ରାଜଧାନୀରେ ନକଲି ଜାତୀୟ ତଦନ୍ତ ସଂସ୍ଥା ଅଫିସର୍

ଭୁବନେଶ୍ୱର,୨୩/୦୫/୨୦୨୬ (ଓଡ଼ିଶା ସମାଚାର /ଦୀପ୍ତିରଂଜନ କାନୁନଗୋ)-ରାଜଧାନୀ ଭୁବନେଶ୍ୱରରେ ନକଲି ଜାତୀୟ ତଦନ୍ତ ସଂସ୍ଥା ଅଧିକାରୀକୁ ମାଡିବସିଛି ପୁଲିସ । ଥାନାରେ ଦଲାଲି କରିବାକୁ ଆସି ଶେଷରେ ଧରାପଡିଛି ଜଣେ ଶଠ । ଥାନାକୁ ଆସି ମିଛ ମାମଲା ରୁଜୁ କରିବା ପାଇଁ ପୁଲିସ ଉପରେ କ୍ରମାଗତ ଭାବେ ଚାପ ପକାଉଥିଲା । ତେବେ ଶେଷରେ ଖାରବେଳନଗର ଥାନା ପୁଲିସ ହାତରେ ଏହି ଚାଲାକ ଠକ ଧରାପଡ଼ିଛି । ଗିରଫ ଅଭିଯୁକ୍ତର ନାଁ ଆଶିଷ ରେଡି ଏବଂ ସେ ପଶ୍ଚିମବଙ୍ଗର ବୋଲି ପ୍ରାଥମିକ ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ, ଜଣେ ମହିଳାଙ୍କ ଗଣଦୁଷ୍କର୍ମ ଅଭିଯୋଗକୁ ନେଇ ଥାନାରେ ଦଲାଲି କରିବା ଉଦ୍ଧେଶ୍ୟରେ ଅଭିଯୁକ୍ତ ଆଶିଷ ଆସିଥିଲା ।

ନିଜକୁ ଜାତୀୟ ତଦନ୍ତ ସଂସ୍ଥାର ଅଫିସର ପରିଚୟ ଦେଇ ସେ ପୁଲିସକୁ କଡ଼ା ଧମକଚମକ ମଧ୍ୟ ଦେଉଥିଲା । ଚଳଚ୍ଚିତ୍ର ଶୈଳୀରେ ଜାତୀୟ ତଦନ୍ତ ସଂସ୍ଥାର ପ୍ରତୀକ ଚିହ୍ନ ଲାଗିଥିବା ଜ୍ୟାକେଟ୍ ପିନ୍ଧି ବୁଲୁଥିବା ବେଳେ ପୁଲିସର ସନ୍ଦେହ ହୋଇଥିଲା । ଏହାପରେ ତାଙ୍କର ପରିଚୟ ପତ୍ର ଯାଂଚ କରାଯିବାରୁ ସମସ୍ତ ଅସଲ ଚିତ୍ର ସାମ୍ନାକୁ ଆସିଥିଲା । ନକଲି ପରିଚୟ ଦେଇ ସେ ସାଧାରଣ ଲୋକଙ୍କୁ ଧମକ ଦେବା ସହ ମୋଟା ଅଙ୍କର ଟଙ୍କା ଆଦାୟ କରୁଥିବା ନେଇ ପୁଲିସ ସନ୍ଦେହ କରୁଛି । ପୁଲିସ ଅଭିଯୁକ୍ତଙ୍କ ନିକଟରୁ ଏକ ଖଣ୍ଡା ସହ ଅନ୍ୟାନ୍ୟ ଅନେକ ସାମଗ୍ରୀ ଜବତ କରିଛି । ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଗତ ୧୦ରୁ ୧୫ ଦିନ ଧରି ସେ ଏହିପରି ନକଲି ଅଫିସର୍ ସାଜି ବୁଲୁଥିବା ବେଳେ, ସେ ଆଉ କେତେ ଲୋକଙ୍କୁ ଠକିଛି ସେନେଇ କମିଶନରେଟ ପୁଲିସ ପକ୍ଷରୁ ଅଧିକ ଖୋଳତାଡ଼ ଜାରି ରହିଛି ।

Leave a Reply

Your email address will not be published. Required fields are marked *