ଚୁଆଁ ରୁ ନାବାଳିକାଙ୍କ ଶବ ଉଦ୍ଧାର: ମୃତ୍ୟୁର କାରଣ ଅସ୍ପଷ୍ଟ 

ବାଲିଗୁଡ଼ା,୨୦/୦୫/୨୬ (ଓଡିଶା ସମାଚାର/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଜାର୍ଗୀ ଗ୍ରାମରେ ଏକ  ଅଭାବନୀୟ ଘଟଣା ଘଟିଛି। ଚୁଆଁରୁ ଉଦ୍ଧାର ହେଲା ୭ ବର୍ଷର ନାବାଳିକାଙ୍କ ମୃତଦେହ । ମୃତକ ଜାର୍ଗୀ ଗ୍ରାମର ମନଙ୍କ ମଳିକଙ୍କ ୭ ବର୍ଷର ଝିଅ ବିୟୁଟି ମଳିକ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁଯାୟୀ ମଙ୍ଗଳବାର ଗାଁ ରେ ଏକ ବାହାଘର ଭୋଜି ଚାଲିଥିଲା । ସକାଳ ପ୍ରାୟ ୧୦ ଟା ଠାରୁ ନିଖୋଜ ଥିଲା ନାବାଳିକା ବିୟୁଟି । ପରିବାର ଲୋକେ ବହୁତ ଖୋଜାଖୋଜି କରିବା ପରେ ବିୟୁଟିର କୌଣସି ସନ୍ଧାନ ନପାଇବାରୁ ବାରଖମା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ।

ଅଭିଯୋଗ ପ୍ରକାରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ନିଜ ଟିମ୍ ସହ ଜାର୍ଗୀ ଗାଁ ସମେତ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ । ତେବେ ବୁଧବାର ସକାଳେ ଗାଁ ର ଏକ ଚୁଆଁରେ ବିୟୁଟିର ଶବ ଭାସୁଥିବା ଦେଖି ପରିବାର ଲୋକେ ପୁଣି ପୋଲିସକୁ ଜଣାଇଥିଲେ । ଖବରପାଇ ଘଟଣାସ୍ଥଳରେ ବାରଖମା ଫାଣ୍ଡି ଅଧିକାରୀ ଅମରେନ୍ଦ୍ର ବାହୁବଳୀ ସୁବୁଦ୍ଧି ପହଁଞ୍ଚି ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇବା ସହ ତଦନ୍ତ ଆରମ୍ଭ କରିଛି ପୋଲିସ୍ । ବର୍ତ୍ତମାନ ସୁଦ୍ଧା ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ ମୋ ଝିଅର କୌଣସି ରୋଗ ନଥିଲା, ଝିଅକୁ କେହି ଚୁଆଁ ଭିତରକୁ ଠେଲି ଦେଇଥିବା ଯୋଗୁଁ ତା’ର ମୃତ୍ୟୁ ଘଟିଥିବା ବିଷୟ ମୃତ ନାବାଳିକାଙ୍କ ବାପା ମନଙ୍କ ମଲ୍ଲିକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *