ସହିଦ୍ ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଆଠଗଡ଼,୨୫/୦୫/୨୦୨୬ (ଓଡ଼ିଶା ସମାଚାର)-ଦେଶର ବୀର ସୈନିକ ତଥା ଆଠଗଡ଼ ମାଟିର ସୁପୁତ୍ର ଜନକ କୁମାର ସ୍ୱାଇଁ ଙ୍କ ବୀରଗତି ପ୍ରାପ୍ତି ଖବର ଆସିବାରେ ସମଗ୍ର ଅଂଚଳକୁ ଶୋକସାଗରରେ ଡୁବାଇ ଦେଇଛି । ତାଙ୍କୁ ତାଙ୍କର ନିଜସ୍ୱ ଗ୍ରାମ ରେଗଏଡପଡା ଠାରେ ଦିଆଯାଇଛି ଭାବପୂର୍ଣ୍ଣ ବିଦାୟ । ଦେଶ ମାତୃକାର ସେବା ଓ ସୁରକ୍ଷା ପାଇଁ ଜାମୁ-କାଶ୍ମୀ ଲଦାଖର ଲେହର କଠିନ ବରଫାବୃତ ଅଂଚଳରେ ନିଜ ଜୀବନକୁ ହାରି ଦେଇଛନ୍ତି ଏହି ବୀର ଯୋଦ୍ଧା । ତାଙ୍କର ଅତୁଳନୀୟ ସାହସ, ତ୍ୟାଗ ଓ ଦେଶପ୍ରେମ ଲାଗି ତାଙ୍କ ମରଶରୀରକୁ ଦର୍ଶନ କରିବା ପାଇଁ ଛୁଟି ଆସିଛନ୍ତି ଶହଶହ ଶୁଭେଛୁ ।

ଯେତେବେଳେ ତାଙ୍କର ମରଶରୀର ଆଠଗଡ଼ ଥାନା ଅନ୍ତର୍ଗତ ନିଜସ୍ୱ ଗ୍ରାମ ରାଗେଡାପଡା ଗାଁରେ ପହଂଚିଥିଲା, ସମଗ୍ର ଗାଁର ପରିବେଶ ଭାବବିହ୍ୱଳ ହୋଇଉଠିଥିଲା । ଭାରତୀୟ ସୈନ୍ୟ ବାହିନୀ ଓ ଓଡ଼ିଶା ପୋଲିସ ପକ୍ଷରୁ ବୀର ସୈନିକଙ୍କୁ ଗାର୍ଡ ଅଫ୍ ଅନର୍ ପ୍ରଦାନ କରାଯାଇଥିଲା । ଆଠଗଡ଼ ଉପଜିଲାପାଳ ପ୍ରହଲ୍ଲାଦ ନାରାୟଣ ଶର୍ମା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ବିଶ୍ୱଜିତ୍ ମହାନ୍ତି, ଆଠଗଡ଼ ଥାନା ଅଧିକାରୀ ସୁମତୀ କୁମାରୀ ମହାନ୍ତି, ଅବସରପ୍ରାପ୍ତ ସେନା କର୍ମଚାରୀ ଏବଂ ଅନେକ ଗଣ୍ୟମାନ୍ୟ ବ୍ୟକ୍ତି ତାଙ୍କ ପାର୍ଥôବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । ଯେଉଁ ପଡ଼ିଆରେ ଦିନେ ଜନକ ଖେଳିଥିଲେ, ଦୌଡ଼ିଥିଲେ, ନିଜ ସ୍ୱପ୍ନକୁ ସାକାର କରିବାକୁ କଠିନ ପରିଶ୍ରମ କରିଥିଲେ, ସେହି ପଡ଼ିଆ ତାଙ୍କ ଶେଷ ବିଦାୟର ସାକ୍ଷୀ ହୋଇଥିଲା ।

ସେ କେବଳ ନିଜେ ସେନାରେ ଯୋଗ ଦେଇନଥିଲେ, ବରଂ ଅନେକ ଯୁବକଙ୍କୁ ମଧ୍ୟ ପ୍ରେରଣା ଦେଇ ସେହି ପଡ଼ିଆରୁ ଦେଶସେବାର ପଥକୁ ଆଗେଇ ନେଇଥିଲେ । ସେହି ପଡ଼ିଆ ଗଢ଼ିବାରେ ମଧ୍ୟ ତାଙ୍କର ଅବଦାନ ଅପରିସୀମ ଥିଲା । ସମସ୍ତଙ୍କ ସହ ତାଙ୍କର ଅତ୍ୟନ୍ତ ଭଲ ସମ୍ପର୍କ ଥିଲା । ହସମୁଖ, ମିଳନସାର ଓ ସହଯୋଗୀ ସ୍ୱଭାବ ପାଇଁ ସେ ସମସ୍ତଙ୍କ ପ୍ରିୟ ଥିଲେ । ଜନକ ଘରର ଏକମାତ୍ର ରୋଜଗାରିଆ ପୁଅ ଥିଲେ । ତାଙ୍କ ବିୟୋଗ ପରେ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗିପଡ଼ିଛି । ତେଣୁ ତାଙ୍କ ପରିବାରକୁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *