ଓଡ଼ିଶା ମେଟାଲିକ ବିରୁଦ୍ଧରେ ଗର୍ଜିଲେ ମହିଳା ଓ ଅଂଚଳବାସୀ , ଜଙ୍ଗଲ ଜମି ଉଦ୍ଧାର ନହେଲେ ରାଷ୍ଟ୍ରପତିଙ୍କ ଦ୍ୱାରସ୍ଥ ହେବାକୁ ଚେତାବନୀ

​ରାଉରକେଲା,୨୦/୦୫/୨୦୨୬ (ଓଡ଼ିଶା ସମାଚାର)- ଝାରସୁଗୁଡା,ଝାରସୁଗୁଡ଼ା ବ୍ଲକ ଅନ୍ତର୍ଗତ ମରାକୁଟା ଠାରେ ଥିବା ଓଡ଼ିଶା ମେଟାଲିକ୍ସ ପ୍ରାଇଭେଟ୍ ଲିମିଟେଡ୍  କମ୍ପାନୀ ଦ୍ୱାରା ବେଆଇନ ଜଳ ଶୋଷଣ, ନଦୀ ପ୍ରଦୂଷଣ ଏବଂ ଜଙ୍ଗଲ ଜମି ଜବରଦଖଲ ପ୍ରତିବାଦରେ ଜମେରା, ଇବ୍, ମରାକୁଟା ଓ ବୁଢ଼ାପଦର ର ଶତାଧିକ ଗ୍ରାମବାସୀ ବ୍ରଜରାଜନଗର ପୌରାଞ୍ଚଳର ଶତାଧିକ ମହିଳା ଏବଂ ଜନସାଧାରଣ ବୁଧୁବାର ପୂର୍ବାହ୍ନ ରେ ଝାରସୁଗୁଡ଼ା ଜିଲ୍ଲାପାଳଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରିଛନ୍ତି।ଅଂଚଳବାସୀ ଙ୍କ ​ଅଭିଯୋଗ ଅନୁଯାୟୀ, କମ୍ପାନୀ ପକ୍ଷରୁ ଗ୍ରୀଷ୍ମ ସମୟରେ ବାଣିଜ୍ୟିକ ବ୍ୟବହାର ପାଇଁ ଇବ ନଦୀରୁ ଜଳ ଉଠାଇବାକୁ କୌଣସି ଅନୁମତି ନଥିବା ସତ୍ତ୍ୱେ, ବେଆଇନ ଭାବେ ପାଇପ୍ ଲାଇନ ଯୋଗେ ପ୍ରଚୁର ପାଣି ଉଠାଯାଉଛି।

ଏହାଫଳରେ ନଦୀ କୂଳରେ ଥିବା ଜମେରା, ଇବ୍, ମରାକୁଟା, ବୁଢ଼ୀପଦର ଏବଂ ନଦୀ ସେପାରିରେ ଥିବା ବ୍ରଜରାଜନଗର ପୌରପାଳିକା ଅନ୍ତର୍ଗତ ରେମଜା, ତେଲେନପାଲି ପାଲି, ଇଟାଭଟା ଓ ଗୋଣ୍ଡଘୋରା ଆଦି ଗ୍ରାମରେ ଭୟଙ୍କର ଜଳ ସଙ୍କଟ ସୃଷ୍ଟି ହୋଇଛି। କମ୍ପାନୀ ନିଜ ପରିସର ମଧ୍ୟରେ ଅନୁମତିଠାରୁ ଅଧିକ ଗଭୀର ନଳକୂପ ଖୋଦନ କରି ଭୂତଳ ଜଳ ଶୋଷଣ କରୁଥିବାରୁ ସ୍ଥାନୀୟ ଅଞ୍ଚଳର ସାଧାରଣ ନଳକୂପଗୁଡ଼ିକ ଅଚଳ ହୋଇପଡ଼ିଛି।​ଅଞ୍ଚଳବାସୀଙ୍କ କହିବା କଥା ଯେ, ପ୍ରାୟ ୪୦ରୁ ଊର୍ଦ୍ଧ୍ୱ ଗ୍ରାମର ଲୋକେ ପାନୀୟ ଜଳ, ଜଳସେଚନ ଓ ନିତ୍ୟ ବ୍ୟବହାର ପାଇଁ ଇବ ନଦୀ ଉପରେ ନିର୍ଭର କରନ୍ତି। ମାତ୍ର କମ୍ପାନୀ ନିଜର ଦୂଷିତ ବର୍ଜ୍ୟଜଳକୁ ବେଆଇନ ଭାବେ ଜମେରା ନାଳ ମାଧ୍ୟମରେ ଇବ ନଦୀକୁ ଛାଡୁଥିବାରୁ ନଦୀ ଜଳ ସମ୍ପୂର୍ଣ୍ଣ ପ୍ରଦୂଷିତ ହେବାରେ ଲାଗିଛି, ଯାହା ସ୍ଥାନୀୟ ଜନଜୀବନ ଓ ପରିବେଶ ପ୍ରତି ବଡ଼ ବିପଦ ସୃଷ୍ଟି କରିଛି।

ଏହା ସହିତ କମ୍ପାନୀ ପ୍ରାୟ ୧୦.୪୯ ଏକର ଜଙ୍ଗଲ ଜମିକୁ ବେଆଇନ ଭାବେ ନିଜ ଦଖଲରେ ରଖିଛି। ଝାରସୁଗୁଡ଼ା ତହସିଲଦାର ସଦାକର କୁମ୍ଭାର ଏହି ଏ.୧୦.୪୯ ଡିସିମିଲ ଗ୍ରାମ୍ୟ ଜଙ୍ଗଲ ଜମିକୁ ମୁକ୍ତ କରିବା ପାଇଁ ନୋଟିସ ଜାରି କରିଥିଲେ ମଧ୍ୟ କମ୍ପାନୀ ଆଜି ପର୍ଯ୍ୟନ୍ତ ତାହାକୁ ଖାଲି କରିନାହିଁ। ଏହା ଜଳ ଆଇନ ୧୯୭୪, ପରିବେଶ ସୁରକ୍ଷା ଆଇନ ୧୯୮୬ ଏବଂ ଜଙ୍ଗଲ ଅଧିକାର ଆଇନ ୨୦୦୬ର ସ୍ପଷ୍ଟ ଉଲ୍ଲଂଘନ ବୋଲି ଗ୍ରାମବାସୀ ଦର୍ଶାଇଛନ୍ତି।କିନ୍ତୁ ଝାରସୁଗୁଡା ତହସିଲଦାର ଏବଂ ଜିଲ୍ଲା ପ୍ରଶାସନ ପକ୍ଷ ରୁ କମ୍ପାନୀ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଏ ପର୍ଯ୍ୟନ୍ତ ଗ୍ରହଣ କରାଯାଇନାହିଁ |​

ଗତ ମଇ ୧୩ ତାରିଖ ଠାରୁ ଅଞ୍ଚଳବାସୀ ଏହା ବିରୋଧରେ ଶାନ୍ତିପୂର୍ଣ୍ଣ ଓ ଗଣତାନ୍ତ୍ରିକ ପ୍ରତିବାଦ ଜାରି ରଖିଛନ୍ତି। ଆଜି ଝାରସୁଗୁଡା ଜିଲ୍ଲାପାଳ କୁଣାଲ ମୋତିରାମ ଚହ୍ୱାଣ ଙ୍କୁ ଗ୍ରାମବାସୀମାନେ  ୪ଟି ଦାବି ଉପସ୍ଥାପନ କରିଛନ୍ତି ସେଗୁଡିକ ହେଲା ଇବ ନଦୀରୁ ବେଆଇନ ପାଣି ଉଠାଇବା ବନ୍ଦ ହେଉ,ଗଭୀର ନଳକୂପ ମାଧ୍ୟମରେ ଭୂତଳ ଜଳ ଶୋଷଣ ଉପରେ ରୋକ୍ ଲାଗୁ,ଜମେରା ନାଳରେ ଦୂଷିତ ଜଳ ନିଷ୍କାସନ ତୁରନ୍ତ ବନ୍ଦ କରାଯାଉ,ଜବରଦଖଲ ହୋଇଥିବା ଜଙ୍ଗଲ ଜମିକୁ ତୁରନ୍ତ ମୁକ୍ତ କରାଯାଉ।​ଆସନ୍ତା ମେ’ ୨୪ ତାରିଖ ମଧ୍ୟରେ ଯଦି କମ୍ପାନୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ଜମି ମୁକ୍ତ କରାନଯାଏ, ତେବେ ୨୫ ତାରିଖ ଦିନ ଝାରସୁଗୁଡ଼ା ତହସିଲଦାରଙ୍କ ବିରୁଦ୍ଧରେ ମହାମହିମ ରାଷ୍ଟ୍ରପତି ଏବଂ ଜାତୀୟ ମାନବାଧିକାର କମିଶନଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି ।

 ଜିଲ୍ଲାପାଳଙ୍କ  କାର୍ଯ୍ୟବ୍ୟସ୍ତତା ଯୋଗୁଁ  ପୁନର୍ବାସ ଓ ଥଇଥାନ ପ୍ରକଳ୍ପ ନିର୍ଦ୍ଦେଶକ   ଲଳିତ ସୋରେଙ୍ଗଙ୍କୁ ସାକ୍ଷାତ କରି ଏହି ଦାବିପତ୍ର ହସ୍ତାନ୍ତର କରିଛନ୍ତି।

​ସ୍ମାରକପତ୍ର ଗ୍ରହଣ କରିବା ସହ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସୋରେଙ୍ଗ ପ୍ରତିନିଧି ମଣ୍ଡଳୀକୁ ଦୃଢ଼ ପ୍ରତିଶ୍ରୁତି ଦେଇ କହିଛନ୍ତି ଯେ, ସେ ନିଜେ ଏହି ବିଷୟରେ ଜିଲ୍ଲାପାଳଙ୍କ ସହ ଆଲୋଚନା କରିବେ ଏବଂ ସମସ୍ୟାଗୁଡ଼ିକର ତୁରନ୍ତ ସମାଧାନ ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବେ।ଏହି ଦାବିପତ୍ର ଦେବା ସମୟ ରେ ଲୋକମୁକ୍ତି ସଙ୍ଗଠନର ଉପଦେଷ୍ଟା ଅନନ୍ତ, ସୁରେଖା ଶେଖର ଦେଓ, ବିନ୍ଦୁରେଖା ଭୋଇ, ଜମେରାରୁ ସୁବାସିନୀ ସେଠ, ପ୍ରଭାସିନୀ ମାଲି, ସେବତୀ ଲୁହା, ଇବ୍‌ ଅଞ୍ଚଳରୁ ଜ୍ୟୋସ୍ନା ମାଝୀ ଏବଂ ବୁଢ଼ୀପଦରରୁ ଟିକେଶ୍ୱରୀ ପ୍ରଧାନ ଓ ଆରତୀ ସାହୁଙ୍କ ସମେତ ଶତାଧିକ ମହିଳା ଓ ଗ୍ରାମବାସୀ ଉପସ୍ଥିତ ଥିଲେ  |

Leave a Reply

Your email address will not be published. Required fields are marked *