ପୂର୍ବତଟ ରେଳବାଇରୁ ୱାଲଟିୟର ଡିଭିଜନ୍ ଅଲଗା କରିବା ଷଡ଼ଯନ୍ତ୍ରର ପ୍ରତିବାଦରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର,୧୨/୧୨/୨୦୨୪ (ଓଡ଼ିଶା ସମାଚାର)- ପୂର୍ବତଟ ରେଳ ଜୋନ୍ ରୁ ୱାଲଟିୟର ଡିଭିଜନକୁ ଅଲଗା କରି ଦକ୍ଷିଣତଟ ରେଳବାଇରେ ଅନ୍ତର୍ଭୁକ୍ତ କରିବାର ପ୍ରତିବାଦରେ ମାନ୍ୟବର ରାଜ୍ୟପାଳ ରଘୁବର ଦାସଙ୍କୁ ଆଜି ଓଡ଼ିଆ ଅସ୍ମିତା ପରିଷଦ ପକ୍ଷରୁ ଏକ ତିନିଜଣିଆ ପ୍ରତିନିଧି ମଣ୍ଡଳୀ ସ୍ମାରକପତ୍ର ପ୍ରଦାନ କରିଛନ୍ତି । ‘ପରିଷଦ’ର ଆବାହକ ରବି ବେହେରାଙ୍କ ନେତୃତ୍ୱରେ ଅବସରପ୍ରାପ୍ତ ରେଳବାଇ ଅଫିସର ନିରାକାର ଦାସ ଓ ଯୁବନେତା ନାରାୟଣ ଡାଳୁଆଙ୍କ ଦସ୍ତଖତ ସମ୍ବଳିତର ଏହି ସ୍ମାରକପତ୍ରରେ ଏହାକୁ ବିରୋଧ କରାଯିବା ସଂଗେସଂଗେ ଏହାଦ୍ୱାରା କେବଳ ପୂର୍ବତଟ ରେଳବାଇ କ୍ଷତିଗ୍ରସ୍ତ ହେବ ତାହା ନୁହେଁ, ଓଡ଼ିଶାର ବିକାଶ ମଧ୍ୟ ବାଧାପ୍ରାପ୍ତ ହେବ ବୋଲି କୁହାଯାଇଛି । ୧୯୯୬ ମସିହାରୁ ଓଡ଼ିଶାବାସୀଙ୍କର ସଂଘର୍ଷ, ତ୍ୟାଗ ଓ ବଳିଦାନକୁ ନେଇ ଦକ୍ଷିଣ-ପୂର୍ବ ରେଳବାଇରୁ ପୂର୍ବତଟ ରେଳବାଇ ସୃଷ୍ଟି ହୋଇଥିଲା । ଓଡ଼ିଆ ଅସ୍ମିତା ଓ ସ୍ୱାଭିମାନର ପ୍ରତୀକ ହେଉଛି ପୂର୍ବତଟ ରେଳବାଇ । ଏହି ଜୋନ୍ ସୃଷ୍ଟି ହେବା ଦିନଠାରୁ ରେଳ ମନ୍ତ୍ରଣାଳୟ ପାଇଁ ରେଳ ମନ୍ତ୍ରଣାଳୟକୁ ସର୍ବାଧିକ ରାଜସ୍ୱ ପ୍ରଦାନ କରିଆସିଛି । ଖୋର୍ଦ୍ଧା ରୋଡ, ସମ୍ବଲପୁର ଓ ୱାଲଟିୟର ଡିଭିଜନକୁ ନେଇ ଗଠିତ ପୂର୍ବତଟ ରେଳ ଜୋନ୍ ରେ ୱାଲଟିୟର ଡିଭିଜନ ବର୍ଷକୁ ହାରାହାରି ୧୦ ହଜାର କୋଟି ଟଙ୍କାର ରାଜସ୍ୱ ଦେଇଥାଏ । ଯଦି କେନ୍ଦ୍ର ସରକାର ରାଜ୍ୟ ଭିତିକ ରେଳ ଜୋନ୍ ଗଠନ ନେଇା ୱାଲଟିୟର ଡିଭିଜନକୁ ଅଲଗା କରି ଦକ୍ଷିଣତଟ ରେଳବାଇର ଅନ୍ତର୍ଭୁକ୍ତ କରୁଛନ୍ତି ତାହେଲେ ବିଳାସପୁର ଡିଭିଜନରେ ରହିଯାଇଥିବା ଓଡ଼ିଶାର ଖଣିଜବହୁଳ ଅଂଚଳ ଯଥା- ସୁନ୍ଦରଗଡ଼, ଝାରସୁଗୁଡ଼ା ଜିଲା । ସେହିଭଳି ଚକ୍ରଧରପୁର ଡିଭିଜନରେ ରହିଯାଇଥିବା ସୁନ୍ଦରଗଡ଼ ଓ କେନ୍ଦୁଝର ଜିଲା ଏବଂ ଖଡ଼ଗପୁର ଡିଭିଜନରେ ରହିଯାଇଥିବା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲାର ଖଣିଜ ବହୁଳ ଅଂଚଳକୁ ପୂର୍ବତଟ ରେଳବାଇର ଅନ୍ତର୍ଭୁକ୍ତ କରିବାକୁ ‘ଓଡ଼ିଆ ଅସ୍ମିତା ପରିଷଦ’ ଏହି ସ୍ମାରକପତ୍ରରେ ଦାବି କରିଛି । କେନ୍ଦ୍ର ସରକାର ଓଡ଼ିଶାକୁ ରେଳବାଇର ଲଲିପପ୍ ଧରାଇଦେଇ ପୂର୍ବତଟ ରେଳବାଇକୁ ଖଣ୍ଡବିଖଣ୍ଡିତ କରିବାର ଉଦ୍ୟମ କରନ୍ତି, ତାହେଲେଳ ଓଡ଼ିଶାରେ ଜନଆନ୍ଦୋଳନକୁ ତୀବ୍ର କରାଯିବ ବୋଲି ‘ପରିଷଦ’ ପକ୍ଷରୁ ଚେତାଇ ଦିଆଯାଇଛି । ନିଜେ ରେଳ ମନ୍ତ୍ରୀ ଶ୍ରୀଯୁକ୍ତ ଅଶ୍ୱିନୀ ବୈଷ୍ଣବ ଓଡ଼ିଶାରୁ ରାଜ୍ୟସଭାକୁ ପ୍ରତିନିଧିତ୍ୱ କରୁଥିଲାବେଳେ ପୂର୍ବତନ ରେଳ ଜୋନ୍କୁ ଖଣ୍ଡବିଖଣଣ୍ଡିତ କରାଯିବାର ଦୁର୍ଭାଗ୍ୟଜନକ ବୋଲି ଏହି ସ୍ମାରକପତ୍ରରେ ଦର୍ଶାଯାଇଛି । କେନ୍ଦ୍ର ସରକାର ଓଡ଼ିଶାକୁ ପ୍ରତିଶ୍ରୁତି ଦେଇଥିବା ଗଞ୍ଜାମ ଜିଲାର ଶୀତଳାପଲ୍ଲୀ ରେଳଡବା କାରଖାନା ଓ କଳାହାଣ୍ଡି ଜିଲାର ନର୍ଲାଠାରେ ହେବାକୁ ଥିବା ରେଳବାଇ ୱାସିଂ ପ୍ଲାଂଟ ଆଜି ପର୍ଯ୍ୟନ୍ତ ଘୋଷଣାରେ ରହିଗଲା । ଖାଲି କିଛି ଅନୁଦାନ ବୃଦ୍ଧି କରି ଓଡ଼ିଶାକୁ ଶ୍ରୀହୀନ କରିବା ଓ ଏହାର ପ୍ରଗତିର କଣ୍ଠରୋଧ କରିବାର ଷଡ଼ଯନ୍ତ୍ରକୁ ଓଡ଼ିଶାବାସୀ ବରଦାସ୍ତ କରିବେ ନାହିଁ ବୋଲି ପରିଷଦର ଆବାହକ ଶ୍ରୀ ରବି ବେହେରା ସତର୍କ କରିଦେଇଛନ୍ତି । ତୁରନ୍ତ ରାଉରକେଲାଠାରେ ଏକ ନୂଆ ରେଳ ଡିଭିଜନ ଓ ଯାଜପୁର ରୋଡ୍ ଠାରେ ଏକ ନୂଆ ରେଳ ଡିଭିଜନ ପ୍ରତିଷ୍ଠା କରିବାକୁ ପଦକ୍ଷେପ ନେବାକୁ ଏହି ସ୍ମାରକପତ୍ରରେ ଦାବି କରାଯାଇଛି । ମାନ୍ୟବର ରାଜ୍ୟପାଳ ପ୍ରତିନିଧି ମଣ୍ଡଳୀଠାରୁ ସ୍ମାରକପତ୍ରଟି ଗ୍ରହଣ କରି ଏହାକୁ ରେଳମନ୍ତ୍ରୀଙ୍କ ଅବଗତି ନିମନ୍ତେ ପଠାଇବେ ବୋଲି ପ୍ରତିଶ୍ରୁତି ଦେଇଥିବା ଆବାହକ ରବୀନ୍ଦ୍ର ନାଥ ବେହେରା ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *