ମହିଳା ସାମ୍ବାଦିକ ଙ୍କୁ ପୂର୍ବତନ ମନ୍ତ୍ରୀ ଙ୍କ କୁକୁର ଲଗାଇବା ଘଟଣାର ନିନ୍ଦାକଲା ଏସ ୟୁ ଜେ 

କଟକ, ୨୭/୬/୨୦୨୪ ( ଓଡିଶା ସମାଚାର/ ଅଭୟ ଜେନା )-ଗତ ଗୁରୁବାର ଦିନ ଭୁବନେଶ୍ବର ରେ ଖବର ସଂଗ୍ରହ ବେଳେ ଏକ ବୈଦୁତିକ ଗଣମାଧ୍ୟମ ର ମହିଳା ସାମ୍ବାଦିକ ଙ୍କୁ ପୂର୍ବତନ ମନ୍ତ୍ରୀ ରଘୁନନ୍ଦନ ଦାସ କୁକୁର ଲଗାଇବା ଘଟଣା ନେଇ ଷ୍ଟେଟ ୟୁନିଅନ ଅଫ୍ ଜର୍ନାଲିଷ୍ଟସ (ଏସୟୁଜେ) ଓଡ଼ିଶା ଉଦବେଗ ପ୍ରକାଶ କରିଛି।ଏ ନେଇ ସଂଗଠନ ପକ୍ଷରୁ ଯାଜପୁର ଟାଉନ୍ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀ ରେ କୁହାଯାଇଛି ଯେ ମହିଳା ସାମ୍ବାଦିକ ଚିନ୍ମୟୀ ସାହୁ ଏବଂ ଭିଡିଓ ଜର୍ଣାଲିଷ୍ଟ ଉମେଶ ମହାରଣା ରାଜ୍ୟ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଙ୍କ ସରକାରୀ ବାସଭବନ ରେ ଚାଲିଥିବା ଭଙ୍ଗା ରୁଜା କାର୍ଯ୍ୟ ର ଦୃଶ୍ୟ ଉତ୍ତୋଳନ ପାଇଁ ନିକଟରେ ଥିବା ପୂର୍ବତନ ମନ୍ତ୍ରୀ ଶ୍ରୀ ଦାସ ଙ୍କ ସରକାରୀ ବାସଭବନ ପରିସର କୁ ଯାଇଥିଲେ। ଖବର ସଂଗ୍ରହ ବେଳେ ସାମ୍ବାଦିକା ଚିନ୍ମୟୀ ଙ୍କ ଉପରକୁ କୁକୁର ଛାଡିଥିବା ଅଭିଯୋଗ ହୋଇଛି। ଜଣେ ବରିଷ୍ଠ ରାଜନେତା ତଥା ପୂର୍ବତନ ସୂଚନା ଓ ଲୋକସମ୍ପର୍କ ବିଭାଗ ମନ୍ତ୍ରୀ ଶ୍ରୀ ଦାସ ଙ୍କ ଏପରି ଅମାନବୀୟ ଆଚରଣ କୁ  ଏସୟୁଜେ ଓଡ଼ିଶା ନିନ୍ଦା କରିଛି। ଏଥି ସହିତ ଘଟଣା ର ନିରପେକ୍ଷ ତଦନ୍ତ କରି ଦୋଷୀ ଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛି ସଂଗଠନ। ଅନ୍ୟପକ୍ଷରେ  ରାଜ୍ୟ ରେ ବିଭିନ୍ନ  ସ୍ଥାନରେ ବିଭିନ୍ନ ସମୟରେ ସାମ୍ବାଦିକ ମାନଙ୍କ ଉପରେ ଆକ୍ରମଣ ଏକ ସାଧାରଣ ଘଟଣା ହୋଇଛି। ଏପରି ସ୍ଥଳେ ରାଜ୍ୟ ସରକାର ସାମ୍ବାଦିକ ମାନଙ୍କ ସୁରକ୍ଷା ନିମନ୍ତେ ଆଇନ୍ ପ୍ରଣୟନ କରିବାକୁ ଏହି ସାମ୍ବାଦିକ ସମ୍ମିଳନୀରେ ଏସୟୁଜେ ଓଡ଼ିଶା  ରାଜ୍ୟ ସଭାପତି କୈଳାଶ ଚନ୍ଦ୍ର ନାୟକ ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମ ରେ ଏସୟୁଜେ ଓଡ଼ିଶା ର ରାଜ୍ୟ ମୁଖ୍ୟ କାର୍ଯ୍ୟନିର୍ବାହୀ ଶଶୀଭୂଷଣ ଷଡ଼ଙ୍ଗୀ ଓ ଯାଜପୁର ଜିଲ୍ଲା ଶାଖା ସଭାପତି ସୁବାଷ ଧଳ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *