ଭୁବନେଶ୍ୱର,୦୭/୦୬/୨୦୨୬ (ଓଡ଼ିଶା ସମାଚାର)- କନ୍ଧମାଳ ଜିଲା ବାଲିଗୁଡ଼ା ଆଇଟିଡିଏ ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରା ଗିରଫ ହୋଇଛନ୍ତି। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଯନ୍ତ୍ରୀଙ୍କୁ ରବିବାର ଗିରଫ କରିଛି ଭିଜିଲାନ୍ସ ବିଭାଗ।
ସୂଚନାଯୋଗ୍ୟ,ଶନିବାର ଏକକାଳୀନ ଚଢ଼ାଉ କରାଯାଇଥିଲା। ଭୁବନେଶ୍ବରରେ ୪ଟି ସ୍ଥାନ ସମେତ ବାରିପଦା, ଯାଜପୁରର ଧର୍ମଶାଳା ଏବଂ ବାଲିଗୁଡା ସରକାରୀ ବାସ ଭବନରେ ମଧ୍ୟ ଚଢ଼ାଉ କରାଯାଇଥିଲା। ଭୁବନେଶ୍ୱର ନୀଳାଦ୍ରି ବିହାରରେ ଚାରି ମହଲା ବିଶିଷ୍ଟ ଘର, ଶୈଳଶ୍ରୀ ବିହାରରେ ତିନି ମହଲା ଘର, ପଟିଆ କାନନ ବିହାର ଫେଜ୍ -୧ରେ ଦୁଇ ମହଲା ଘର, ଏବଂ ଚନ୍ଦ୍ରଶେଖରପୁରରେ ଦୁଇ ମହଲା ବିଶିଷ୍ଟ ଘର ଠାବ କରାଯାଇଥିଲା। ଯାଜପୁର ଜିଲା ଧର୍ମଶାଳା କଲେଜ ନିକଟ ପାଣ୍ଡୁଆ ଗ୍ରାମରେ ପୈତୃକ ଜମି ଉପରେ ନିର୍ମିତ ଦୁଇ ମହଲା ଘର ଠାବ କରିଥିଲା ଭିଜିଲାନ୍ସ। ବାରିପଦା ସହରର ଦେଉଳ ସାହି, ୱାର୍ଡ ନଂ-୯ରେ ଥିବା ଜଣେ ସମ୍ପର୍କୀୟଙ୍କ ଘର, ଧର୍ମଶାଳାର ପାଣ୍ଡୁଆ ଗ୍ରାମରେ ଥିବା ଅନ୍ୟ ଜଣେ ସମ୍ପର୍କୀୟଙ୍କ ଘର, ବାଲିଗୁଡାସ୍ଥିତ ସ୍ୱତନ୍ତ୍ର ଅଧିକାରୀ, ଆଇଟିଡିଏ କାର୍ଯ୍ୟାଳୟରେ ଥିବା ବେହେରାଙ୍କ କାର୍ଯ୍ୟାଳୟ, ଆଇଟିଡିଏ କାର୍ଯ୍ୟାଳୟ ନିକଟ ବାଲିଗୁଡାରେ ଥିବା ତାଙ୍କ ସରକାରୀ ବାସଭବନରେ ଚଢ଼ାଉ କରିଥିଲା।
ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ, ଭୁବନେଶ୍ୱରଙ୍କ ସର୍ଚ୍ଚ ୱାରେଣ୍ଟ ଆଧାରରେ ଭିଜିଲାନ୍ସର ଏକ ବହୁସ୍ତରୀୟ ଟିମ୍ ତାଙ୍କ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଏକାସଙ୍ଗରେ ଚଢ଼ାଉ କରିଥିଲା। ଏହି ଚଢାଉରେ ୨ ଜଣ ଅତିରିକ୍ତ ଏସପି, ୫ ଜଣ ଡିଏସପି, ୬ ଜଣ ଇନ୍ସପେକ୍ଟର, ଏବଂ ଅନ୍ୟ ଅଧିକାରୀ ସାମିଲ ଥିଲେ। ଚଢ଼ାଉ ସମୟରେ ସ୍ଥାବର ଓ ଅସ୍ଥାବର ସମ୍ପତ୍ତି, ବ୍ୟାଙ୍କ ଜମା, ନିବେଶ ଏବଂ ଅନ୍ୟାନ୍ୟ ଆର୍ଥିକ ଦଲିଲର ଯାଞ୍ଚ କରାଯାଇଥିଲା।
ଚାକିରି ଆରମ୍ଭ କରିଥିଲେ ୬ ହଜାର ଟଙ୍କାରେ। ହେଲେ ସେ କିଛି ଦିନ ପରେ ଆୟଠାରୁ ଢେର ପରିମାଣର ଅଧିକ ଟଙ୍କା ରୋଜଗାର କରିଥିଲେ। ଏହି ଟଙ୍କାରେ ବିଳାସବେସନ ସାମଗ୍ରୀ କିଣିବା ଠାରୁ ଆରମ୍ଭ କରି ବିଦେଶ ଭ୍ରମଣ କରୁଥିଲେ। ଆଦିବାସୀ ଇଲାକାରେ ରହି ବେସ୍ ମଉଜ କରୁଥିଲେ ।
କେବଳ ଭୁବନେଶ୍ବରରେ ୪ଟି ବହୁତଳ କୋଠା ସହ ବାବୁଙ୍କର କୋଟି କୋଟି ଟଙ୍କାର ବିପୁଳ ସମ୍ପତ୍ତି ଠାବ କରିଛି ଭଜିଲାନ୍ସ। ସରକାରୀ ଦରମାରେ କେମିତି ଠିଆ କରିଥିଲେ ଏତେ ବଡ଼ ସାମ୍ରାଜ୍ୟ, ତାକୁ ନେଇ ଏବେ ଉଠିଛି ପ୍ରଶ୍ନ।
ବାବୁଙ୍କର ବିପୁଳ ସମ୍ପତ୍ତି ରହିଥିବା ବେଳେ ତାକ ବ୍ୟାଙ୍କ୍ ଲକ୍ରରୁ ୨କୋଟି ଟଙ୍କା ନଗଦ ଠାବ ହୋଇଛି। ରାଜଧାନୀ ଭୁବନେଶ୍ବରର ପ୍ରାଇମ ଏରିଆ କାନନ ବିହାର ଫେଜ-୧ର ଦୁଇ ମହଲା କୋଠା ଥିବା ବେଳେ ଶୈଳଶ୍ରୀବିହାର, କାନନ ବିହାରରେ ଥିବା ଦୁଇ ତାଲା କୋଠା, ଚନ୍ଦ୍ରଶେଖରପୁରେ ଥିବା ଦୁଇ ତାଲା କୋଠା ଠାବ ହୋଇଛି।
୧୯୯୯ରେ ଆରମ୍ଭ ହୋଇଥିଲା ବାବୁଙ୍କ ସରକାରୀ ଚାକିରି। ଜୁନିୟର ଇଞ୍ଜିନିୟର ଭାବେ ନବରଙ୍ଗପୁରରେ ହୋଇଥିଲା ପୋଷ୍ଟିଂ। ମାସିକ ଦରମା ଥିଲା ୬ ହଜାର। ୨୦୦୧ ଯାଏଁ ବାବୁ ସେଠାରେ ଥିଲେ। ପରେ ଉଦଳା ଟ୍ରାନ୍ସଫର ହୋଇଥିଲା। ହେଲେ କିଛି ଦିନ ମଧ୍ୟରେ ପୁଣି ଫେରି ଆସିଥିଲେ ନବରଙ୍ଗପୁର। ଡାବୁଗାଁ ବ୍ଲକ କୁସୁମଗୁଡାରେ ୨୦୦୧ରୁ ୨୦୦୭ ଯାଏଁ ଆଇଟିଡିଏରେ ରହିବା ପରେ ୨୦୧୬ରେ ଆସିଷ୍ଟାଣ୍ଟ ଇଞ୍ଜିନିୟର ଭାବେ ମିଳିଥିଲା ପଦୋନ୍ନତି।
ଆଇଟିଡିଏ ନବରଙ୍ଗପୁରରେ ହିଁ ୨୦୨୨ ଯାଏଁ ରହିଥିଲେ। ଏ ବର୍ଷ ଫେବୃଆରୀରେ ଆସିଷ୍ଟାଣ୍ଟ ଏକଜିକ୍ୟୁଟିଭ ଇଞ୍ଜିନିୟର ସହ ବାଲିଗୁଡାରେ ହୋଇଥିଲା ପୋଷ୍ଟିଂ। ପୁରା ଚାକିରି କାଳ ନବରଙ୍ଗପୁରରେ ହିଁ ଆସ୍ଥାନ ଜମାଇଥିଲେ । ଚଢ଼ଉ ବେଳେ ବାବୁଙ୍କ ଘରୁ ୪ରୁ ଅଧିକ ହାଇଫାଇ ଆଇଫୋନ, ମୂଲ୍ୟବାନ ବ୍ରାଣ୍ଡେଡ ବ୍ୟାଗ ଓ ୩ଟି ଦାମୀ ହୀରା ମୁଦି ମିଳିଛି। ସବୁଠୁ ଆଶ୍ଚର୍ୟ୍ୟର କଥା, ତାଙ୍କ ସଉକ ପାଇଁ ସେ ୨୪ କ୍ୟାରେଟ ସୁନାରେ ୩ଟି ସୁନା ମୂର୍ତ୍ତି ତିଆରି କରି ରଖିଥିଲେ, ଯାହା ତାଙ୍କର ଅତ୍ୟଧିକ ବିଳାସମୟ ଜୀବନଶୈଳୀର ପ୍ରମାଣ। ଭୁବନେଶ୍ୱରରୁ ନେଇ ଯାଜପୁର ଓ ବାରିପଦା ପର୍ୟ୍ୟନ୍ତ ବୈକୁଣ୍ଠଙ୍କ ସମ୍ପର୍କୀୟ ଓ ତାଙ୍କ ସହ ଜଡ଼ିତ ଘରଗୁଡ଼ିକରେ ଖୋଳତାଡ଼ ଚାଲିଛି।
ଭୁବନେଶ୍ୱରର କାନନ ବିହାରସ୍ଥିତ ବୈକୁଣ୍ଠଙ୍କ ଆଲିସାନ ବାସଭବନରେ ଭିଜିଲାନ୍ସ ଟିମ ପହଞ୍ଚିବା ପରେ ସେଠାରେ ଥିବା ଦାମୀ ସାମଗ୍ରୀ ଦେଖି ଅଧିକାରୀମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।ତାଙ୍କ ଘର, ଟଙ୍କା ଓ ସମ୍ପତ୍ତି ଦେଖି ଭିଜିଲାନ୍ସ ତାଜୁବ୍ ହୋଇଛି। ଭୁବନେଶ୍ବର କେଶୁରାସ୍ଥିତ ଏକ ବ୍ୟାଙ୍କର ଦୁଇଟି ଲକରରୁ ନଗଦ ୨ କୋଟି ୪ଲକ୍ଷ ୧୪ ହଜାର ଟଙ୍କା ମିଳିଛି। ମେସିନ୍ରେ ଟଙ୍କା ଗଣି ହାଲିଆ ହୋଇଯାଇଥିଲେ ଅଧିକାରୀ। ଅନୁରୂପ ଭାବେ ଭୁବନେଶ୍ବରସ୍ଥିତ କାନନବିହାର ଫେଜ୍-୧ର ଥିବା ଦୁଇ ମହଲା କୋଠା କୌଣସି ରାଜମହଲ ଠାରୁ କମ୍ ନୁହେଁ। ଦାମୀ ଖଟ, ସେନ୍ସର ମିରର୍, ସେନ୍ସର ଡଷ୍ଟବିନ୍ ସାଙ୍ଗକୁ ଦାମୀ ଜିନିଷରେ ବାବୁଙ୍କ ଘର ଭର୍ତ୍ତି ହୋଇ ରହିଛି। ଘରର ଇଣ୍ଟେରିୟର ଡିଜାଇନ ଓ ଖଞ୍ଜା ଯାଇଥିବା ଶୋ-ପିସ୍ ଦେଖିଲେ ଆଖି ଟେରା ହୋଇଯିବ।
