ଚମ୍ପୁଆ,୨୯/୦୭/୨୦୨୫(ଓଡ଼ିଶା ସମାଚାର)- ଚମ୍ପୁଆ ଥାନା ଅନ୍ତର୍ଗତ ନୂଆଧନୁର୍ଜୟପୁର ଗ୍ରାମର ଦେଶ ସେବାରେ ନିଯୁକ୍ତ ଥିବା ଯବାନ ବିଜୟ କୁମାର ପ୍ରଧାନଙ୍କ ଶେଷ କୃତ ଗାଁ ମଶାଣୀରେ ସଂପନ୍ନ ହୋଇଛି । ସୀମା ସୁରକ୍ଷାବଳ ପକ୍ଷରୁ ସ୍ୱର୍ଗତ ବିଜୟ ପ୍ରଧାନଙ୍କୁ ତୋପ ସଲାମି ଦିଆଯାଇଥିବା ବେଳେ ପୋଲିସ ପକ୍ଷରୁ ସଲାମି ପ୍ରଦାନ କରାଯାଇଥିଲା । ସୂଚନା ଯୋଗ୍ୟକି ଯବାନ ବିଜୟ କୁମାର ପ୍ରଧାନ ଭାରତୀୟ ସୀମା ସୁରକ୍ଷା ବଳରେ ଫାର୍ମାସିଷ୍ଟ ଭାବେ ସିଲିଗୁଡି ଠାରେ କାର୍ଯ୍ୟରତ ଥିଲେ ।
ଗତ ଶନିବାର ଦିନ ତାଙ୍କର ମୃତୁ୍ୟ ହୋଇଯାଇଥିଲା । ୪୬ ବାଟାଲିୟନର ଏଏସଆଇ ଭାବେ କାର୍ଯ୍ୟ କରୁଥିବା ବିଜୟ କୁମାର ପ୍ରଧାନଙ୍କ ମର ଶରୀର ପର୍ଶଳା ଠାରେ ପହଂଚିବା ପରେ ଶତାଧିକ ଗ୍ରାମବାସୀ ମଟର ସାଇକେଲ ଶୋଭାଯାତ୍ରାରେ ବିଜୟ କୁମାର ଅମର ରହେ ଓ ଭାରତ ମାତାକି ଜୟ ଧ୍ୱନି ଦେଇ ତାଙ୍କ ପୈତୃକ ଗ୍ରାମ ଧନୁର୍ଜୟପୁରକୁ ନେଇଥିଲେ । ସେଠାରେ ଗ୍ରାମବାସୀ ଓ ପରିବାର ଲୋକଙ୍କ ସମେତ ବିଭିନ୍ନ ଅଧିକାରୀମାନେ ତାଙ୍କର ଶେଷ ଦର୍ଶନ କରିଥିଲେ ।
ପରେ ପାରମ୍ପରିକ ରୀତିନିତିରେ ତାଙ୍କ ମର ଶରୀରକୁ ଗାଁ ମୁଣ୍ଡ ମଶାଣୀକୁ ନିଆଯାଇଥିଲା । ସେଠାରେ ଆନୁଷ୍ଠାନିକ ଭାବେ ତୋପ ସଲାମି ପ୍ରଦାନ କରାଯାଇଥିଲା । ସ୍ୱର୍ଗତ ପ୍ରଧାନ ୧୫ ନଭେମ୍ବର ୨୦୧୦ ମସିହାରେ ଭାରତୀୟ ସୀମା ସୁରକ୍ଷା ବଳରେ ଯୋଗ ଦେଇଥିଲେ । ପ୍ରଶାସନ ପକ୍ଷରୁ ଚମ୍ପୁଆ ଉପଜିଲାପଳ ଉମାକାନ୍ତ ପରିଡା, ଅତିରିକ୍ତ ଅରକ୍ଷୀ ଅଧିକ୍ଷକ ହରପ୍ରିୟା ନାଏକ, ଝୁମ୍ପୁରା ବିଡିଓ ହୃଦାନନ୍ଦ ଓତା, ତହସିଲଦାର ରୋହିତ ବାଗ, ଚମ୍ପୁଆ ଆଇଆଇସି ରମାକାନ୍ତ ମୁଦୁଲୀ ପ୍ରମୁଖ ଉପସ୍ଥିତ ରହିଥିଲେ ।
