ଲେପସି ର୍ କଲୋନୀର ମହିଳାମାନେ ସାଜିଲେ ସବୁଜିମାର ଦୂତ
ଭୁବନେଶ୍ୱର,୦୫/୦୬/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)-କାହାର ହାତରେ ଅଙ୍ଗୁଳି ନାହିଁ ତ ଆଉ କାହାର ପାପୁଲି ନାହିଁ । ସମାଜର ଆଖିରେ ସେମାନେ ହୁଏତ ଅକ୍ଷମ, କିନ୍ତୁ ପ୍ରକୃତି ମାଆ ପାଇଁ ସେମାନଙ୍କର ଦରଦ ଏବଂ ଦୃଢ଼ ମନୋବଳ ଆଗରେ ଆଜି ଶାରୀରିକ ଅକ୍ଷମତା ସମ୍ପୂର୍ଣ୍ଣ ରୂପେ ହାର୍ ମାନିଛି । ବିଶ୍ୱ ପରିବେଶ ଦିବସ ଅବସରରେ ରାଜଧାନୀ ଭୁବନେଶ୍ୱର ଉପକଣ୍ଠ ଯାଁଳା ସ୍ଥିତ ଲେପର୍ସି କଲୋନୀର ମହିଳାମାନେ ବନୀକରଣ ପାଇଁ ଏକ ଅଭିନବ ପ୍ରୟାସ କରି ସାରା ବିଶ୍ୱକୁ ଏକ ବଳିଷ୍ଠ ବାର୍ତା ଦେଇଛନ୍ତି । ସମାଜର ମୁଖ୍ୟ ସ୍ରୋତରୁ ଦୂରରେ ରହୁଥିବା ଏହି ମହିଳମାନେ ନିଜର ସୀମିତ ସାମର୍ଥ୍ୟ ଭିତରେ ପ୍ରାୟ ୨୦୦୦ ସିଡ୍ସ୍ ବଲ୍ (ବିହନ ପେଣ୍ଡୁ) ତିଆରି କରି ଚର୍ଚ୍ଚÿାର କେନ୍ଦ୍ରବିନ୍ଦୁ ସାଜିଛନ୍ତି ।
ଏହି ଅସାଧାରଣ ସବୁଜ ଯାତ୍ରାର ସୂତ୍ରଧର ସାଜିଥିଲେ ପରିବେଶ କର୍ମୀ ସୁଶାନ୍ତ ସାହୁ । ସେ ପ୍ରଥମେ କଲୋନୀର ମହିଳାମାନଙ୍କୁ ସିଡ୍ସ୍ ବଲ୍ ପ୍ରସ୍ତୁତିର ଉପାୟ ଓ ବୈଜ୍ଞାନିକ ପ୍ରଶିକ୍ଷଣ ଦେଇଥିଲେ । ପ୍ରଶିକ୍ଷଣ ପାଇବା ପରେ ମହିଳାମାନଙ୍କ ମଧ୍ୟରେ ଏକ ନୂଆ ଶକ୍ତିର ଜାଗରଣ ହୋଇଥିଲା । ସେମାନେ ଅତି ଆନନ୍ଦର ସହ ବିଭିନ୍ନ ପ୍ରକାର ଗଛର ମଞ୍ଜି ଯଥା:- ପଣସ, ତେନ୍ତୁଳି, କଟକି ତେନ୍ତୁଳି ଗଛର ମଞ୍ଜି, ଉର୍ବର ମାଟି ଏବଂ ଜୈବିକ ଖତକୁ ମିଶାଇ ନିଜ ଅଧାଗଢ଼ା ହାତରେ ଗୋଲ୍ ଗୋଲ୍ ସବୁଜ ପେଣ୍ଡୁ ପ୍ରସ୍ତୁତି କରିଥିଲେ । ଏହି ସିଡ୍ସ୍ ବଲ୍ ଗୁଡ଼ିକ ଆଗାମୀ ବର୍ଷାଋତୁରେ ପତିତ ଜମି ଓ ପାହାଡ଼ ପଡ଼ିଆରେ ନୂଆ ଜଙ୍ଗଲ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ମାଇଣ୍ଡ୍ ଏମ୍ପାୱାରମେ ୍ ଫାଉଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ଏହି ପ୍ରେରଣାଦାୟୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା ।
ଏହି ଅବସରରେ ଫାଉଣ୍ଡେସନ୍ ର ପ୍ରତିଷ୍ଠାତା ମନୋଜ ପ୍ରଧାନ ଯୋଗଦେଇ ମହିଳାମାନଙ୍କର ଏହି ଅଦମ୍ୟ ସାହାସକୁ ଭୂୟସୀ ପ୍ରଶଂସା କରିଥିଲେ ଏବଂ ଆଗାମୀ ଦିନରେ ଏହି ସବୁଜ ଅଭିଯାନକୁ ଆହୁରି ବ୍ୟାପକ ଓ ସୁଦୂରପ୍ରସାରୀ କରାଯିବ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମକୁ ସଫଳ କରିବାରେ ସର୍ବେଶ୍ୱର ବାରିକ, ପ୍ରଦୀପ କୁମାର ନାୟକ, ଜଗବନ୍ଧୁ ସାହୁ ପ୍ରମୁଖ ଉପସ୍ଥିତ ରହି ସମସ୍ତ ପରିଚାଳନା ଓ ସହଯୋଗର ହାତ ବଢ଼ାଇଥିଲେ । ଲେପର୍ସି କଲୋନୀର ଏହି ନିଆରା ପ୍ରୟାସ ପ୍ରମାଣ କରିଦେଇଛି ଯେ, ପ୍ରକୃତିକୁ ଭଲ ପାଇବା ପାଇଁ ହାତର ଆଙ୍ଗୁଳି ନୁହେଁ, ବରଂ ଏକ ସୁନ୍ଦର ମନ ଓ ଦୃଢ଼ ଇଛାଶକ୍ତିର ଆବଶ୍ୟକତା ରହିଛି ।
