ସମାବେଶ ୨୦୨୫- ବିକାଶର ଏକ ଭିନ୍ନ ପ୍ରୟାସ
ଭୁବନେଶ୍ୱର,୨୦/୦୨/୨୦୨୫ (ଓଡ଼ିଶା ସମାଚାର/ରଜତ ମହାପାତ୍ର)- ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ (ଏସଏସଇପିଡି), ଓଡ଼ିଶା ସରକାରଙ୍କ ସହାୟତାରେ, ଏନଏବି ଇଣ୍ଡିଆ ସେଂଟର ଫର ବ୍ଲାଇଣ୍ଡ ଓମେନ, ଦିଲ୍ଲୀ ଏବଂ ସ୍କିଲ୍ କାଉନସିଲ୍ ଫର ପରସନ୍ସ ୱିଥ୍ ଡିସ ଆବିଲିଟିର (ଏସସିପିଡବ୍ଲୁ୍ୟଡି) ମିଳିତ ଆନୁକୂଲ୍ୟରେ ଭୁବନେଶ୍ୱରରେ ଏକ ଜାତୀୟ ସମ୍ମିଳନୀ- “ସମାବେଶ ୨୦୨୫’ ଅନୁଷ୍ଠିତ ହୋଇଯାଇଛି । ଦିବ୍ୟାଙ୍ଗ ଭାଇଭଉଣୀମାନଙ୍କ ଦକ୍ଷତାକୁ କିଭଳି ବିକଶିତ କରାଯାଇ ସେମାନଙ୍କୁ ଆର୍ଥିକ ଭାବେ ସଶକ୍ତ କରିବା ଲକ୍ଷ୍ୟ ନେଇ କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା । ଓଡ଼ିଶା ସରକାରଙ୍କ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ଶ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ମୁଖ୍ୟଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।
ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଥିଲେ ଯେ, ବର୍ତମାନ ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରାଧାନ୍ୟ ଦେଉଛନ୍ତି । ମାନ୍ୟବର ପ୍ରଧାନମନ୍ତ୍ରୀ ଙ୍କ ‘ସବ୍ କା ସାଥ୍ ସବ୍ କା ବିକାଶ ସବ୍ କା ପ୍ରୟାସ’ ମନ୍ତ୍ରକୁ ପାଥେୟ କରି କିଭଳି ସମସ୍ତ ବର୍ଗର ବିକାଶ ହେବ ତାହା ଉପରେ ଗୁରୁତ୍ୱ ଦେଇ ଯୋଜନା ପ୍ରସ୍ତୁତ କରାଯାଉଛି । ଯୁବକ ଯୁବତୀମାନଙ୍କୁ ପ୍ରଶିକ୍ଷଣ ଦେବା ସହ ଦୃଷ୍ଟିବାଧିତଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ ମାଧ୍ୟମରେ ଆତ୍ମନିର୍ଭର କରାଯାଉଛି ।
ସ୍କିଲ୍ କାଉନସିଲ୍ ଫର ପରସନ୍ସ ୱିଥ୍ ଡିସାବିଲିଟିକୁ କେବଳ ଦୃଷ୍ଟିହୀନମାନଙ୍କୁ ତାଲିମ ଦେବା ପାଇଁ ନୁହେଁ, ବରଂ ସହାୟକ ପ୍ରଯୁକ୍ତିବିଦ୍ୟା ସହାୟତାରେ ଦୃଷ୍ଟିବାଧିତଙ୍କ ଦକ୍ଷତା ଏବଂ ନିଯୁକ୍ତି ବିଷୟରେ ସଚେତନତା ଅଣି ଓଡ଼ିଶାର ବ୍ୟବସାୟ କ୍ଷେତ୍ରରେ ଅନ୍ତର୍ଭୁକ୍ତ କରିବା ପାଇଁ ଏକ ରୋଡ ମ୍ୟାପ୍ ପ୍ରସ୍ତୁତ କରିବା ପାଇଁ ଓଡ଼ିଶା ସରକାର ଦାୟିତ୍ୱ ଦେଇଛନ୍ତି । ଜଟଣୀ ଆଇଟିଆରେ ଏହି ଭିନ୍ନକ୍ଷମ ମାନଙ୍କୁ ମାନୁ୍ୟଫାକ୍ଚରିଂ, ଆଇଟି, ଆପାରେଲ୍, ଗାରମେଣ୍ଟସ୍, ହେଲ୍ଥ ୍କେୟାର, ଫିଜିଓ ଥେରାପି ଭଳି ବିଭିନ୍ନ କ୍ଷେତ୍ରରେ ତାଲିମ ଦିଆଯାଇ ନିଯୁକ୍ତି ଦିଆଯାଉଛି ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମତୀ ନିୟତି ପଟ୍ଟନାୟକ, ନିର୍ଦ୍ଧେଶିକା, ଏସଏସଇପିଡି, ଶ୍ରୀମତୀ ରଶ୍ମିତା ପଣ୍ଡା, ନିର୍ଦ୍ଧେଶିକା, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା, ଶାଳିନୀ ଖାନ୍ନା, ଅଧ୍ୟକ୍ଷା, ଏସସିପିଡବ୍ଲୁ୍ୟଡି, ସିଆଆଇ ମୁଖ୍ୟ ପ୍ରଦୀପ୍ତ ମହାନ୍ତି, ଟାଟାର ସିଏସଆର ମୁଖ୍ୟ ଅମ୍ବିକା ପ୍ରସାଦ ନନ୍ଦ ଏହି ସମ୍ମିଳନୀରେ ଯୋଗ ଦେଇଥିଲେ । ସ୍କିଲ୍ କାଉନସିଲ୍ ଫର ପରସନ୍ସ ୱିଥ୍ ଡିସାବିଲିଟି ର ଅଧ୍ୟକ୍ଷା ଶାଲିନୀ ଖାନ୍ନା କହିଛନ୍ତି ଯେ, ଏନଏବି ଇଣ୍ଡିଆ ସେଣ୍ଟର ଫର୍ ବ୍ଲାଇଣ୍ଡ ୱିମେନ୍ ଆଣ୍ଡ ଡିସାବିଲିଟି ଷ୍ଟଡିଜ୍ ଦ୍ୱାରା ଓଡ଼ିଶାର ସ୍ୱତନ୍ତ୍ର ଆଇଟିଆଇ ରେ ଦୃଷ୍ଟିହୀନ ବ୍ୟକ୍ତିମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ବ୍ୟବସ୍ଥା କରାଯାଇଛି ।
ନଭେମ୍ବର ୨୦୨୪ ରେ ଆରମ୍ଭ ହୋଇଥିବା ଏହି ବିବିଧତା ଏବଂ ଅନ୍ତର୍ଭୁକ୍ତିକରଣ ପ୍ରୟାସର ଲକ୍ଷ୍ୟ ହେଉଛି ପ୍ରତିବର୍ଷ ପ୍ରାୟ ୧୦୦ ଜଣ ଦୃଷ୍ଟିହୀନ ଯୁବକଙ୍କୁ ତାଲିମ ଦେବା, ସେମାନଙ୍କୁ ମୁଖ୍ୟଧାରାର କାର୍ଯ୍ୟ ପରିବେଶରେ ସାମିଲ ହେବା ପାଇଁ ସଶକ୍ତ କରିବା । ପ୍ରଥମ ପର୍ଯ୍ୟାୟରେ ୩୦ ଜଣ ଦୃଷ୍ଟିବାଧିତ ଯୁବକ ଯୁବତୀଙ୍କୁ ଭୁବନେଶ୍ୱରର ସ୍ପେଶାଲ୍ ଆଇଟିଆଇ ରେ ଟ୍ରେଡର, ୱେୟାରହାଉସ୍ ପ୍ୟାକିଂ, ଆସିଷ୍ଟାଣ୍ଟ ସ୍ପା ଥେରାପିଷ୍ଟ ଏବଂ ସ୍ୱାସ୍ଥ୍ୟ ପରୀକ୍ଷକ ଭାବରେ ତାଲିମ ଦିଆଯାଉଛି ।
ଏହି ଜାତୀୟ ସମ୍ମିଳନୀରେ ଚାରୋଟି ଅଧିବେଶନରେ ଦୃଷ୍ଟିବାଧିତମାନଙ୍କ ଦକ୍ଷତା ବୃଦ୍ଧି ନିଯୁକ୍ତି ନେଇ ଆଲୋଚନା ହୋଇଥିଲା । ସିଆଇଆଇ ଭଳି ବିଭିନ୍ନ ଉଦ୍ୟୋଗରୁ ଆସିଥିବା ମୁଖ୍ୟମାନେ ଏଥିରେ ସାମିଲ ହୋଇ ଏହାକୁ ଅଧିକ ବ୍ୟାପକ କରାଯିବା ଉପରେ ଗୁରୁତ୍ୱ ଦିଆଯିବ । ଓଡ଼ିଶା ସରକାରଙ୍କ ଏସଏସଇପିଡି ବିଭାଗ ପକ୍ଷରୁ ଦୃଷ୍ଟିବାଧିତ ଛାତ୍ରଛାତ୍ରୀମାନଙ୍କୁ ତାଲିମ ଦେବା ସହ ସେମାନଙ୍କୁ ଆର୍ଥିକ ସହାୟତା, ପେନସନ୍ ଭଳି ଯୋଜନା କାର୍ଯ୍ୟକାରୀ କରାଯାଇଛି । ଏହି ଅବସରରେ ଭିନ୍ନକ୍ଷମ ଯୁବକଯୁବତୀମାନଙ୍କ ଦ୍ୱାରା ପ୍ରସ୍ତୁତ ଚକୋଲେଟ, କେକ୍, ଗୃହ ସାଜ ଉପକରଣ ଆଦି ବିଭିନ୍ନ ହାତ ତିଆରି ସାମଗ୍ରୀର ପ୍ରଦର୍ଶନ କରାଯାଇଥିଲା ।
