ପକ୍କାଘର ଯୋଗାଇ ଦେବାକୁ ସାଧାରଣରେ ନିବେଦନ କରାଯାଇଛି। ସେହିପରି ସରକାରୀ ଓ ବେସରକାରୀ ଅନୁଷ୍ଠାନ ସହିତ ବଦାନ୍ୟ ବ୍ୟକ୍ତିବିଶେଷମାନେ ସାହାଯ୍ୟର ହାତ ବଢ଼ାଇବାକୁ ସବୁ ମହଲରୁ ଅନୁରୋଧ ହେଉଛି।
