୧୦ ଅଟୋ ଆମ୍ବୁଲାନ୍ସ ଲୋକାର୍ପିତ

ଭୁବନେଶ୍ୱର,୨୫/୦୫/୨୦୨୬(ଓଡ଼ିଶା ସମାଚାର/ଦୀପ୍ତିରଂଜନ କାନୁନଗୋ)-ରାଜଧାନୀର ପଳାଶୁଣୀ ସ୍ଥିତ ମା’ ଭବାନୀ ରିସର୍ଟ ପରିସରରେ ରବିବାର ଦିନ ଏକ ନିଃଶୁଳ୍କ ଅଟୋ ଆମ୍ବୁଲାନ୍ସ ସେବା ଲୋକାର୍ପିତ ହୋଇଛି । ପୂର୍ବତନ ରାଜ୍ୟସଭା ସାଂସଦ ଡ଼. ଅମର ପଟ୍ଟନାୟକଙ୍କ କରକମଳରେ ଏହି ଜନହିତକର ଜରୁରୀକାଳୀନ ସେବାର ଶୁଭାରମ୍ଭ କରାଯାଇଛି । ଏହି ଅବସରରେ ରାଜ୍ୟର ବିଭିନ୍ନ ଅନୁଷ୍ଠାନ ଓ ସ୍ୱେଚ୍ଛାସେବୀ ସଂଗଠନକୁ ଏହି ଆମ୍ବୁଲାନ୍ସ ସେବା ପ୍ରଦାନ ପାଇଁ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ୧୦ଟି ଅଟୋ ଆମ୍ବୁଲାନ୍ସ ଯୋଗାଇ ଦିଆଯାଇଛି ।

ପୂର୍ବତନ ସାଂସଦ ଡ଼. ଅମର ପଟ୍ଟନାୟକଙ୍କ ବ୍ୟକ୍ତିଗତ ପାଣ୍ଠିର ସଦୁପଯୋଗରେ ଏହା କରାଯାଇଥିବା ବେଳେ ଏହା ସମ୍ପୂର୍ଣ୍ଣ ଭାବେ ଅସହାୟ, ଗରିବ ଏବଂ ନିରୀହ ଜନତାଙ୍କ ଜୀବନ ରକ୍ଷା ଓ ସେବା ପାଇଁ ଉତ୍ସର୍ଗୀକୃତ ହୋଇଛି । ଏହି ସମଗ୍ର ମହତ କାର୍ଯ୍ୟକ୍ରମକୁ ସଫଳତାର ସହ ପରିଚାଳନା ପାଇଁ ରୋଟାରୀ ଜିଲା ୩୨୬୨ର ବିଭିନ୍ନ କ୍ଲବର ସଦସ୍ୟ ତଥା ପ୍ରାକ୍ତନ ପ୍ରାନ୍ତପାଳ ରୋଟାରିୟାନ ଜୟଶ୍ରୀ ମହାନ୍ତି, ରୋଟାରିୟାନ ଯଜ୍ଞାଶିଷ ମହାପାତ୍ର ଏବଂ ଅନ୍ୟାନ୍ୟ ସମସ୍ତ କର୍ମକର୍ତା ସହଯୋଗର ହାତ ବଢ଼ାଇଥିଲେ ।

ସୂଚନାଯୋଗ୍ୟ ଯେ, ସହରର ଅନେକ ସଂକୀର୍ଣ୍ଣ ଗଳି କିମ୍ବା ଦୁର୍ଗମ ଗ୍ରାମାଂଚଳକୁ ଜରୁରୀକାଳୀନ ସେବା ଯୋଗାଉଥିବା ବଡ଼ ‘୧୦୮’ ଆମ୍ବୁଲାନ୍ସ ପ୍ରବେଶ କରିବା ପାଇଁ ଅନେକ ସମୟରେ ଅସମର୍ଥ ହୋଇଥାଏ । ସେଭଳି ସ୍ଥିତିରେ ଏହି ଛୋଟ ଅଟୋ ଆମ୍ବୁଲାନ୍ସଗୁଡ଼ିକ ଅତି ସହଜରେ ଓ ଦ୍ରୁତ ଗତିରେ ସେହିସବୁ ସ୍ଥାନରେ ପହଂଚି ସାଧାରଣ ଲୋକଙ୍କୁ ତୁରନ୍ତ ଚିକିତ୍ସା ସେବା ଯୋଗାଇ ପାରିବ ।

Leave a Reply

Your email address will not be published. Required fields are marked *