୨୨୧ ଗ୍ରାମ୍ ବ୍ରାଉନସୁଗାର ଜବତ, ୨ ଗିରଫ

ଭୁବନେଶ୍ୱର,୧୦/୦୬/୨୦୨୬ (ଓଡ଼ିଶା ସମାଚାର)- ଅବକାରୀ ଗୁଇନ୍ଦା ବିଭାଗ ୟୁନିଟ୍-୧ଫ୍ଲାଇଂ ସ୍କ୍ୱାର୍ଡ ରାଜଧାନୀରେ ଏକ ବଡ଼ ନିଶା କାରବାର ଉପରେ ଚଢ଼ାଉ କରି ୨୨୧ ଗ୍ରାମ୍ ବ୍ରାଉନସୁଗାର ଜବତ କରିଛି ।

ଜବତ ବ୍ରାଉନସୁଗାରର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୨. ୧ ଲକ୍ଷ ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଏହି କାରବାରରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି  । ଗିରଫ ଅଭିଯୁକ୍ତ ଓଲଟପୁର ଥାନା ଅନ୍ତର୍ଗତ ଅଡ଼ସପୁରର ରଘୁନାଥ ନାୟକ (୩୮) ଓ ପାହାଳ ଥାନା ଅନ୍ତର୍ଗତ ଗୋହଲର ସ୍ମୃତିରଞ୍ଜନ ସାମନ୍ତରାୟ (୨୯)  । ଅବକାରୀ ଅଧିକ୍ଷକ ସମରଜିତ୍ ଦାସଙ୍କ ନିର୍ଦେଶକ୍ରମେ ଏବଂ ଅବକାରୀ ଉପଅଧିକ୍ଷକ ରୋଶନ ଇସୁ ହାଂସଦାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଏହି ଚଢ଼ାଉ କରାଯାଇଥିଲା । ଭୁବନେଶ୍ୱର

ମଂଚେଶ୍ୱର ଥାନା ଅଧୀନ ରସୁଲଗଡ଼ କେନାଲ ରୋଡ଼ରୁ ଏହି ବ୍ରାଉନସୁଗାର ଜବତ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ବ୍ରାଉନସୁଗାର ସହ ଗୋଟିଏ ଲାଲ ରଙ୍ଗର ନିଶାନ ମଗ୍ନିଟୋ କାର ଏବଂ ଦୁଇଟି ମୋବାଇଲ୍ ଫୋନ୍ ମଧ୍ୟ ଜବତ କରାଯାଇଛି । ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏନଡିପିଏସ ଆକ୍ଟ ୧୯୮୫ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ଉଭୟଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି । ଏହି ଚଢ଼ାଉ ଦଳରେ ସବ୍ ଇନ୍ସପେକ୍ଟର ଅମିତ୍ କୁମାର ବିଶ୍ୱାଳ, ସେକ ସାକିର ଉଲ୍ଲା, ସହକାରୀ ସବ୍ ଇନ୍ସପେକ୍ଟର କର୍ଣ୍ଣ ଓରାମ ଓ ଅଜୟ କୁମାର ବେହେରା, ମହିଳା କନଷ୍ଟେବଲ ସସ୍ମିତା ସାହୁ, କନଷ୍ଟେବଲ ଗୌରାଙ୍ଗ ନାୟକ, ଚନ୍ଦ୍ରକାନ୍ତ ସାହୁ, ଜଗନ୍ନାଥ ସାହୁ, ସୁମିତ୍ କୁମାର୍ ନାଏକ, ରଞ୍ଜିତ୍ ସାହୁ ଏବଂ ଡ୍ରାଇଭର କୃଷ୍ଣ ମୋହନ ଦାସ ସାମିଲ ହୋଇଥିଲେ  । ଚଳିତ ମାସରେ ଫ୍ଲାଇଂ ସ୍କ୍ୱାର୍ଡର ଏହା ଦ୍ୱିତୀୟ ବଡ଼ ସଫଳତା । ଅବକାରୀ ବିଭାଗ ପକ୍ଷରୁ ନିଶା କାରବାର ବିରୁଦ୍ଧରେ ଅଭିଯାନ ଜୋରଦାର କରାଯାଇଛି ।

Leave a Reply

Your email address will not be published. Required fields are marked *