ଢେଙ୍କାନାଳ ଜିଲା ସାମ୍ବାଦିକ ସଂଘ ସାଧାରଣ ପରିଷଦ ବୈଠକ

-ଖବରଦାତା ମାନେ ଖବର ପରିବେଷଣ ବେଳେ ଯତ୍ନବାନ ହୁଅନ୍ତୁ
ଢେଙ୍କାନାଳ,୨୪/୦୫/୨୦୨୬ (ଓଡ଼ିଶା ସମାଚାର)- ଜିଲା ସାମ୍ବାଦିକ ସଂଘ ଢେଙ୍କାନାଳ ପକ୍ଷରୁ ରବିବାର ପୁରୁଣା ଜିଲା ପରିଷଦ ହଲଠାରେ ସଂଘର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲାପାଳ ଆଶିଷ ଇଶ୍ୱର ପାଟିଲ କାର୍ୟ୍ୟକ୍ରମକୁ ଉଦଘାଟନ କରି କହିଲେ ଯେ, ସରକାର, ପ୍ରଶାସନ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ସ୍ଥାପନ କରିବାରେ ଗଣମାଧ୍ୟମ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ।

ତେଣୁ ପରସ୍ପର ମଧ୍ୟରେ ସମନ୍ୱୟର ଏକାନ୍ତ ଜରୁରୀ । ଖବରଦାତା ମାନେ ଖବର ପରିବେଷଣ କରିବା ବେଳେ ନୀତି ଓ ଆଦର୍ଶକୁ ନେଇ ଯତ୍ନବାନ ହେବାକୁ ଜିଲାପାଳ ପରାମର୍ଶ ଦେଇଥିଲେ । ମୁଖ୍ୟବକ୍ତା ଭାବେ ଯୋଗଦେଇ ଏସ୍ ପି ଅଭିନବ ସୋନକର କହିଲେ ଯେ, ଗଣମାଧ୍ୟମ ହିଁ ବିଭିନ୍ନ ଖବରକୁ ଲୋକ ଲୋଚନକୁ ଆଣିଥାଏ । ସମାଜର ବିଭିନ୍ନ ସମସ୍ୟାକୁ ଗଣମାଧ୍ୟମର ପ୍ରତିନିଧିମାନେ ସରକାର, ପୋଲିସ ଓ ପ୍ରଶାସନର ଦୃଷ୍ଟିକୁ ଆଣିଥାନ୍ତି ବୋଲି ଏସ୍ ପି କହିଥିଲେ । ଏହି ଅବସରରେ ସଂଘର ନିର୍ବାଚନ ଅଧିକାରୀ ସୁକାନ୍ତ ମିଶ୍ର ୪ବର୍ଷ ପାଇଁ ସଂଘର କର୍ମକର୍ତା ନିର୍ବାଚନ ବିବରଣୀ ପ୍ରଦାନ କରିଥିଲେ । ସର୍ବ ସମ୍ମତି କ୍ରମେ ସଭାପତି ଭାବେ ପୁଣିଥରେ ବରିଷ୍ଠ ଖବରଦାତା ପ୍ରସନ୍ନ କୁମାର ପଟ୍ଟନାୟକ, ସମ୍ପାଦକ ଭାବେ ସତ୍ୟ ସ୍ୱରୁପ ଦାସ ଓ କୋଷାଧ୍ୟକ୍ଷ ଭାବେ ବିନୋଦ ମହାନ୍ତି ଦ୍ୱିତୀୟଥର ପାଇଁ ନିର୍ଦନ୍ଦ୍ୱରେ ନିର୍ବାଚିତ ହୋଇଥିଲେ ।

ଘୋଷଣା ପରେ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସମ୍ପାଦକ ସତ୍ୟ ସ୍ୱରୁପ ଦାସ ଧନ୍ୟବାଦ ପ୍ରଦାନ କରିଥିଲେ । ପରବର୍ତି ଅଧିବେସନରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ସବୁ ପ୍ରତିରୋଧ ସତ୍ୱେ ଗଣମାଧ୍ୟମର ପ୍ରତିନିଧିମାନେ ନିର୍ଭିକତା ମଧ୍ୟରେ ସେମାନଙ୍କର ଦାୟିତ୍ୱ ନିର୍ବାହ କରିବା ପାଇଁ ଆହ୍ୱାନ ଦେଇଥିଲେ । ମୁଖ୍ୟବକ୍ତା ଭାବେ ବିଶିଷ୍ଟ ଯୁବ ସମାଜସେବୀ ଡା. ଅବିନାଶ ସାମଲ କହିଲେ ଯେ, ଦେଶର ୩ଟି ସ୍ତମ୍ବ ପରେ ଗଣମାଧ୍ୟମ ୪ର୍ଥ ସ୍ତମ୍ବ ଭାବେ ସମାଜର ଜାଗ୍ରତ ପ୍ରହରୀ ଭାବେ କାର୍ୟ୍ୟ କରୁଛି । ତେଣୁ ସେମାନଙ୍କର ସୁରକ୍ଷା ସହିତ ଜୀବନ ଜୀବିକା ଉପରେ ସରକାର ପଦକ୍ଷେପ ନେବା ଜରୁରୀ । ସମ୍ମାନିତ ଅତିଥି ଭାବେ ଜିଲା ଓକିଲ ସଂଘ ସଭାପତି ଗୋପାଳଚନ୍ଦ୍ର ପାତ୍ର, ପୂର୍ବତନ ସଭାପତି ଶିବସାଈ ମହାପାତ୍ର, ସମାଜସେବୀ ରାଜକିଶୋର ବେହେରା ଓ କୁଲଦିପ ରଥ ପ୍ରମୁଖ ମଂଚାସୀନ ଥିଲେ ।

ନିର୍ବାଚନ ଅଧିକାରୀ ସୁକାନ୍ତ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଅତିଥିମାନେ ନୂତନ ସଭାପତି ପ୍ରସନ୍ନ କୁମାର ପଟ୍ଟନାୟକ, ସମ୍ପାଦକ ସତ୍ୟ ସ୍ୱରୁପ ଦାସ ଓ କୋଷାଧ୍ୟକ୍ଷ ବିନୋଦ ମହାନ୍ତିକୁ ଶପଥପାଠ କରାଇଥିଲେ । ରାଜଶ୍ରୀ ଶତପଥୀ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ସଦର ମହକୁମା ସମେତ ବିଭିନ୍ନ ବ୍ଲକରୁ ଆସିଥିବା ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ଶିଶିର ଶତପଥୀ, ଆଦିତ୍ୟ ପଣ୍ଡା, ହିମାଂଶୁ ସାହୁ, ହୃଦୟବହ୍ଲବ ମିଶ୍ର, ରାକେଶ ଦେହୁରୀ, ରାଜେଶ ଦେହୁରୀ, ନବକିଶୋର ସାହୁ, ରବିନାରାୟଣ ବେହେରା, ଗୌତମ ରାଉତ, ପୂର୍ଣ୍ଣଚନ୍ଦ୍ର ସାହୁ, ବିପିନ ବିହାରୀ ସେଠି, ବିକ୍ରମ ସାହୁ, ସରୋଜ ଶତପଥୀ, ପ୍ରଦୀପ ଦାସ, ପୁଷ୍ପଲତା ସାମଲ, ବିକାଶ ପଣ୍ଡା, ଆଶିଷ ଶତପଥୀ, ଦୀପକ ପଟ୍ଟନାୟକ, ବିଶ୍ୱନାଥ ବେହେରା, ଅମୀୟ କୁମାର ଚାନ୍ଦ, ବିଜ୍ଞାନ ମହାନ୍ତି ପ୍ରମୁଖ ଉଦବୋଧନ ପ୍ରଦାନ କରିଥିବା ବେଳେ ଅରବିନ୍ଦ ସାହୁ ଧନ୍ୟବାଦ ପ୍ରଦାନ କରିଥିଲେ । ସମସ୍ତ କାର୍ୟ୍ୟକ୍ରମକୁ ବରିଷ୍ଠ ଖବରଦାତା କବି ଅଥୟ କୁମାର ସାହୁ ପରିଚାଳନା କରିଥିଲେ । ପରବର୍ତି କାର୍ୟ୍ୟକାରୀ କମିଟି ବୈଠକ ଜୁନ୍ ୧୦ତାରିଖରେ ଭୁବନ ବ୍ଲକରେ ଅନୁଷ୍ଠିତ ହୋଇ ଅନ୍ୟ ସମସ୍ତ କର୍ମକର୍ତାଙ୍କ ନାମ ତାଲିକା ଘୋଷଣା କରାଯିବ ବୋଲି ସୂଚନା ଦିଆଯାଇଥିଲା ।

Leave a Reply

Your email address will not be published. Required fields are marked *