Breaking News – ତାଜା ଖବର : ରାସ୍ତା ଉପରେ ଯୁବକଙ୍କୁ ମରଣାନ୍ତକ ମାଡ଼ ମାରିଥିବା ମୁଖ୍ୟ ଅଭିଯୁକ୍ତ ଯୁବକ ପୋଲିସ ର ଏନକାଉଂଟର ରେ ଆହତ

ବ୍ରହ୍ମପୁର,୨୧/୦୫/୨୦୨୬ (ଓଡ଼ିଶା ସମାଚାର)-ବ୍ରହ୍ମପୁର ସହରସ୍ଥିତ ଗିରିରୋଡ଼୍ ରେ ଉମେଶ ରଥ ନାମକ ଜଣେ ଯୁବକଙ୍କୁ ରାସ୍ତା ଉପରେ ମରଣାନ୍ତକ ମାଡ଼ ମାରି ଦରମରା କରିଥିବା ଘଟଣା ର ମୁଖ୍ୟ ଅଭିଯୁକ୍ତ ମୁକେଶ ସାହୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ର ଏନକାଉଂଟର ରେ ଆହତ ହୋଇଛି । ପୂର୍ବ ଶତୃତାକୁ ନେଇ ଗତ ୧୮ ତାରିଖ ସନ୍ଧ୍ୟା ସମୟରେ ଶହ ଶହ ଲୋକଙ୍କ ସମ୍ମୁଖରେ ଉମେଶ ଓ ତାଙ୍କ ବାନ୍ଧବୀଙ୍କୁ ଅତି ଅମାନୁଷିକ ଭାବେ ମରଣାନ୍ତକ ମାଡ଼ ମରାଯାଇଥିଲା । ଏହି ଘଟଣାର ମୁଖ୍ୟ ମୁକେଶ । ଏହି ଘଟଣାର ଅନ୍ୟ ଦୁଇ ଜଣ ଅଭିଯୁକ୍ତ ଶ୍ରୀରାମ ନଗର ଅଂଚଳର ଲିଙ୍ଗରାଜ ସାମଲ ଓ ବୈଦ୍ୟନାଥପୁର ଥାନା ଅଂଚଳର ରାଜ୍ ମାଲହୋତ୍ରା କୁ ପୋଲିସ ଗିରଫ କରିଥିଲା । ସେମାନଙ୍କ ସୂଚନା ଆଧାରରେ ଫେରାର ଥିବା ମୁକେଶ କୁ ଗୋଳନ୍ଥରା ଥାନା ଅଂଚଳରେ ଏନକ୍ାଉଂଟର କରାଯାଇଥିବା ଏସପି ଶରବଣା ବିବେକ ଏମ୍ ପ୍ରକାଶ କରିଛନ୍ତି । ପୋଲିସ ଗୁଳିରେ ଆହତ ମୁକେଶ କୁ ହସପିଟାଲରେ ଭର୍ତି କରାଯାଇଛି । ସେ ବର୍ତ୍ତମାନ ଏମକେସିଜି ଆଇସିୟୁରେ ଭର୍ତ୍ତି ହୋଇଥିବା ଜଣାପଡିଛି । ାମୁକେଶ ର ଆଣ୍ଠୁ ଓ ହାତରେ ଗୁଳି ଲାଗିଛି । 


ନିଜ ବାନ୍ଧବୀଙ୍କ ସହ ଯାଉଥିବା ଉମେଶ ଙ୍କୁ ଶହ ଶହ ଲୋକଙ୍କ ସମ୍ମୁଖରେ ଅତି ଅମାନୁଷିକ ଭାବେ ମରଣାନ୍ତକ ଭାବେ ମାଡ଼ ମରାଯିବା ଘଟଣାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ପରେ ସମଗ୍ର ରାଜ୍ୟରେ ଆଲୋଡ଼ନ ପ୍ରକାଶ ପାଇଥିଲା । ରାଜ୍ୟରେ ଆଇନ ଶୃଙ୍ଖଂଳା ଭୁଷୁଡ଼ି ପଡ଼ିଥିବା ସାଧାରଣରେ ମତ ପ୍ରକାଶ ପାଇଥିଲା । ଘଟଣାର ୪୮ ଘଂଟା ପରେ ଏହି ଘଟଣାରେ ଦୁଇ ଜଣ ଅଭିଯୁକ୍ତ ଙ୍କୁ ଗିରଫ କରାଯାଇଥିବାବେଳେ ମୁଖ୍ୟ ଅଭିଯୁକ୍ତ ଙ୍କୁ ଧରିବା ପାଇଁ ପୋଲିସ କୁ ଏନକାଉଂଟର କରିବାକୁ ପଡ଼ିଛି । ଦୁଇଟି ସ୍କୁଟର, ଠେଙ୍ଗା, ମୋବାଇଲ ଜବତ କରାଯାଇଥିବାବେଳେ ଏହି ଘଟଣାରେ ସାମିଲ ଥିବା ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।

Leave a Reply

Your email address will not be published. Required fields are marked *