ଜୁନାଗଡ଼ ପୋଲିସର ବଡ଼ ସଫଳତା, ୪୪ ଚୋରି ବାଇକ ଜବତ

ଜୁନାଗଡ଼ ୨୦/୦୫/୨୦୨୬ (ଓଡ଼ିଶା ସମାଚାର)- କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଦୀର୍ଘଦିନ ଧରି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସକ୍ରିୟ ଥିବା ଏକ ବାଇକ ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାଶ କରି ପୋଲିସ ୪୪ଟି ଚୋରି ବାଇକ ଜବତ କରିବା ସହ ଏହି ଘଟଣାରେ ସମ୍ପୃକ୍ତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଜୁନାଗଡ଼ ଗନ୍ତାୟତପଡାର ସୁରଜ କୈବର୍ତ୍ତ(୧୮), ପବନ କୈବର୍ତ୍ତ(୨୩), ଆକାଶ କୈବର୍ତ୍ତ(୧୯), ହିଞ୍ଜଲିବାହାଲିପଡାର ଆଲୋକ ବାରିକ(୧୯), ମୁଣ୍ଡରାଗୁଡାର ଚାନ୍ଦ ନାଏକ(୨୧) ଓ ଭବାନୀପାଟଣା ନକଟିଗୁଡାର ସମୀର ଦୁର୍ଗା(୨୨)।ବୁଧବାର ଜୁନାଗଡ଼ ଥାନାରେ ଆୟୋଜିତ ଖବରଦାତା ସମ୍ମିଳନୀରେ କଳାହାଣ୍ଡି ଏସ ପି ନାଗରାଜ ଦେବରକୋଣ୍ଡା ଏହି ସୂଚନା ଦେଇଥିଲେ।

ସେ କହିଥିଲେ ଯେ, ଗତ ୧୩ jତାରିଖରେ ଜୁନାଗଡ଼ ଥାନାରେ ଏକ ବାଇକ ଚୋରି ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତକୁ ତୀବ୍ର କରିଥିଲା। ତଦନ୍ତ ସମୟରେ ଏହି ଚୋରି ଗ୍ୟାଙ୍ଗର ସନ୍ଧାନ ମିଳିଥିଲା ଏବଂ ଚଢ଼ାଉ କରି ୪୪ଟି ବାଇକ ଜବତ ସହ ଅଭିଯୁକ୍ତମାନଙ୍କୁ ଧରିବାରେ ପୋଲିସ ସଫଳ ହୋଇଥିଲା। ଜବତ ବାଇକଗୁଡ଼ିକ ଜୁନାଗଡ଼ ଥାନା ସମେତ ଧର୍ମଗଡ଼, କୋକସରା, ଆମପାଣି ଓ ଗୋଲାମୁଣ୍ଡା ଥାନା ଅଞ୍ଚଳରୁ ଚୋରି ହୋଇଥିବା ଜଣାପଡ଼ିଛି। ଏହି ସମସ୍ତ ଥାନାରେ ପୂର୍ବରୁ ବାଇକ ଚୋରି ନେଇ ଏକାଧିକ ମାମଲା ରୁଜୁ ହୋଇଥିଲା। ଖବରଦାତା ସମ୍ମିଳନୀରେ ଧର୍ମଗଡ଼ ଏସଡିପିଓ ଭର୍ଷିତା ଆଡ୍ଡାପୁ ଏବଂ ଜୁନାଗଡ଼ ଥାନା ଆଇଆଇସି ଶେଷଦେବ ବେହେରା ମଧ୍ୟ ଉପସ୍ଥିତ ଥିଲେ।ଏସପି ଦେବରକୋଣ୍ଡା ଜୁନାଗଡ଼ ପୋଲିସର କାର୍ଯ୍ୟକୁ ପ୍ରଶଂସା କରି କହିଥିଲେ ଯେ, ଏହି ଗ୍ୟାଙ୍ଗ ବହୁଦିନ ଧରି ଜିଲ୍ଲାର ବିଭିନ୍ନ ସ୍ଥାନରୁ ବାଇକ ଚୋରି କରି ବିକ୍ରି କରୁଥିଲେ। ଉଦ୍ଧାର ହୋଇଥିବା ବାଇକଗୁଡ଼ିକୁ ଯଥାଶୀଘ୍ର ପ୍ରକୃତ ମାଲିକଙ୍କୁ ହସ୍ତାନ୍ତର କରାଯିବ ବୋଲି ସେ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *