ଜାତୀୟ  ସଡ଼କ ସୁରକ୍ଷା ମାସ ୨୦୨୫ ର ସଚେତନତା ରଥ ଶୁଭାରମ୍ଭ ।

ଜଗତସିଂହପୁର, ୦୨/୦୧/୨୦୨୫ (ଓଡ଼ିଶା ସମାଚାର)- ଆଜି ଆଂଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସ୍ଥାନୀୟ ଶ୍ରୀକୃଷ୍ଣ ଏକାଡେମୀ ରେ ସ୍କୁଲର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଜିଲ୍ଲା ସ୍ତରୀୟ ଚିତ୍ରକଳା ପ୍ରତିଯୋଗିତା ଓ ସଡକ ସୁରକ୍ଷା ସଚେତନତା ରଥ ର ଶୁଭାରମ୍ଭ ହୋଇଥିଲା ।ଅତିରିକ୍ତ ଜିଲାପାଳ ଶ୍ରୀ ସମ୍ବିତ କୁମାର ରାଉତ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପ୍ରଦିପ ପ୍ରଜ୍ଜ୍ୱଳନ ପୂର୍ବକ  ସଚେତନତା ରଥ ର ଉଦ୍ଘାଟନ କରିଥିଲେ Iପିଲାମାନଙ୍କ ଦ୍ୱାରା   ସଡ଼କ ସୁରକ୍ଷା ସଚେତନତା ର ପ୍ରସାର ହେବା ସହ ଦୁର୍ଘଟଣା କୁ  କମାଯାଇ ପାରିବ ବୋଲି ଅତିରିକ୍ତ ଜିଲ୍ଲାପାଳ ମତବ୍ୟକ୍ତ କରିଥିଲେ। ଏଥିରେ ଆଂଚଳିକ ପରିବହନ ଅଧିକାରୀ ଶ୍ରୀ ନିର୍ମଳ ମହାନ୍ତି ଜାତୀୟ ସଡ଼କ ସୁରକ୍ଷା ମାସ ର  କାର୍ଯକ୍ରମ ଜିଲା ସ୍ତରରେ କିପରି ପାଳନ ହେବ, ଦୁର୍ଘଟଣା ରେ କିପରି ଜୀବନ ହାନି ହେଉଛି ତାର ପ୍ରତିକାର ବିଷୟରେ ପିଲା ମାନଙ୍କୁ ବିସ୍ତୃତ ଭାବରେ ବୁଝାଇଥିଲେ । ଏଥିରେ ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ଶ୍ରୀ ରଶ୍ମୀ ରଞ୍ଜନ ସାହୁ ଯୋଗଦେଇ ପିଲାମାନଙ୍କୁ ଉପଦେଶ ଥିଲେ ଯେ, ପିଲାମାନେ ତାଙ୍କର ପରିବାର ସଦସ୍ୟଙ୍କର ପଥ ପ୍ରଦର୍ଶକ ହୋଇପାରିବେ।  ସଦା ସର୍ବଦା ଘରୁ ଗାଡ଼ି ନେଇ ଗଲା ବେଳେ ହେଲମେଟ ପିନ୍ଧିବା ଏବଂ ମୋବାଇଲ୍ ଫୋନ୍ ବ୍ୟବହାର ନକରିବା ପାଇଁ ଦୃଷ୍ଟିଗୋଚର କରି ପାରିବେ ବୋଲି ଉପଦେଶ ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରା, ବିଶିଷ୍ଟ ଶିକ୍ଷାବିତ ଡଃ ସୁରେନ୍ଦ୍ର ତ୍ରିପାଠୀ, ନବୋଦୟ ବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ଶ୍ରୀକୃଷ୍ଣ ମହାପାତ୍ର, ଶ୍ରୀକୃଷ୍ଣ ଏକାଡେମୀ ର ପ୍ରଧାନ ଶିକ୍ଷକ ଶ୍ରୀ ରମାକାନ୍ତ ପତି ପିଲାମାନଙ୍କ ମଧ୍ୟରେ ସଚେତନତା ବାର୍ତ୍ତା ଦେଇଥିଲେ। ମଞ୍ଚ ରେ ଜିଲ୍ଲା ବିଜ୍ଞାନ ପରିଦର୍ଶକ ଶ୍ରୀ ଜୀବନ କୁମାର ସାହୁ ସଭା କାର୍ଯ୍ୟକୁ ପରିଚାଳନା କରିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ କାଳୀ ଚରଣ ତ୍ରୀପାଠୀ ଏବଂ ଶିକ୍ଷକ ତ୍ରିଲୋଚନ ସାହୁ ପରିଚାଳନ କରିଥିଲେ।

Leave a Reply

Your email address will not be published. Required fields are marked *