ସାକ୍ଷୀଗୋପାଳ,୧୮/୧୧/୨୦୨୬(ଓଡ଼ିଶା ସମାଚାର) – ପୁରୀ ଜିଲ୍ଲାର ଅନ୍ୟତମ ପ୍ରସିଦ୍ଧ ଗଣପର୍ବ ସାକ୍ଷୀଗୋପାଳ ମନ୍ଦିରର ଅଁଳାନବମୀ ଉତ୍ସବ ବୁଧବାର ମହାଆଡ଼ମ୍ବର ଓ ଭକ୍ତିମୟ ପରିବେଶରେ ସମ୍ପନ୍ନ ହୋଇଛି। ବର୍ଷକୁ ଥରେ ମା’ ଶ୍ରୀରାଧାରାଣୀଙ୍କ ଦୁର୍ଲଭ ପାଦଦର୍ଶନ ଏବଂ ପ୍ରଭୁ ସାକ୍ଷୀଗୋପୀନାଥଙ୍କ ନଟବର ବେଶ ଦର୍ଶନ ପାଇଁ ମନ୍ଦିରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିଲା। ତେବେ ସମ୍ଭାବ୍ୟ ବାତ୍ୟା ‘ଅକୱାନ’ର ଆଂଶିକ ପ୍ରଭାବ ଯୋଗୁଁ ଚଳିତବର୍ଷ ଭକ୍ତଙ୍କ ସଂଖ୍ୟା ପୂର୍ବବର୍ଷ ତୁଳନାରେ ସାମାନ୍ୟ କମ୍ ରହିଥିବା ପରିଲକ୍ଷିତ ହୋଇଥିଲା। ବଡ଼ି ଭୋରରୁ ସାହାଣମେଳା, ଦିବ୍ୟ ବେଶରେ ଦର୍ଶନ ଦେଲେ ଠାକୁର।
ଭକ୍ତଙ୍କ ସୁବିଧାକୁ ଦୃଷ୍ଟିରେ ରଖି ସେବାୟତ ସଂଘ, ଜିଲ୍ଲା ପ୍ରଶାସନ ଓ ସତ୍ୟବାଦୀ ବ୍ଲକ୍ ପ୍ରଶାସନର ମିଳିତ ନିଷ୍ପତ୍ତିକ୍ରମେ ନିର୍ଦ୍ଧାରିତ ନୀତିନିର୍ଘଣ୍ଟ ପୂର୍ବରୁ ସାହାଣମେଳା ଦର୍ଶନ ଆରମ୍ଭ କରାଯାଇଥିଲା। ମଙ୍ଗଳବାର ରାତିରୁ ବୁଧବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ମନ୍ଦିରଠାରୁ ପ୍ରାୟ ଏକ କିଲୋମିଟର ଦୂର ଯାଏଁ ଲମ୍ବା ଧାଡ଼ିରେ ରହି ଶ୍ରଦ୍ଧାଳୁମାନେ ଦର୍ଶନ କରିଥିଲେ। ଭଣ୍ଡାର ମେକାପଙ୍କଠାରୁ ସୁନା ଅଳଙ୍କାର ଗ୍ରହଣ କରି ସେବାୟତମାନେ ପ୍ରଭୁ ସାକ୍ଷୀଗୋପୀନାଥଙ୍କୁ ନଟବର ବେଶ ଏବଂ ମା’ ରାଧାରାଣୀଙ୍କୁ ପାରମ୍ପରିକ ଓଡ଼ିଆଣୀ ବେଶରେ ସଜ୍ଜିତ କରିଥିଲେ। ଶ୍ରୀରାଧାଙ୍କ ମସ୍ତକରେ ସ୍ୱର୍ଣ୍ଣ କିରୀଟ, ଅଁଳାମାଳ, ହରଡ଼ମାଳ, ବାଘନଖି, ଡେଉଁରିଆମାଳ, କମରପଟି, ଦ୍ରାବିଡ଼ ଚନ୍ଦ୍ର, ମୟୂର ବସାଗୁଣା, ନୋଥ, ତାବିଜ ଓ ସେବତୀହାର ଆଦି ସୁନା ଅଳଙ୍କାର ଶୋଭା ପାଉଥିଲା। ନୂତନ ପାଟଶାଢ଼ିରେ ପାରମ୍ପରିକ କାଣିଆକଛା ପକାଇବା ସହ ପଣତକାନିରେ ଗୁଆ, ଦୁବ ଓ ଅରୁଆ ଚାଉଳ ବାନ୍ଧି ମା’ ଭକ୍ତଙ୍କୁ ଦିବ୍ୟ ଦର୍ଶନ ଦେଇଥିଲେ। ମନ୍ଦିର ପରିସରରେ ଥିବା ଅଁଳା ବୃକ୍ଷ ମୂଳେ ମହିଳାମାନେ ଶଙ୍ଖା, ସିନ୍ଦୂର, ହଳଦୀ, ବସ୍ତ୍ର, ଫୁଲ ଓ ଚନ୍ଦନ ଅର୍ପଣ କରିବା ସହ ଦୀପ ଜାଳି ଓ ପଞ୍ଚମୁରୁଜ ପକାଇ ଜଗଦ୍ଧାତ୍ରୀ ପୂଜା କରିଥିଲେ। ଠାକୁରଙ୍କୁ ଅଁଳାକୋଳି, ତୁଳସୀ ଓ ଅଁଳାପତ୍ର ଅର୍ପଣ କରି ଭକ୍ତମାନେ ଆଶୀର୍ବାଦ ଭିକ୍ଷା କରିଥିଲେ। ହବିଷ୍ୟାଳିମାନେ ସାକ୍ଷୀଗୋପୀନାଥଙ୍କ ଦର୍ଶନ ପରେ ନିକଟସ୍ଥ ସିଦ୍ଧ ବଳରାମଙ୍କ ମନ୍ଦିରକୁ ଯାଇ ହବିଷାନ୍ନ ପ୍ରସ୍ତୁତ କରି ପ୍ରସାଦ ସେବନ କରିଥିଲେ।
ଯାତ୍ରା ଦାଣ୍ଡରେ ବିଭିନ୍ନ ସାମାଜିକ ସଂଗଠନ, ବ୍ୟାଙ୍କ, ସ୍କୁଲ, ସ୍କାଉଟ୍ ଓ ଜୁନିୟର ରେଡ୍କ୍ରସ୍ ସ୍ୱେଚ୍ଛାସେବୀଙ୍କ ପକ୍ଷରୁ ଭକ୍ତଙ୍କୁ ମାଗଣାରେ ଚା’, ବିସ୍କୁଟ, ପ୍ରସାଦ, ପାନୀୟ ଜଳ ଓ ଟଙ୍କତୋରାଣି ବଣ୍ଟନ କରାଯାଇଥିଲା ସତ୍ୟବାଦୀ ବିଧାୟକ ଓମପ୍ରକାଶ ମିଶ୍ର ଓ ଜିଲ୍ଲା ପ୍ରଶାସନର ତତ୍ତ୍ୱାବଧାନରେ ମନ୍ଦିରକୁ ଫୁଲମାଳ ଏବଂ ମନ୍ଦିରଠାରୁ ବଜାର ପର୍ଯ୍ୟନ୍ତ ରଙ୍ଗବେରଙ୍ଗ ଆଲୋକମାଳାରେ ସଜା ଯାଇଥିଲା। ପୁରୀ ସାଂସଦ ଡ. ସମ୍ବିତ ପାତ୍ର ଓ ଦେବୋତ୍ତର କମିଶନରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ମନ୍ଦିରକୁ ଆସି ଦର୍ଶନ କରିଥିଲେ। ଶୃଙ୍ଖଳିତ ଦର୍ଶନ ପାଇଁ ୧୩ ଥାକିଆ ବ୍ୟାରିକେଡ୍ ବ୍ୟବସ୍ଥା କରାଯାଇଥିଲା। ପୁରୀ ଏସ୍ପି, ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ପାଣିଗ୍ରାହୀ, ବିଡିଓ ଦେବାଶିଷ ନାୟକ, ଅତିରିକ୍ତ ତହସିଲଦାର ଓମପ୍ରକାଶ ପରିଡ଼ା ଏବଂ ଅତିରିକ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ ଲଲାଟେନ୍ଦୁ ମହାନ୍ତିଙ୍କ ପ୍ରତ୍ୟକ୍ଷ ତଦାରଖରେ ଦର୍ଶନ କାର୍ଯ୍ୟକ୍ରମ କରାଯାଇଥିଲା। ଭିଡ଼ ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ୨୬ ପ୍ଲାଟୁନ ପୋଲିସ ଫୋର୍ସ ନିୟୋଜିତ ହୋଇଥିଲେ। ତେବେ ଦର୍ଶନ ପାସ୍ ବ୍ୟବସ୍ଥାରେ କେତେକ ଅନିୟମିତତା ହୋଇଥିବା ନେଇ ଶ୍ରଦ୍ଧାଳୁଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। କେତେକ କର୍ମଚାରୀ ଓ ସ୍ୱେଚ୍ଛାସେବୀ ପାସ୍ଗୁଡ଼ିକୁ ନ ଚିରି ପୁନର୍ବାର ବ୍ୟବହାର କରୁଥିବା ଅଭିଯୋଗରେ ଭକ୍ତମାନେ ଅସନ୍ତୋଷ ପ୍ରକାଶ କରିଥିଲେ।ତଥାପି ମୋଟାମୋଟି ଭାବେ ଯାତ୍ରା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବାରୁ ଭକ୍ତମାନେ ପ୍ରଶାସନ ଓ ସ୍ଥାନୀୟ ବିଧାୟକଙ୍କୁ ସାଧୁବାଦ ଜଣାଇଛନ୍ତି।
