କଟକ,୨୫/୦୫/୨୦୨୬ (ଓଡ଼ିଶା ସମାଚାର)- ସ୍ଥାନୀୟ ଡଗରପଡ଼ା ଅଂଚଳରେ ସର୍ବସାଧାରଣଙ୍କ ସୁବିଧା ପାଇଁ ଏକ ସ୍ୱଚ୍ଛ ଓ ଥଣ୍ଡା ପାନୀୟ ଜଳ ପ୍ରକଳ୍ପ ଉଦଘାଟିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ଯୋଗଦେଇ ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦ୍ଧୋଷ ଏହି ପ୍ରକଳ୍ପକୁ ଜନସାଧାରଣଙ୍କ ଉଦ୍ଧେଶ୍ୟରେ ଉତ୍ସର୍ଗ କରିଛନ୍ତି । ବିଧାୟିକାଙ୍କ ଆଂଚଳିକ ଉନ୍ନୟନ ପାଣ୍ଠିରୁ ନିର୍ମିତ ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ବସଷ୍ଟପ୍ କୁ ଆସୁଥିବା ଯାତ୍ରୀ ଏବଂ ନିକଟସ୍ଥ ପ୍ରସିଦ୍ଧ ହନୁମାନ ମନ୍ଦିରକୁ ଦର୍ଶନ ପାଇଁ ଆସୁଥିବା ଶ୍ରଦ୍ଧାଳୁମାନେ ବିଶେଷ ଭାବେ ଉପକୃତ ହୋଇପାରିବେ ।
ଉତ୍ସବରେ ଅନ୍ୟତମ ସମ୍ମାନିତ ଅତିଥି ଭାବେ ବରିଷ୍ଠ ନେତ୍ରୀ ଗିରିବାଳା ବେହେରା ଉପସ୍ଥିତ ରହି ବିଧାୟିକାଙ୍କ ଏହି ଜନହିତକର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ । ପ୍ରଖର ଗ୍ରୀଷ୍ମ ପ୍ରବାହ ସମୟରେ ଏହି ଜଳ ପ୍ରକଳ୍ପଟି ସାଧାରଣ ପଥଚାରୀ ଓ ସ୍ଥାନୀୟ ଲୋକଙ୍କ ତୃଷ୍ଣା ମେଂଟାଇବାରେ ଏକ ପ୍ରମୁଖ ମାଧ୍ୟମ ସାଜିବ ବୋଲି ଅତିଥିମାନେ ମତବ୍ୟକ୍ତ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ମହାବୀର ଅନୁଷ୍ଠାନର ସଭାପତି ଆଲୋକ କୁମାର ଦାସ, ସମ୍ପାଦକ ଅଭୟ କୁମାର ବେହେରା, ମେନକା ଦାସ, ସନ୍ତୋଷ ମାଳିଆ, ଅଲେଖ ପରିଡା, ସୂରଜିତ ସାହୁ, ସେକ ବାବଜାନି ଓ ବିଶ୍ୱ ରଞ୍ଜନ ପ୍ରମୁଖ ଉପସ୍ଥିତ ଥିଲେ ।
