ମଦ ବିରୋଧୀଙ୍କ ଧାରଣା ଓ ଦାବିପତ୍ର ପ୍ରଦାନ

ସରକାରଙ୍କ ମଦ ପ୍ରସାର ନୀତିକୁ ଦୃଢ ବିରୋଧ
କେନ୍ଦ୍ରାପଡ଼ା, ୩୦/୦୫/୨୦୨୬ (ଓଡ଼ିଶା ସମାଚାର)- ସହର ବଜାର ଠାରୁ ଆରମ୍ଭ କରି ଗାଁ ଗହଳିର ଚା’ ପାନ ଦୋକାନ ପର୍ଯ୍ୟନ୍ତ ମଦର ଉପଲବ୍ଧତାକୁ ପର୍ଯ୍ୟାପ୍ତ ଓ ସହଜ କରିଦେବା ନିମନ୍ତେ ସରକାର ରାଜ୍ୟରେ ମଦ ଦୋକାନଗୁଡିକର ଇ-ଅକ୍ସନ ପ୍ରକ୍ରିୟା ଆରମ୍ଭ କରିଛନ୍ତି ବୋଲି ନିଶା ନିବାରଣ ଅଭିଯାନ ଅଭିଯୋଗ କରିଛି । ଏହି କ୍ରମରେ କେନ୍ଦ୍ରାପଡ଼ା ଜିଲାରେ ପ୍ରାୟ ୬୪ଟି ମଦ ଦୋକାନ ପାଇଁ ଆସନ୍ତା ଜୁନ୍ ୨ ତାରିଖରେ ନିଲାମ ହେଉଛି । ରାଜ୍ୟରେ ସରକାର ପରିବର୍ତନ ପରେ ୨୦୨୬ ରୁ ୨୦୨୯ ଆର୍ଥôକ ବର୍ଷ ପାଇଁ ହେଉଥିବା ଏହି ପ୍ରଥମ ନିଲାମରୁ ସରକାରଙ୍କ ବର୍ଦ୍ଧିତ ଅବକାରୀ ରାଜସ୍ୱ ହାସଲ ହୋଇ ପାରିବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି ।

ମାତ୍ର ସରକାରଙ୍କ ଏହି ମଦ ପ୍ରସାରଣ ନୀତି ବିରୁଦ୍ଧରେ ନିଶା ନିବାରଣ ଅଭିଯାନ ପକ୍ଷରୁ ଆଜି ସମଗ୍ର ରାଜ୍ୟରେ ଗଣ ଆନ୍ଦୋଳନ କରିବାକୁ ଆହ୍ୱାନ ଦିଆଯାଇଥିଲା । ଏହି କ୍ରମରେ ସଂଗଠନର ଜିଲା କମିଟି ପକ୍ଷରୁ ଆଜି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଆୟୋଜିତ ହୋଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଦାବିପତ୍ର ପ୍ରେରଣ କରାଯାଇଥିଲା ।

ସଂଗଠନର ଜିଲା ସମ୍ପାଦକ ଆଦିକନ୍ଦ ରାଉଳଙ୍କ ନେତୃତ୍ୱରେ ହୋଇଥିବା ଏହି ଗଣଧାରଣାରେ ଶାଖା ସମ୍ପାଦକ ଗୋବିନ୍ଦ ନନ୍ଦ, ଅଜୟ ସାମଲ, ଆଇନଜୀବୀ ରମଣୀରଞ୍ଜନ ରାଉତରାୟ, ମୁକ୍ତାର ଖାଁ, ଭାଗୀରଥି ଜେନା, ଅମରେନ୍ଦ୍ର ଦାସ, ମହେନ୍ଦ୍ର ପଟ୍ଟନାୟକ, ସୋହାନା ବେଗମ୍, ଅବନ୍ତୀ ବେହେରା, ନିରୁପମା ମହାନ୍ତି, ବିଷ୍ଣୁପ୍ରିୟା ପଣ୍ଡା, ସଂଧ୍ୟାରାଣୀ ସାମଲ ପ୍ରମୁଖ ନେତୃବୃନ୍ଦ ଓଡିଶାକୁ ୨୦୨୯ ମସିହା ସୁଦ୍ଧା ନିଶାମୁକ୍ତ ରାଜ୍ୟ କରିବାକୁ ସରକାରଙ୍କ ନିର୍ବାଚନ ସମୟର ପ୍ରତିଶ୍ରୁତିକୁ ସ୍ମରଣ କରାଇଦେବା ସହ ଜିଲା ପ୍ରଶାସନ ଶିକ୍ଷାନୁଷ୍ଠାନ, ଦେବାଳୟ ଓ ଜନ ଗହଳିପୂର୍ଣ୍ଣ ସ୍ଥାନଗୁଡିକରେ ଥିବା ବିବାଦିତ ମଦ ଦୋକାନଗୁଡିକୁ ତୁରନ୍ତ ବନ୍ଦ କରିବା ସହ ଏହି ନିଲାମ ପ୍ରକ୍ରିୟାକୁ ସମ୍ପୂର୍ଣ୍ଣ ବାତିଲ କରିବା ପାଇଁ ଦାବି କରିଥିଲେ । ମୁଖ୍ୟମନ୍ତ୍ରୀଙ୍କ ଉଦ୍ଧେଶ୍ୟରେ ଲିଖିତ ଦାବିପତ୍ରକୁ ଅତିରିକ୍ତ ଜିଲାପାଳ ରବୀନ୍ଦ୍ର କୁମାର ମଲିକ ସଭା ସ୍ଥଳରୁ ଗ୍ରହଣ କରି ଆଇନ ପରିସର ବାହାରେ ଯେପରି କିଛି ନ ହୁଏ ସେଥିଲାଗି ପ୍ରତିଶ୍ରୁତି ଦେଇଥିଲେ ।

Leave a Reply

Your email address will not be published. Required fields are marked *