ଉତ୍କର୍ଷ ନିମାପଡ଼ା ଦ୍ୱିତୀୟ ସଂସ୍କରଣ ଉଦଯାପିତ

ନିମାପଡ଼ା,୦୫/୦୬/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ାବାସୀଙ୍କ ମଧ୍ୟରେ ହସ ଫୁଟାଇବା, ସୁଖ ଦୁଃଖରେ ସାମିଲ ହେବା ଏବଂ ପ୍ରତି ବିଭାଗରେ ସରକାରୀ କାର୍ଯ୍ୟର ସଫଳତା ପାଇଁ ବିଜେପି ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ସ୍ଥାନୀୟ ବିଧାୟକା ତଥା ରାଜ୍ୟ ଉପ- ମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା ଘୋଷଣା କରିଥିଲେ । ଉତ୍କର୍ଷ ନିମାପଡ଼ା ଦ୍ୱିତୀୟ ସଂସ୍କରଣ ଉଦଯାପନ ଉତ୍ସବରେ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିକଶିତ ଭାରତ-ବିକଶିତ ଓଡ଼ିଶା ମଧ୍ୟରେ ନିମାପଡ଼ାର ଏହି ସାଧୁ ଉଦ୍ୟମକୁ ସାଧୁବାଦ ଜଣାଇ ଉପ-ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନାକୁ ନିମାପଡ଼ାର କ୍ରୀଡ଼ା ପ୍ରତିଭା ଚିହ୍ନଟ ସହିତ ଭିତିଭୂମି ସୁଦୃଢ଼ ନିମନ୍ତେ ୩୦ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଥିବା ସୂଚନା ଦେଇ ନିମାପଡ଼ା ବାରବାଟି ପଡ଼ିଆର ଉନ୍ନତିକରଣ ନିମନ୍ତେ ଆବଶ୍ୟକୀୟ ସହଯୋଗ ନିମନ୍ତେ ପ୍ରତିଶ୍ରୁତି ଦେଇଥିଲେ ।

ନିମାପଡ଼ାର ଯୁବ ସ୍ୱେଚ୍ଛାସେବୀ, କ୍ରୀଡ଼ା ପ୍ରତିଭାଙ୍କୁ ରାଜ୍ୟ ସ୍ତରରେ ପହଂଚାଇବା ନିମନ୍ତେ ବିଧାୟିକାଙ୍କ ଉଦ୍ୟମକୁ ସ୍ୱୀକୃତି ଜଣାଇ ରଂଜି ଟ୍ରଫି ଟିମ୍ ରେ ସାମିଲ କରିବା ପାଇଁ ଉଦ୍ୟମ ଆରମ୍ଭ ହେଲା ବୋଲି ମନ୍ତ୍ରୀ ଘୋଷଣା କରିଥିଲେ । ନିମାପଡ଼ା ବିଡ଼ିଓ ଡ଼ଃ ଅଭିଜିତ ଷଡ଼ଙ୍ଗୀ ସ୍ୱାଗତ ସୂଚନା ଦେଇ ଏହି କାର୍ଯ୍ୟକ୍ରମକୁ ସମସ୍ତ ନିମାପଡ଼ାବାସୀ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରି ସରକାରୀ କର୍ମଚାରୀ, ଜନ ପ୍ରତିନିଧିମାନଙ୍କୁ ସାଧୁବାଦ ଦେଇଥିଲେ । ଉପ-ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ନିମାପଡ଼ାକୁ ସରସ ସୁନ୍ଦର କରିବା ସହିତ ଜନସାଧାରଣଙ୍କ ବିଶ୍ୱାସକୁ ଧୂଳିସାତ ହେବାକୁ ଦିଆଯିବନି ବୋଲି ଦୃଢ଼ତାର ସହ ଘୋଷଣା କରି ଯେଉଁମାନେ ପଦ୍ମଫୁଲ ଉପରେ କଳାଦାଗ ଲଗାଇବାକୁ ଚେଷ୍ଟା କରୁଛନ୍ତି ତାହା ବିଫଳ ହେବ ବୋଲି ପ୍ରକାଶ କରି ଯେତେଦିନ ପର୍ଯ୍ୟନ୍ତ ଦାୟିତ୍ୱରେ ଥିବେ ସେତେଦିନ ପର୍ଯ୍ୟନ୍ତ ନିମାପଡ଼ାର ବିକାଶ କରି ଚାଲିଥିବି ବୋଲି ସର୍ବ ସମ୍ମୁଖରେ ଘୋଷଣା କରିଥିଲେ ।

Leave a Reply

Your email address will not be published. Required fields are marked *