ନିମାପଡ଼ା,୨୨/୦୫/୨୦୨୬ (ଓଡ଼ିଶା ସମାଚାର)- ନିମାପଡ଼ା ପୂର୍ବ ବିବାଦକୁ କେନ୍ଦ୍ର କରି ଦୁଇଜଣ ଭିନ୍ନକ୍ଷମଙ୍କୁ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି । ଏହି ଘଟଣାରେ ପୋଲିସ ମାମଲା ରୁଜୁ କରିଅଛି । ଆକ୍ରମଣକାରୀମାନେ ଭିନ୍ନକ୍ଷମଙ୍କ ପରିବାରକୁ ଗାଳି ଗୁଲଜ କରି ହତ୍ୟା ଧମକ ଦେଉଥିବା ଘଟଣାକୁ ନେଇ ଏବେ ପରିବାର ଆତଙ୍କିତ ଅବସ୍ଥାରେ ରହିଛନ୍ତି । ମାନ୍ୟବର କୋର୍ଟଙ୍କ ଆଦେଶକୁ ଅବମାନନା କରି ଆକ୍ରମଣକାରୀମାନେ ଏପରି ତୁମୁଳକାଣ୍ଡ ଭିଆଇ ଥିବା ବେଳେ ଭିନ୍ନକ୍ଷମଙ୍କୁ ସଂଘବଦ୍ଧ ଆକ୍ରମଣ କରିବା ଘଟଣାକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ୍ ବାମଦେଇପୁର ଗ୍ରାମର କାର୍ତିକ ବେହେରା ଓ ଗଣେଶ ବେହେରା ଭିନ୍ନକ୍ଷମ ରହିଥିବା ବେଳେ ବିଧବା ମହିଳା ଶଶି ବେହେରା ନିମାପଡ଼ା ସବ୍ଜଜ୍ କୋର୍ଟରେ ଏକ ଜମିଜମା ସଂକ୍ରାନ୍ତରେ ମାମଲା ଆଗତ କରିଥିଲେ ।
କୋର୍ଟ ମାମଲାକୁ ବିଚାର କରି ରହିତାଦେଶ ଦେଇଥିବା ବେଳେ କାର୍ତିକ ବେହେରାଙ୍କ ସପକ୍ଷରେ ରାୟ ଦେଇଥିଲେ । ଏହି ଘଟଣାକୁ ନେଇ ଜଟାଧାରୀ ବେହେରା, ଭ୍ରମର ବେହେରା ପ୍ରତିଶୋଧ ପରାୟଣ ହୋଇ ଉଠିଥିଲେ । ବୁଧବାର ପୂର୍ବାହ୍ନରେ ବିବାଦୀୟ ଜାଗାରେ କାର୍ତିକ ବେହେରା, ଗଣେଶ ବେହେରା ଓ ତାଙ୍କ ମାଆ ଶଶି ବେହେରା ବିଶ୍ରାମ ନେଉଥିବା ବେଳେ ପୂର୍ବ ଯୋଜନା ମୁତାବକ ଜଟାଧାରୀ ବେହେରା, ଭ୍ରମର ବେହେରା, ତଅପୋଇ ବେହେରା, ଟୁବୁଲୁ ବେହେରା ଓ ଗୀତାଞ୍ଜଳୀ ବେହେରା ତାଙ୍କ ସମର୍ଥକମାନେ ହାତରେ ବାଉଁଶ ଠେଙ୍ଗା, କୋଦାଳ ଆଦି ମାରଣାସ୍ତ୍ର ଧରି ଅତର୍କିତ ଭାବେ ଆକ୍ରମଣ କରିଥିଲେ । ଆକ୍ରମଣରେ କାର୍ତିକ ବେହେରା କୋଦାଳ ଚୋଟରେ ଗୁରୁତର ଆହତ ହୋଇଥିବା ବେଳେ ଭିନ୍ନକ୍ଷମ ଗଣେଶ ବେହେରା ମଧ୍ୟ ଆହତ ହୋଇଛନ୍ତି ।
କାର୍ତିକ ବେହେରା ବର୍ତମାନ ସାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି । ଏ ସଂପର୍କରେ କାର୍ତିକ ବେହେରାଙ୍କ ପୁଅ ସାଧୀନ କୁମାର ବେହେରା ନିମାପଡ଼ା ଥାନାରେ ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଏ ସଂପର୍କରେ ଆକ୍ରମଣକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ପ୍ରକାଶ ଥାଉକି, କାର୍ତିକ ବେହେରା ନିମାପଡ଼ା ଦେୱାନୀ ଅଦାଲତରେ ତାଙ୍କର ପଡୋଶୀ ଶରତ ବେହେରା, ବସନ୍ତ ବେହେରା, ବାରା ବେହେରା, ବଳରାମ ବେହେରା, ଜଟାଧାରୀ ବେହେରା, କୈଳାସ ବେହେରା, ଅପର୍ତି ବେହେରାଙ୍କ ନାମରେ ୨୦୨୪ ମସିହାରେ ଆଇଏ ନଂ-୨୪/୨୪ ସିଭିଲ ସୁଟ୍ ନଂ-୫୦/୨୪ରେ ମାମଲା ଆଗତ କରିଥିଲେ । ଏହି ମାମଲାର ରାୟ କାର୍ତିକ ବେହେରାଙ୍କ ସପକ୍ଷରେ ଯାଇ ଥିବାରୁ ବିବାଦ ପରିସ୍ଥିତ ଦେଖା ଦେଇଥିଲା । ଯାହାକୁ ନେଇ ଆକ୍ରମଣକାରୀମାନେ ସଂଘବଦ୍ଧ ଭାବେ କାର୍ତିକ ବେହେରା, ଗଣେଶ ବେହେରା ଭିନ୍ନକ୍ଷମଙ୍କ ପରିବାରକୁ ଆକ୍ରମଣ କରିଥିଲେ । ଏହି ଘଟଣାକୁ ନେଇ ଏବେ ଉତେଜନା ଦେଖା ଦେଇଥିବା ବେଳେ ଉଚ୍ଚ ନ୍ୟାୟାଳୟର ଆଶ୍ରୟ ନେବେ ବୋଲି କାର୍ତିକ ବେହେରା କହିଛନ୍ତି ।
