ପ୍ରତି ବିଦ୍ୟାଳୟ ପାଠାଗାରକୁ +୨ ବିଜ୍ଞାନ ପାଠ୍ୟପୁସ୍ତକ ପ୍ରଦାନ
ନାମଲେଖା ଫର୍ମ ପୂରଣ ବେଳେ ବିଜ୍ଞାନ ହେଉ ପ୍ରଥମ ପସନ୍ଦ
ଭୁବନେଶ୍ୱର,୨୮/୦୫/୨୦୨୬(ଓଡ଼ିଶା ସମାଚାର)- ଓଡ଼ିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନିଷ୍ପତି କ୍ରମେ ଓଡ଼ିଶା ଅଧ୍ୟୟନ ଓ ଗବେଷଣା ସଂସ୍ଥାଦ୍ୱାରା ପ୍ରସ୍ତୁତ +୨ ବା ଏକାଦଶ ଓ ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପାଠ୍ୟପୁସ୍ତକ ଛାତ୍ରଛାତ୍ରୀମାନଙ୍କଠାରେ ବିଜ୍ଞାନ ପଢ଼ିବା ପାଇଁ ଉତ୍ସାହ ସୃଷ୍ଟି କରିଛି । ଗଣଶିକ୍ଷା ବିଭାଗ ନିର୍ଦେଶ ଅନୁଯାୟୀ ରାଜ୍ୟର ସମସ୍ତ ଜିଲା ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ସାତ ଶହ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଠାଗାରକୁ ଓଡ଼ିଆରେ ରଚିତ ବିଜ୍ଞାନ ପାଠ୍ୟପୁସ୍ତକ ଯୋଗାଇ ଦିଆଯିବା ସହିତ ଅଧ୍ୟକ୍ଷ ଓ ବିଜ୍ଞାନ ଶିକ୍ଷକମାନଙ୍କ ନିମନ୍ତେ ସ୍ୱତନ୍ତ୍ର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି । ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ଗବେଷକ ଓ ବରିଷ୍ଠ ଅଧିକାରୀମାନେ ପ୍ରତି ଜିଲାର ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ଓଡ଼ିଆ ଭାଷାରେ ବିଜ୍ଞାନ ଶିକ୍ଷାର ଉପାଦେୟତା ଓ ଆବଶ୍ୟକତା ସଂପର୍କରେ ତଥ୍ୟ ଓ ତତ୍ୱ ଉପସ୍ଥାପନା କରିଥିଲେ ।
ବିଶେଷକରି ଗ୍ରାମାଂଚଳର ମେଧାବୀ ଗରିବ ଛାତ୍ରଛାତ୍ରୀ ଏହାଦ୍ୱାରା ଉପକୃତ ହେବା ସହିତ ସେମାନଙ୍କର ଡାକ୍ତର, ଇଂଜିନିୟର ହେବାର ସ୍ୱପ୍ନ ପୂରଣ ହୋଇପାରିବ ବୋଲି ସେମାନେ ଅନୁଭବ କରିପାରୁଛନ୍ତି । ଓଡ଼ିଆରେ +୨ ବିଜ୍ଞାନ ଶିକ୍ଷାକୁ ଅଧିକ କାର୍ଯ୍ୟକାରୀ କରିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ମନ୍ତ୍ରୀ ଶ୍ରୀ ନିତ୍ୟାନନ୍ଦ ଗଣ୍ଡ, ବିଭାଗୀୟ ସଚିବ, ଅଧିକାରୀ ସମେତ ସମସ୍ତ ଜିଲା ଶିକ୍ଷାଧିକାରୀ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି । ତେଣୁ ୨୬ ତାରିଖଠାରୁ ସାମସ୍ ପୋର୍ଟାଲ୍ ରେ ଆରମ୍ଭ ହୋଇଥିବା ନାମ ଲେଖା ଫର୍ମ ପୂରଣ ବେଳେ ଛାତ୍ରଛାତ୍ରୀଗଣ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଗ୍ରହଣ କରିବାକୁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥାର ସଦସ୍ୟ ସଚିବ ଡକ୍ଟର ସୁବ୍ରତ ପୃଷ୍ଟି ଆହ୍ୱାନ ଦେଇଛନ୍ତି ।
ଶିକ୍ଷାବିତ୍ ତଥା ସଂସ୍ଥା ଗବେଷଣା ବିଭାଗ ସଂଯୋଜକ ନୀରଦ ବରଣ ଖୁଂଟିଆ ଓଡ଼ିଆରେ ବିଜ୍ଞାନ ଶିକ୍ଷାର ପ୍ରଚାର ପ୍ରସାର ପାଇଁ ସଂସ୍ଥା ଦ୍ୱାରା ନିଆଯାଇଥିବା ବିଭିନ୍ନ ପଦକ୍ଷେପ ବିଷୟରେ ସୂଚନା ଦେଇ କହିଥିଲେ ଯେ, ଦଶମ ପାଶ୍ କରିଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ସାରା ରାଜ୍ୟରେ ଓଡ଼ିଆ ସାଥୀମାନେ କାର୍ଯ୍ୟ କରୁଛନ୍ତି । +୨ ବିଜ୍ଞାନ ପଢିଲେ ସବୁ ପ୍ରକାରର ନିଯୁକ୍ତି ପାଇଁ ପ୍ରତିଯୋଗିତାମୂଳକ ପରୀକ୍ଷା ସହଜରେ ସଫଳ ହେବା ସହିତ ଓଡ଼ିଆରେ ନିଟ୍ ଓ ଜେଇଇ ପରୀକ୍ଷା ପ୍ରଶ୍ନପତ୍ର ଆସୁଥିବାରୁ ଓଡ଼ିଆରେ ବିଜ୍ଞାନ ପଢୁଥିବା ପିଲା ସହଜରେ ଡାକ୍ତର ଓ ଇଂଜିନିୟର ହୋଇପାରିବେ । ପ୍ରକଳ୍ପ ନିର୍ଦେଶକ ବିଜୟ ପ୍ରଧାନ +୨ ବିଜ୍ଞାନ ଶିକ୍ଷା ବିଷୟରେ ସୂଚନା ଦେଇ କହିଥିଲେ ପ୍ରତିବର୍ଷ ସାଢେ ପାଂଚ ଲକ୍ଷ ପିଲା ଓଡ଼ିଆ ମାଧ୍ୟମରେ ଦଶମ ପଢୁଥିଲେ ବି ଇଂଲିଶ୍ ଭାଷାକୁ ଭୟ କରି +୨ ଶ୍ରେଣୀରେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ କରୁ ନଥିବାରୁ ପ୍ରାୟ ଅଶି ହଜାର ସିଟ୍ ଖାଲି ପଡୁଛି ।
ଏହି ଭୟକୁ ଦୂର କରିବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷରା ସଂସ୍ଥା ଓଡ଼ିଆରେ ଇଂଜିନିୟରିଂ ବହି ପ୍ରସ୍ତୁତ କରିବା ପରେ ଏବେ +୨ ବିଜ୍ଞାନ ବହି ପ୍ରସ୍ତୁତ କରିଛି । ଏବେ ଓଡ଼ିଆରେ ବିଜ୍ଞାନ ବୁଝିବା ଓ ପଢ଼ିବା ସହଜ ହେବା ସହିତ ସଫଳତା ହାର ବୃଦ୍ଧି ହେବ ଏବଂ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ବିଜ୍ଞାନ ପଢ଼ିବା ପାଇଁ ଉତ୍ସାହିତ ହେବେ ବୋଲି ଏକ ସର୍ବେକ୍ଷଣରୁ ଜଣାଯାଇଛି ବୋଲି ସେ କହିଛନ୍ତି । ଅନ୍ୟତମ ପ୍ରକଳ୍ପ ନିର୍ଦେଶକ ସଚ୍ଚିକାନ୍ତ ପ୍ରଧାନ ଓଡ଼ିଆ ମାଧ୍ୟମ ଶିକ୍ଷାକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା +୨ ବିଜ୍ଞାନ ପୁସ୍ତକ, ଇଂଜିନିୟରିଂ ପାଠ୍ୟପୁସ୍ତକ, ବିଭିନ୍ନ ପ୍ରତିଯୋଗିତାମୂଳକ ପରୀକ୍ଷା ସମ୍ବନ୍ଧିତ ପୁସ୍ତକ ଓଡ଼ିଆରେ ପ୍ରସ୍ତୁତ କରିବା ସହିତ ପିଲାମାନଙ୍କ ସହଜରେ ବିଷୟ ବୁଝିବା ପାଇଁ ଅନଲାଇନ୍ ଶିକ୍ଷାଦାନ ଓ ବିଷୟ ଜିଜ୍ଞାସା ଆପ୍ ପ୍ରସ୍ତୁତ କରି ବିନା ମୂଲ୍ୟରେ ବିତରଣ କରିବା ଲକ୍ଷ୍ୟ ରହିଛି । ଏହି ପରିପ୍ରେକ୍ଷୀରେ ଓଡ଼ିଆ ମାଧ୍ୟମରେ ଦଶମ ପରୀକ୍ଷାର ସମସ୍ତ ସଫଳ ଛାତ୍ରଛାତ୍ରୀ +୨ ବା ଏକଦଶ ଶ୍ରେଣୀ ନାମ ଲେଖାବେଳେ ବିଜ୍ଞାନ ବିଷୟକୁ ପ୍ରଥମ ପସନ୍ଦ ଭାବରେ ଆବେଦନ କରିବା ଆବଶ୍ୟକ । ଏଥିନିମନ୍ତେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକଗଣ, ଅଧ୍ୟାପକ ଓ ଅଧ୍ୟାପିକାଗଣ ଏଥିପାଇଁ ସଚେତନତା ସୃଷ୍ଟି ନିମନ୍ତେ ସହଯୋଗ କରିବା ପାଇଁ ଓଡ଼ିଆ ଅଧ୍ୟୟନ ଓ ଗବେଷଣା ସଂସ୍ଥା ପକ୍ଷରୁ ନିବେଦନ କରାଯାଉଛି ।
