ପୁରୀରେ ହେବାକୁ ଥିବା BRICS ରାଷ୍ଟ୍ର ସମୂହର ‘Disaster Risk Reduction Working Group’ର ଦ୍ଵିତୀୟ ବୈଷୟିକ ବୈଠକର ଆୟୋଜନ ସମ୍ପର୍କରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କ ସମୀକ୍ଷା

    – ଯୋଗ ଦେବେ BRICS ରାଷ୍ଟ୍ରସମୂହର ପ୍ରତିନିଧି ଏବଂ ବିଶେଷଜ୍ଞବୃନ୍ଦ

      – ବିପର୍ଯ୍ୟୟ ପରିଚାଳନାରେ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ହେବ ଆଲୋଚନା

     – ସଫଳ ବିପର୍ଯ୍ୟୟ ପରିଚାଳନା ସମ୍ପର୍କରେ ସମଗ୍ର ବିଶ୍ୱକୁ ପ୍ରେରଣା ଦେବ ଓଡ଼ିଶା – ମାନ୍ୟବର ରାଜସ୍ୱ ମନ୍ତ୍ରୀ

ଭୁବନେଶ୍ୱର,୨୭/୦୫/୨୦୨୬ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ଭାରତର BRICS ଅଧ୍ୟକ୍ଷତା ଅଧୀନରେ ଆୟୋଜିତ ହେବାକୁ ଥିବା “Disaster Risk Reduction Working Group” (DRRWG)ର ବୈଷୟିକ ବୈଠକ ଆସନ୍ତା ୩ ରୁ ୫ ଜୁନ୍ ୨୦୨୬ ପର୍ଯ୍ୟନ୍ତ ଓଡ଼ିଶାର ପୁରୀରେ ତାଜ୍ ପୁରୀ ରିସୋର୍ଟଠାରେ ଅନୁଷ୍ଠିତ ହେବ।ଏହାର ସଫଳ ଆୟୋଜନ ନେଇ ମାନ୍ୟବର ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ଶ୍ରୀ ସୁରେଶ ପୂଜାରୀ ଲୋକସେବା ଭବନଠାରେ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଏହି ଅବସରରେ ‘ଅତିଥି ଦେବୋ ଭବ’ରେ ବିଶ୍ବାସ ରଖୁଥିବା ଆମ ରାଜ୍ୟ ଓଡ଼ିଶା ନିଜର ଐତିହ୍ୟ ଓ ସଂସ୍କୃତିର ପ୍ରଚାରପ୍ରସାର ସହିତ ବିପର୍ଯ୍ୟୟ ପରିଚାଳନାରେ ଆମର ସଫଳତା ଏବଂ ଉପଲବ୍ଧି ସମ୍ପର୍କରେ ସମଗ୍ର ବିଶ୍ୱକୁ ଅବଗତ କରାଇବା ସହ ଆମ ନିକଟରେ ଥିବା ଶିଖିବାର ସୁଯୋଗର ସଦୁପଯୋଗ କରିବା ନିମନ୍ତେ ମାନ୍ୟବର ମନ୍ତ୍ରୀ ମତପ୍ରକାଶ କରିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହି ଅଧିବେଶନରେ BRICS ଦେଶଗୁଡ଼ିକର ପ୍ରତିନିଧି ଏବଂ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧକ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ଉଲ୍ଲେଖଯୋଗ୍ୟ ଯେ, ବ୍ରାଜିଲ୍, ଇଜିପ୍ଟ୍, ଇଥିଓପିଆ, ଇଣ୍ଡୋନେସିଆ, ଇରାନ୍, ଋଷିଆ, ସାଉଦି ଆରବିଆ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚାଇନା ଆଦି ଦେଶର ପ୍ରତିନିଧିଗଣ ଏହି ସମ୍ମିଳନୀରେ ଯୋଗ ଦେବେ । ଏଥିସହିତ ଭାରତର ବିଭିନ୍ନ ରାଜ୍ୟମାନଙ୍କର ପ୍ରତିନିଧିବୃନ୍ଦ ମଧ୍ୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ଚୟନ କରାଯାଇଥିବାର ପ୍ରଚ୍ଛଦରେ ରହିଛି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ, ସଫଳ ଏବଂ ସୁଦୃଢ଼ ପଦକ୍ଷେପ। ବିଶେଷକରି ବାତ୍ୟା ପରିଚାଳନା, ଗୋଷ୍ଠୀ-ଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡିଶା ଅନ୍ତର୍ଜାତୀୟସ୍ତରରେ ପ୍ରଶଂସିତ ହୋଇଆସିଛି।

ଏହି ବୈଠକ ପରିପ୍ରେକ୍ଷୀରେ ଅନ୍ୟାନ୍ୟ ଦେଶର ସମସ୍ତ ପ୍ରତିନିଧିମାନେ ରାଜ୍ୟର ଅତିଥି ହୋଇଥିବାରୁ ସେମାନଙ୍କର ଯେପରି କୌଣସି ଅସୁବିଧା ନ ହୁଏ ସେଥିପ୍ରତି ଯତ୍ନବାନ୍ ହେବାକୁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିନିଧିମାନଙ୍କ ସହ ସ୍ଵତନ୍ତ୍ର ଭାବେ ଯୋଗସୂତ୍ର ଅଧିକାରୀ ନିୟୋଜିତ କରିବାକୁ ମଧ୍ୟ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।

BRICS ରାଷ୍ଟ୍ରସମୂହଙ୍କୁ ନେଇ ଏପରି ଏକ ବୈଷୟିକ ସମ୍ମିଳନୀ ପୁରୀଠାରେ ଅୟୋଜିତ ହେବା ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟସ୍ତରରେ ପ୍ରଚାରିତ କରିବା ସହ ବିଶ୍ବସ୍ତରରେ ଓଡ଼ିଶାର ଛବିକୁ ଆହୁରି ସମୃଦ୍ଧ କରିବ ।

-0-

ଅଂଶୁମାନ ସାହୁ ,ଲୋକସମ୍ପର୍କ ଅଧିକାରୀ ,ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଙ୍କ ସୌଜନ୍ୟ ରୁ

Leave a Reply

Your email address will not be published. Required fields are marked *