ଜଗତସିଂହପୁର, ୨୯/୦୫/୨୦୨୬ (ଓଡ଼ିଶା ସମାଚାର)-ପୂର୍ବାହ୍ନ ରେ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହ ଠାରେ ସ୍ବତନ୍ତ୍ର ସଘନ ସଂଶୋଧନ(SIR) ନିମନ୍ତେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଏକ ସାମ୍ୱାଦିକ ସମ୍ମିଳନୀ ଆଗତ କରିଥିଲେ।ଏହି ସମ୍ମିଳନୀ ରେ ଜିଲ୍ଲାପାଳ କହିଲେ ଯେ ଭାରତର ନିର୍ବାଚନ ଆୟୋଗ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍. ଆଇ.ଆର୍ ) ପାଇଁ ବିଜ୍ଞପ୍ତି ଜାରି କରିଛନ୍ତି ।
ଏସ୍. ଆଇ.ଆର୍ ର ଉଦ୍ଦେଶ୍ୟ ହେଉଛି
“ଯୋଗ୍ୟ ବ୍ୟକ୍ତିଙ୍କୁ ଭୋଟର ତାଲିକାରେ ସମ୍ମିଳିତ କରିବା ଓ ଅଯୋଗ୍ୟ ବ୍ୟକ୍ତିଙ୍କ ନାମ, ଡୁପ୍ଲିକେଟ ନାମ ଭୋଟର ତାଲିକାରୁ ବିଲୋପ କରିବା, ମୃତବ୍ୟକ୍ତିଙ୍କ ନାମ ତାଲିକାରୁ ବାହାର କରିବା, ସ୍ଥାନାନ୍ତରିତ ମତଦାତାଙ୍କ ନାମ ସଂଶୋଧନ କରିବା” ।
ଆମ ଜିଲ୍ଲାରେ ଏସ୍. ଆଇ.ଆର୍ ର ସମସ୍ତ ପ୍ରସ୍ତୁତି ଯେପରି ପରିଗଣନା ଫର୍ମ (Enumeration Form )ମୁଦ୍ରଣ , ବି.ଏଲ. ଓ , ବି ଏଲ ଏ ଏବଂ ବି. ଏଲ . ଓ ସୁପରଭାଇଜାର ଙ୍କ ତାଲିମ ଶେଷ ହୋଇସାରିଛି । Enumeration Form ମଧ୍ୟ ସମସ୍ତ ବି.ଏଲ୍. ଓ (BLO)ଙ୍କ ପାଖରେ ପହଞ୍ଚି ସାରିଛି ।
ଚଳିତ ମେ ମାସ ୩୦ ତାରିଖରୁ ଜୁନ ମାସ ୨୮ ତାରିଖ ପର୍ଯ୍ୟନ୍ତ ପାଖାପାଖି ଏକ ମାସ ଧରି ବି.ଏଲ୍.ଓ ମାନେ ଭୋଟରମାନଙ୍କ ଘରକୁ ଘର ଯାଇ ଦୁଇଟି ଲେଖାଏଁ ପରିଗଣନା ଫର୍ମ (Enumeration Form) ବାଣ୍ଟିବେ । ପୂରଣ ହୋଇଥିବା ଫର୍ମର ଗୋଟିଏ ନକଲ ବିଏଲ୍ଓ ସଂଗ୍ରହ କରିବେ ଏବଂ ଦ୍ୱିତୀୟ ନକଲରେ ନିଜେ ଦସ୍ତଖତ କରି ଭୋଟରଙ୍କୁ ସ୍ୱୀକୃତି ପତ୍ର ଭାବେ ଫେରସ୍ତ କରିବେ, ଯାହାକୁ ଭୋଟରମାନେ ଭବିଷ୍ୟତ ପାଇଁ ସାଇତି ରଖିବେ ।
ଏହି ପ୍ରକ୍ରିୟା ରେ ଜିଲ୍ଲା ର ୯୭୪୪୩୫ ଜଣ ଭୋଟର ଙ୍କ ସଂଶୋଧିତ ତଥ୍ଯ ସଂଗ୍ରହ କରାଯିବ।ଭୋଟରମାନେ ଚାହିଁଲେ ନିର୍ବାଚନ ଆୟୋଗ ୱେବସାଇଟ୍ (voters.eci.gov.in) ରୁ ମଧ୍ୟ ଏହି ଫର୍ମ ଡାଉନଲୋଡ୍ କରିପାରିବେ ଏବଂ ପୂରଣ ପରେ ସେହି ପୋର୍ଟାଲ ମାଧ୍ୟମରେ ହିଁ ଅନଲାଇନ୍ ରେ ଅପଲୋଡ୍ କରିପାରିବେ ।
ଚଳିତ ଗ୍ରୀଷ୍ମ ପ୍ରବାହ କୁ ଦୃଷ୍ଟି ରେ ରଖି, ମୁଖ୍ୟ ନିର୍ବାଚନ ଅଧିକାରୀ, ଓଡ଼ିଶା ଙ୍କ ନିର୍ଦ୍ଦେଶ କ୍ରମେ ବି.ଏଲ୍.ଓ ମାନେ ଭୋଟର ମାନଙ୍କ ଘରେ ପୂର୍ବାହ୍ନ ୧୧ ଘଟିକା ପର୍ଯ୍ୟନ୍ତ ଏବଂ ଅପରାହ୍ନ ୩ ଘଟିକା ଠାରୁ ସନ୍ଧ୍ୟା ୭ ଘଟିକା ପର୍ଯ୍ୟନ୍ତ ବୁଥରେ ବସି ଭୋଟରଙ୍କୁ ସହାୟତା କରିବେ । ଯେଉଁ ମାନଙ୍କର ବୟସ ୦୧ /୦୭ /୨୦୨୬ ସୁଦ୍ଧା ୧୮ ବର୍ଷ ସମ୍ପୂର୍ଣ୍ଣ ହେଉଥିବ ସେମାନେ ଭୋଟର ତାଲିକାରେ ସ୍ଥାନ ପାଇବାକୁ ଫର୍ମ ୬ ରେ ଆବେଦନ କରିପାରିବେ ।
୩୦ ମେ ରୁ ୨୮ ଜୁନ ୨୦୨୬ ପର୍ଯ୍ୟନ୍ତ ବୁଥ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। ଏହା ସହିତ ୨୮ ଜୁନ ସୁଦ୍ଧା ମତଦାନ କେନ୍ଦ୍ରଗୁଡ଼ିକର ଯୁକ୍ତିସଙ୍ଗତ ପୁନର୍ବିନ୍ୟାସ କାର୍ଯ୍ୟ (rationalization of polling stations)ସମାପ୍ତ କରାଯିବ। ଖସଡା ଭୋଟର ତାଲିକା (publication of draft electoral roll)୦୫ ଜୁଲାଇ ୨୦୨୬ରେ ପ୍ରକାଶ ପାଇବ ।୦୫ ଜୁଲାଇରୁ ୦୪ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ (period of filling of claims and objections) କରାଯାଇପାରିବ। ଦାବି ଓ ଆପତ୍ତିର ନିଷ୍ପତ୍ତି (disposal of claims and objections) ୦୫ ଜୁଲାଇରୁ ୦୨ ସେପ୍ଟେମ୍ବର ସୁଦ୍ଧା କରାଯିବ । ପରେ ୦୬ ସେପ୍ଟେମ୍ବର ୨୦୨୬ରେ ଚୂଡାନ୍ତ ଭୋଟର ତାଲିକା (Publication of final voter roll) ପ୍ରକାଶ ପାଇବ।
ସୂଚନା ଯୋଗ୍ୟ ଯେ, ଆମ ଜିଲ୍ଲାରେ ୪ ଟି ବିଧାନ ସଭା କ୍ଷେତ୍ରରେ ୧୨୨୬ (୧୦୫୧ +ପୁନର୍ବିନ୍ୟାସ ପରେ୧୭୫) ବୁଥ୍ ସ୍ତରୀୟ ଅଧିକାରୀ (ବି.ଏଲ. ଓ ) ଓ ୧୦୫ ଜଣ ବି ଏଲ୍.ଓ ସୁପରଭାଇଜର କାର୍ଯ୍ୟରତ ଅଛନ୍ତି । ଏମାନଙ୍କ କାର୍ଯ୍ୟକୁ ତଦାରଖ କରିବା ପାଇଁ ୨୩ ଜଣ A.E.R.O ଓ ୪ ଜଣ E.R.O (ଭୋଟର ପଞ୍ଜୀକରଣ ଅଧିକାରୀ) ନିଯୁକ୍ତ ଅଛନ୍ତି ।
ଜଗତସିଂହପୁର ଜିଲ୍ଲାର ସମସ୍ତ ନାଗରିକମାନଙ୍କୁ ଏସ୍. ଆଇ.ଆର୍ ପ୍ରକ୍ରିୟାରେ ସ୍ବେଚ୍ଛାକୃତ ଭାବରେ ସାମିଲ ହୋଇ ଏକ ସ୍ବଚ୍ଛ ଓ ସଠିକ୍ ଭୋଟର ତାଲିକା ପ୍ରସ୍ତୁତି ରେ ସହଯୋଗ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। କାରଣ ଏକ ସଠିକ୍ ଭୋଟର ତାଲିକା ହିଁ ସୁଦୃଢ଼ ଗଣତନ୍ତ୍ର ର ଭିତ୍ତିଭୂମି।
ସମ୍ମିଳନୀ ରେ ଉପସ୍ଥିତ ରହି ଅତିରିକ୍ତ ଜିଲ୍ଲାପାଳ ତଥା ୧୦୨ ତିର୍ତ୍ତୋଲ୍ ନିର୍ଵାଚନ ମଣ୍ଡଳୀ ର ERO ଶ୍ରୀ ଜ୍ୟୋତି ଶଙ୍କର ରାୟ କହିଲେ ଯେ, ଏହି ପ୍ରକ୍ରିୟା ନିମନ୍ତେ ଜିଲ୍ଲାରେ ପ୍ରସ୍ତୁତି ଆରମ୍ଭ ହୋଇସାରିଛି ଏବଂ ଏକ ସ୍ବଚ୍ଛ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ନିମନ୍ତେ ଏହା ସହାୟକ ହେବ।
ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲାପାଳ ତଥା ୧୦୩ ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ERO ଶ୍ରୀ ସମ୍ବିତ୍ କୁମାର ରାଉତ, ଉପ ଜିଲ୍ଲାପାଳ ତଥା ୧୦୪ ଜଗତସିଂହପୁର ନିର୍ଵାଚନ ମଣ୍ଡଳୀ ର ERO ଶ୍ରୀ ପ୍ରଶାନ୍ତ କୁମାର ତରାଇ, ଡେପୁଟି କଲେକ୍ଟର ନିର୍ବାଚନ ଶ୍ରୀ ପ୍ରଶାନ୍ତ କୁମାର ସେଠୀ, ଡେପୁଟି କଲେକ୍ଟର ଶ୍ରୀମତୀ ତୃପ୍ତିମୟୀ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଶ୍ରୀମତୀ ପ୍ରତିଚୀ ତନୟା ମହାନ୍ତି ଉପସ୍ଥିତ ଥିଲେ।
ପ୍ରିଣ୍ଟ ମିଡିଆ, ଇଲେକ୍ଟ୍ରୋନିକ୍ ମିଡିଆ, ର ପ୍ରତିନିଧି ମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।
ଜିଲ୍ଲାପାଳ ସମସ୍ତ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ଏସ୍. ଆଇ.ଆର୍ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାକୁ ଅନୁରୋଧ କରିଥିଲେ।
