ପ୍ରଧାନମନ୍ତ୍ରୀଙ୍କ ୭୫ ତମ ଜନ୍ମଦିନ — ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ
# ରାଜ୍ୟବାସୀଙ୍କ ଏହା ହେବ ଉପହାର: ମୁଖ୍ୟମନ୍ତ୍ରୀ
# ଗଛ ଲଗାଇଦେଲେ ହେବ ନାହିଁ,ଦାୟିତ୍ୱ ନେବା ଆବଶ୍ୟକ
#ଜଳବାୟୁ ଉପଯୋଗୀ ବୃକ୍ଷରୋପଣ ଉପରେ ଫୋକସ୍: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୦୧/୦୮/୨୦୨୫ (ଓଡ଼ିଶା ସମାଚାର)- ଚଳିତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ୭୫ ବର୍ଷରେ ପ୍ରଦାର୍ପଣ କରିବାକୁ ଯାଉଛନ୍ତି । ଦେଶପ୍ରତି, ବିଶେଷକରି ଓଡିଶା ପ୍ରତି, ପ୍ରଧାନମନ୍ତ୍ରୀଙ୍କ ଅନେକ ଅବଦାନ ରହିଛି । ଗତ ବର୍ଷ ପ୍ରଧାନମନ୍ତ୍ରୀ ତାଙ୍କ ଜନ୍ମଦିନରେ ଓଡ଼ିଶା ଆସି ଆମର ମା’ମାନଙ୍କ ସମ୍ମାନରେ ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ । ଓଡ଼ିଶାର ବିକାଶ ପ୍ରତି ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା, ଓଡ଼ିଶାବାସୀଙ୍କ ପ୍ରତି ସଦିଚ୍ଛାର ସମ୍ମାନ ଜଣାଇ ଏକ୍ ପେଡ୍ ମା କେ ନାମ୍ ଅଭିଯାନରେ ସେପ୍ଟେମ୍ବର ୧୭ ତାରିଖରେ ଓଡ଼ିଶାରେ ଗୋଟିଏ ଦିନରେ ଲାଗିବ ୭୫ ଲକ୍ଷ ଗଛ । ଏହା ହେବ ପ୍ରଧାନମନ୍ତ୍ରୀଙ୍କ ପ୍ରତି ଓଡିଶାବାସୀଙ୍କ ଉପହାର ।
ଗୁରୁବାର ଲୋକସେବା ଭବନରେ ଏକ୍ ପେଡ୍ ମା କେ ନାମ୍ ଅଭିଯାନ ସମ୍ପର୍କରେ ଏକ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ଘୋଷଣା କରିଛନ୍ତି । ଦ୍ୱିତୀୟ ସଂସ୍କରଣର ଏହି କାର୍ଯ୍ୟକ୍ରମରେ ସର୍ବନିମ୍ନ ୭.୫ କୋଟି ଚାରା ରୋପଣ ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି । ପ୍ରସ୍ତୁତି ବୈଠକରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏକ୍ ପେଡ୍ ମା କେ ନାମ୍ କାର୍ଯ୍ୟକ୍ରମ ଏକ ଜନଆନ୍ଦୋଳନରେ ପରିଣତ ହୋଇଛି ।
ଏହି ଅଭିଯାନରେ ବିଭିନ୍ନ ସରକାରୀ ବିଭାଗ ସହିତ ପିଏସୟୁ, ଏନ୍.ଜି.ଓ ସଂସ୍ଥା, ବିଭିନ୍ନ ଯୁବସଂଘ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କୁ ଅଧିକରୁ ଅଧିକ ସାମିଲ କରାଯିବାର ଆବଶ୍ୟକତା ରହିଛି । କେବଳ ଗଛ ଲଗାଇଦେଲେ ହେବ ନାହିଁ, ଏହି ଗଛକୁ କିଭଳି ଉତମ ଭବିଷ୍ୟତ ମିଳିବ ତା’ର ମଧ୍ୟ ଦାୟିତ୍ୱ ନେବା ଆବଶ୍ୟକ । ଗୋଷ୍ଠୀ-ଜଙ୍ଗଲ, ଗ୍ରାମ୍ୟ ଜଙ୍ଗଲ, ପଥପାର୍ଶ୍ୱ ଚାରା ରୋପଣ ଏବଂ ବ୍ୟକ୍ତିଗତ ବୃକ୍ଷ ରୋପଣ ପାଇଁ ନିମ୍ବ, କରଞ୍ଜ, ତେନ୍ତୁଳି, ଫାସୀ, ଅର୍ଜୁନ, ହରିଡା, ବାହାଡା, ପଣସ, ତାଳ, ପିଜୁଳୀ, କୃଷ୍ଣଚୁଡା, ପିପଳ, ଇତ୍ୟାଦି ଗଛ ଚୟନ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
