ସ୍ୱତନ୍ତ୍ର ସଘନ ସଂଶୋଧନ(ଏସଆଇଆର)-୨୦୨୬ ଆରମ୍ଭ

ଜିଲାପାଳଙ୍କ କ୍ଷେତ୍ର ପରିଦର୍ଶନ ଓ ସମୀକ୍ଷା
କେନ୍ଦ୍ରାପଡ଼ା,୩୦/୦୫/୨୦୨୬ (ଓଡ଼ିଶା ସମାଚାର)-ଆଜିଠାରୁ ସମଗ୍ର ରାଜ୍ୟରେ ସ୍ୱତନ୍ତ୍ର ସଘନ ସଂଶୋଧନ (ଏସଆଇଆର)–୨୦୨୬ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଭୋଟର ତାଲିକାକୁ ଅଧିକ ସଠିକ, ସ୍ୱଚ୍ଛ, ତ୍ରୁଟିମୁକ୍ତ କରିବା ଉଦ୍ଧେଶ୍ୟରେ କେନ୍ଦ୍ରାପଡ଼ା ଜିଲାରେ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ବାଚନୀ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି । ଏହି ଅବସରରେ ଜିଲା ନିର୍ବାଚନ ଅଧିକାରୀ ତଥା ଜିଲାପାଳ ରଘୁରାମ ଆର. ଆୟର କେନ୍ଦ୍ରାପଡ଼ା ପୌରାଂଚଳ ଅନ୍ତର୍ଗତ ବିଭିନ୍ନ ୱାର୍ଡ ପରିଦର୍ଶନ କରି ଏସଆଇଆର–୨୦୨୬ କାର୍ଯ୍ୟକ୍ରମର ଅଗ୍ରଗତି ଓ କ୍ଷେତ୍ରସ୍ତରୀୟ କାର୍ଯ୍ୟାନ୍ୱୟନର ସମୀକ୍ଷା କରିଥିଲେ । ସେ ବୁଥ୍ ସ୍ତରୀୟ ଅଧିକାରୀ (ବିଏଲଓ)ମାନଙ୍କ ସହ ଆଲୋଚନା କରି କାର୍ଯ୍ୟକ୍ରମକୁ ସଫଳ ଭାବେ ରୂପାୟନ କରିବା ପାଇଁ ଆବଶ୍ୟକ ପରାମର୍ଶ ଦେଇଥିଲେ ।

ସୂଚନାଯୋଗ୍ୟ ଯେ ତା. ୩୦ ମଇରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ଜିଲାର ସମସ୍ତ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଂଚଳରେ ବିଏଲଓମାନେ ଘରକୁ ଘର ଯାଇ ପରିଗଣନା ଫର୍ମ (ଇନୁମରେସନ ଫର୍ମ) ବଂଟନ ଓ ସଂଗ୍ରହ କରିବେ । ଏହି ପ୍ରକ୍ରିୟାରେ ନିର୍ବାଚକମାନଙ୍କ ନାମ, ଠିକଣା, ବୟସ, ଯୋଗ୍ୟତା ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ସୂଚନାର ସତ୍ୟାପନ କରାଯିବ । ବିଏଲଓ ମାନେ ନାଗରିକମାନଙ୍କୁ ପରିଗଣନା ଫର୍ମ ପୂରଣରେ ସହାୟତା କରିବା ସହ ପୂରଣ ହୋଇଥିବା ଫର୍ମ ସଂଗ୍ରହ କରି ସ୍ୱୀକୃତି ପତ୍ର ପ୍ରଦାନ କରିବେ । ଭୋଟର ତାଲିକାରେ ନାମ ଥିବା ସମସ୍ତ ମତଦାତାଙ୍କୁ ଆବଶ୍ୟକ ସୂଚନା ଓ ଦସ୍ତାବିଜ ପ୍ରଦାନ କରି ବିଏଲଓ ମାନଙ୍କୁ ସହଯୋଗ କରିବାକୁ ଜିଲାପାଳ ଅନୁରୋଧ କରିଛନ୍ତି । ସେହିପରି ଯୋଗ୍ୟ ହୋଇଥିଲେ ମଧ୍ୟ ଯେଉଁମାନଙ୍କ ନାମ ଭୋଟର ତାଲିକାରେ ସାମିଲ ହୋଇନାହିଁ ସେମାନେ ଏହି ଅଭିଯାନ ସମୟରେ ନାମ ଅନ୍ତର୍ଭୁକ୍ତି ପାଇଁ ଆବେଦନ କରିପାରିବେ । ଏସଆଇଆର–୨୦୨୬ର ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଜୁଲାଇ ୫ ତାରିଖରେ ଚିଠା ଭୋଟର ତାଲିକା ପ୍ରକାଶ ପାଇବ ।

ଏହାପରେ ଜୁଲାଇ ୫ ରୁ ଅଗଷ୍ଟ ୪ ପର୍ଯ୍ୟନ୍ତ ଦାବି ଓ ଆପତି ଦାଖଲ କରାଯାଇପାରିବ । ଦାବି ଓ ଆପତିଗୁଡ଼ିକର ନିଷ୍ପତିି ସେପ୍ଟେମ୍ବର ୨ ସୁଦ୍ଧା ସମ୍ପନ୍ନ ହେବ । ସେପ୍ଟେମ୍ବର ୬ରେ ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ । ଏହି ଅଭିଯାନର ମୂଳ ଉଦ୍ଧେଶ୍ୟ ହେଉଛି ସମସ୍ତ ଯୋଗ୍ୟ ନାଗରିକଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା, ମୃତ ବ୍ୟକ୍ତି, ସ୍ଥାନାନ୍ତରିତ ବ୍ୟକ୍ତି ଓ ଡୁପ୍ଲିକେଟ ନାମଗୁଡ଼ିକୁ ଚିହ୍ନଟ କରି ତାଲିକାରୁ ବିଲୋପ କରିବା । ଏକ ସଠିକ ଓ ବିଶ୍ୱାସନୀୟ ଭୋଟର ତାଲିକା ପ୍ରସ୍ତୁତ କରିବା । ଜିଲାପାଳ ଜିଲାର ସମସ୍ତ ଜନସାଧାରଣଙ୍କୁ ଏହି ଅଭିଯାନରେ ସକ୍ରିୟ ସହଯୋଗ କରିବା ସହ ବିଏଲଓ ମାନଙ୍କୁ ଆବଶ୍ୟକ ସୂଚନା ପ୍ରଦାନ କରି ଗଣତାନ୍ତ୍ରିକ ପ୍ରକ୍ରିୟାକୁ ଅଧିକ ସୁଦୃଢ଼ କରିବାକୁ ଆହ୍ୱାନ ଜଣାଇଛନ୍ତି । ଜିଲାପାଳଙ୍କ ଏହି ଗସ୍ତ ସମୟରେ ଅତିରିକ୍ତ ଜିଲାପାଳ (ସାଧାରଣ) ନବକୃଷ୍ଣ ଜେନା, କେନ୍ଦ୍ରାପଡ଼ା ପୌର ନିର୍ବାହୀ ଅଧିକାରୀ ତ୍ରିନାଥ ବେହେରା, ଡେପୁଟି କଲେକ୍ଟର (ନିର୍ବାଚନ) ଅମୀୟ କେତନ ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *