ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କୁ “ଶିକ୍ଷାର୍ଥୀ ଜ୍ୟୋତି” ସମ୍ମାନ
କଟକ, ୧୧/୦୮/୨୦୨୫(ଓଡ଼ିଶା ସମାଚାର)-ଆଜି ତା୧୧/୮/୨୦୨୫ ସୋମବାର ସକାଳ ଦଶଟା ସମୟରେ ରେଭେନ୍ସା କଲେଜିଏଟ୍ ସ୍କୁଲ ପରିସରସ୍ଥ ନେତାଜୀ ଅଡ଼ିଟୋରିୟମ୍ ଠାରେ ତୃତୀୟ ଲଡ଼ୁ ଦିବସ ମହାସମାରୋହରେ ପାଳିତ ହୋଇଛି । ଉକ୍ତ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ବିଦ୍ୟାଳୟ ତରଫରୁ ଛାତ୍ର ଗୌରବ ସମ୍ମାନରେ ସମ୍ମାନିତ ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ, ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ମଣିପୁର ଉଚ୍ଚନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ସମ୍ମାନନୀୟ ଲକ୍ଷ୍ମୀକାନ୍ତ ମହାପାତ୍ର ଏବଂ ସ୍କୁଲର ପ୍ରଧାନଶିକ୍ଷକ ପ୍ରଗତି ପଣ୍ଡାଙ୍କ ଉପସ୍ଥିତିିରେ ତୃତୀୟ ଲଡ଼ୁ ଦିବସ ଏକ ଆଧଧ୍ୟାତ୍ମିକ ପରିବେଶ ମଧ୍ୟରେ ସମ୍ପନ୍ନ ହୋଇଛି । ପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପ ପ୍ରଜ୍ୱଳନ ପୂର୍ବକ ସଭାକାର୍ଯ୍ୟ ଆରମ୍ଭ କରାଯାଇଥିଲା ।
ବିଦ୍ୟାଳୟର ଛାତ୍ରୀମାନଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିଲା । ପରେ ପରେ କଣ୍ଠଶିଳ୍ପୀ ବିଶ୍ୱନାଥ ମିଶ୍ର ଏବଂ ମୀନାକ୍ଷୀ ରଥଙ୍କ ଦ୍ୱାରା ଲଡ଼ୁଦିବସ ସଂଗୀତ ପରିବେଷଣ କରାଯାଇଥିଲା । ତାପରେ ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ରଚିତ ଶ୍ରୀଗୁରୁ ଭାଗବତର କିଛି ପ୍ରାର୍ଥନା ପଦକୁ ନେଇ ମୀନାକ୍ଷୀ ରଥ ଗାଇଥିବା ସଙ୍ଗୀତର ତାଳେ ତାଳେ ଦୁଇଜଣ ସ୍କୁଲ ଛାତ୍ରୀ ଅତିସୁନ୍ଦର ଭାବରେ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ପ୍ରାକ୍ତନ ଛାତ୍ର ଶୁଭାନ୍ୱେଷ ରଥ ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀଙ୍କ ସଂପର୍କରେ ତଥା ତାଙ୍କ କୃତି ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରିଥିଲେ । ପ୍ରଧାନଶିକ୍ଷକ ପ୍ରଗତି ପଣ୍ଡା ତାଙ୍କ ଭାଷଣରେ ଏହି ବିଦ୍ୟାଳୟର ପ୍ରାକ୍ତନ ଛାତ୍ର
ପୂଜ୍ୟ ଗୁରୁଜୀ ଡକ୍ଟର ଚନ୍ଦ୍ରଭାନୁ ଶତପଥୀ ଙ୍କ ପ୍ରତିଭା ଦ୍ୱାରା ଅନୁପ୍ରେରିତ ହୋଇ ଆଗାମୀ ଜୀବନରେ ସଫଳକାମ ହେବା ନିମନ୍ତେ ଉପଦେଶ ଦେଇଥିଲେ ।
ମଣିପୁର ଉଚ୍ଚନ୍ୟାୟାଳୟର ପୂର୍ବତନ ପ୍ରଧାନ ବିଚାରପତି ସମ୍ମାନନୀୟ ଲକ୍ଷ୍ମୀକାନ୍ତ ମହାପାତ୍ର ବର୍ତମାନ ସମୟରେ ଗୁରୁଜୀଙ୍କ ଭଳି ଆଧ୍ୟାତ୍ମିକ ବ୍ୟକ୍ତିତ୍ୱଙ୍କର ଆବଶ୍ୟକତା ସଂପର୍କରେ ଆଲୋଚନା କରିଥିଲେ ।
ଗୁରୁଜୀ ଡକ୍ଟର ଶତପଥୀ ତାଙ୍କ ଅଭିଭାଷଣରେ ପିଲାଙ୍କୁ ଉପଦେଶ ଦେଇ କହିଥିଲେ ନିଜ ପିତାମାତାଙ୍କୁ ନିଜ ଆଦର୍ଶ ବୋଲି ଗ୍ରହଣ କରି ତାଙ୍କ ଉପଦେଶ ମାନି ଚାଲିଲେ ଜୀବନରେ ନିଶ୍ଚୟ ପ୍ରଗତି କରିବ । ଏହି ବିଦ୍ୟାଳୟ ଅନେକ ମହାମନୀଷୀ ସୃଷ୍ଟି କରିଛି । ତମେମାନେ ମଧ୍ୟ ସେହି ମହାମନିଷୀଙ୍କ ପଦାନୁସରଣ କରି ଜୀବନରେ ନିଶ୍ଚୟ ସଫଳକାମ ହେବ ଏବଂ ଏହି ବିଦ୍ୟାଳୟର ଗୌରବ ବୃଦ୍ଧି କରିବ ।
ଗୁରୁଜୀ ଡକ୍ଟର ଶତପଥୀଙ୍କୁ ବିଦ୍ୟାଳୟ ତରଫରୁ “ଶିକ୍ଷାର୍ଥୀ ଜ୍ୟୋତି” ସମ୍ମାନରେ ସମ୍ମାନିତ କରାଯାଇଥିଲା । ତାପରେ ବିଦ୍ୟାଳୟର ପ୍ରତି ଶ୍ରେଣୀରେ ପ୍ରଥମ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା । ପରେ ପରେ ପୂଜ୍ୟ ଗୁରୁଜୀଙ୍କ ଦ୍ୱାରା ଆଶୀର୍ବାଦ ସୂଚକ ଲଡ଼ୁ ଉପସ୍ଥିତ ସମସ୍ତ ଛାତ୍ରଛାତ୍ରୀଙ୍କୁ ବଂଟନ କରାଯାଇଥିଲା ।
ଏହି କାର୍ଯ୍ୟକ୍ରମକୁ ସଂଚାଳନ କରିଥିଲେ ଶ୍ରୀଯୁକ୍ତ ବିଶ୍ୱନାଥ ମିଶ୍ର, ଶୁଭାନ୍ୱେଷ ରଥ, ସରୋଜ ମହାନ୍ତି, ବିଶ୍ୱରଂଜନ ନାୟକ ଏବଂ ଟୁକୁ ଭାଇ ।
