ଉନ୍ନତ କିସମ ମାଛ ଯାଆଁଳ ଚାଷ କରିବାକୁ ବିଶେଷଜ୍ଞଙ୍କ ପରାମର୍ଶ
ପାଟକୁରା, ୩୦/୦୫/୨୦୨୬ (ଓଡିଶା ସମାଚାର )-କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଳକ ଅଧୀନ ଭଗବାନପୁର ବୁଢୀ ଜାଗୁଳାଇ ମତ୍ସ୍ୟ ଯାଆଁଳ କେନ୍ଦ୍ର ପରିସରରେ ଏକ ଆଲୋଚନା ଚକ୍ର ଓ ମତ୍ସ୍ୟ ଚାଷୀ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଯାଆଁଳ କେନ୍ଦ୍ରର ତତ୍ୱାବଧାରିକା ଝିନା ପରିଡାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ଜିଲ୍ଲାମତ୍ସ୍ୟ ଅଧିକାରୀ ଆଲୋକ କୁମାର ନାଥ, କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଡକ୍ଟର ମାନସ ରଞ୍ଜନ ବେହେରା,ଜାତୀୟ ମତ୍ସ୍ୟ ଡେଭଲପମେଣ୍ଟ ବୋର୍ଡ ଭୁବନେଶ୍ୱର ବରିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରଜ୍ଞା ରିତାମ୍ବର ସ୍ୱାଇଁ, ସହକାରୀ ଜିଲ୍ଲା ମତ୍ସ୍ୟ ଅଧିକାରିଣୀ କୋକିଳା ମଞ୍ଜରୀ ନାୟକ, ମତ୍ସ୍ୟ ଯାଆଁଳ କେନ୍ଦ୍ରର ପରାମର୍ଶ ଦାତା କମଳାକାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ଉନ୍ନତ ମାଛ ଯାଆଁଳ ବ୍ୟବହାର କରିବାପାଇଁ ମତ୍ସ୍ୟ ଚାଷୀଙ୍କୁ ପରାମର୍ଶ ଦେଇଥିବା ବେଳେ କେନ୍ଦ୍ରାପଡା ଜିଲ୍ଲାର ନଅ ଗୋଟି ବ୍ଲକ ଅଂଚଳରୁ ଆସିଥିବା ଆଗୁଆ ମତ୍ସ୍ୟ ଚାଷୀ ମନେ ସେ ସବୁରର ପ୍ରଶିକ୍ଷଣ ନେଇଥିଲେ ।
ନଅ ଗୋଟି ବ୍ଳକରୁ ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ମନେ ମଧ୍ୟ ଉପସ୍ଥିତ ରହି ମତ୍ସ୍ୟ ଚାଷୀଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । ବରିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ପ୍ରଜ୍ଞା ରିତାମ୍ବର ସ୍ୱାଇଁ ବିଶେଷ କରି ଉନ୍ନତ ମାଛ ଯାଆଁଳ ମାଛ ଚାଷରେ ବିନିଯୋଗ କରିବା ପାଇଁ ଚାଷୀମାନଙ୍କୁ ପରାମର୍ଶ ଦେଇଥିଲେ । ଅମ୍ରିତ କାତଲା, ଜୟନ୍ତୀ ରୋହିଁ, ଅମୁର କାପ ଭଳି ଉନ୍ନତ କିସମ ମାଛ ଯାଆଁଳ ମାଛ ପୋଖରୀରେ ଛାଡିଲେ ଚାଷୀମାନେ ଶତକଡା କୋଡିଏ ରୁ ତିରିଶ ଭାଗ ଅଧିକ ଲାଭବାନ ହେବେ ବୋଲି କହିଥିଲେ । ଏତତ ବ୍ୟତୀତ ଛେନା କରାଣ୍ଡି ମାଛ ଯାଆଁଳ ମଧ୍ୟ ବିନିଯୋଗ କଲେ ଭଲ ଫାଇଦା ମିଳିବ ବୋଲି ସେ କହିଥିଲେ । ଏଥିପାଇଁ ଉତ୍ତମ ଜଳ ପରିଚାଳନା, ରାସାୟନିକ ସାରପ୍ରୟୋଗ ଉପରେ ଓ ମାଛକୁ ସଠିକ ସମୟରେ ଖାଦ୍ୟ ଦେବା ଉପରେ ସେ ଗୁରୁତ୍ୱ ପ୍ରଦାନ କରିଥିଲେ ।
ଏସବୁ ସଠିକ ଭାବରେ ନିୟନ୍ତ୍ରଣ କରାଗଲେ ଚାଷୀ ନିଶ୍ଚିନ୍ତ ଲାଭବାନ ହୋଇ ପାରିବ ବୋଲି ବରିଷ୍ଠ କାର୍ଯ୍ୟ ନିର୍ବାହୀ ଅଧିକାରିଣୀ ମତବ୍ୟକ୍ତ କରିଥିଲେ ଓ ଆବଶ୍ୟକ ପଡିଲେ ଅଧିକ ପରାମର୍ଶ ପାଇଁ ତାଙ୍କୁ ଯୋଗା ଯୋଗକରିବାକୁ ଚାଷୀଙ୍କୁ ପରାମର୍ଶ ଦେଇଥିଲେ । ଜିଲ୍ଲା ମତ୍ସ୍ୟ ଅଧିକାରୀ ଆଲୋକ କୁମାର ନାଥ ମଧ୍ୟ ଚାଷୀମାନଙ୍କୁ ଅନେକ ଉପାଦେୟ ପରାମର୍ଶ ଦେଇଥିଲେ ଓ ବୁଢୀ ଜାଗୁଳାଇ ମତ୍ସ୍ୟ ଯାଆଁଳ କେନ୍ଦ୍ରରୁ ଉନ୍ନତ ମାନର ଯାଆଁଳ ନେବାକୁ ପରାମର୍ଶଦେଇଥିଲେ । ବୈଜ୍ଞାନିକ ପ୍ରଣାଳୀରେ ମାଛ ଚାଷ କରିବା, ସଠିକ ଜଳପରିଚାଳନା ଓ ରାସାୟନିକ ସାର ପ୍ରୟୋଗ ସଠିକ ଢଙ୍ଗରେ କରି ପାରିଲେ ଚାଷି ଅଧିକ ଲାଭବାନ ହୋଇପାରିବେ ବୋଲି କେନ୍ଦ୍ରାପଡା କୃଷି ବିଜ୍ଞାନ କେନ୍ଦ୍ର ବୈଜ୍ଞାନିକ ଡକ୍ଟର ମାନସ ରଞ୍ଜନ ବେହେରା ଚାଷୀ ମାନଙ୍କୁ ପରାମର୍ଶ ଦେଇଥିଲେ ।
ଅଗ୍ରଣୀ ମତ୍ସ୍ୟ ଚାଷୀ ମାନଙ୍କୁ କେନ୍ଦ୍ର ତରଫରୁ ଅଧିକାରୀ ମନେ ସମ୍ବର୍ଦ୍ଧିତ କରିଥିଲେ । ଡେରାବିଶ ବ୍ଲକର ମତ୍ସ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରିତିଶ କୁମାର ନାୟକ, ପଟାମୁଣ୍ଡାଇର ହରପ୍ରିୟା ବେହେରା, ମାର୍ଶାଘାଇର ସୁଶ୍ରୀସଙ୍ଗୀତା ଦେ, ରାଜନଗରର ଶ୍ୟାମ ଚରଣମାଝି, ମହାକାଳପଡ଼ାର ବିଜୟା ଲକ୍ଷ୍ମୀ ସାହୁ, ରାଜକନିକା ର ସଞ୍ଜୟ କୁମାର ବେହେରା, ଆଳିର ସସ୍ମିତା ବାରିକ ପ୍ରମୁଖ ଆଲୋଚନା ଚକ୍ରରେ ଭାଗନେଇ ଚାଷୀ ମାନଙ୍କୁ ଉପାଦେୟ ପରାମର୍ଶ ଦେଇଥିଲେ । କାର୍ଯ୍ୟକ୍ରମକୁ ଲାଲୀମା ପ୍ରିୟଦର୍ଶନୀ ସଂଚାଳନ କରିଥିଲେ ।
