ଭୁବନରେ ବିଜେଡି ତରଫରୁ ନାରୀ ଅଧିକାର ଅଭିଯାନ

ଲୋକସଭା,ବିଧାନସଭା ରେ ୩୩ ପ୍ରତିଶତ ସଂରକ୍ଷଣ ପାଇଁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

“ଡବଲ ଇଞ୍ଜିନ ସରକାରରେ ମହିଳା ବିପଦରେ”

ଭୁବନ ୨୦/୦୫/୨୦୨୬ (ଓଡ଼ିଶା ସମାଚାର)-ଢେ଼ଙ୍କାନାଳ ଜିଲ୍ଲା ଭୁବନ ସହରରେ କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜୁ ମହିଳା ଜନତା ଦଳ ତରଫରୁ ନାରୀ ଅଧିକାର ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନଗରପାଳ ତଥା ଏନ୍ ଏ ସି ବିଜେଡି ସଭାପତି ଶୁଭେନ୍ଦୁ କୁମାର ସାହୁ ଙ୍କ ତତ୍ତ୍ଵାବଧାନରେ ପ୍ରାୟ ୨ ହଜାର ମହିଳା ଡାକ ବଙ୍ଗଳା ସମ୍ମୁଖରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସରକାର ବିରୋଧୀ ନାରାବାଜି କରି ନୂଆ ବଜାର, ବସଷ୍ଟାଣ୍ଡ ଦେଇ କାଳୀ ବଜାର ଠାରେ ପହଞ୍ଚିଥିଲେ । ସହିଦ ବାଜି ରାଉତ ଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା ।

ଏଥିରେ ଜିଲ୍ଲା ବିଜେଡି ସଭାପତି ଡଃ ନୃସିଂହ ଚରଣ ସାହୁ ଙ୍କ ସମେତ କାର୍ଯ୍ୟକାରୀ ସଭାପତି ସନ୍ଦୀପ ଷଡ଼ଙ୍ଗୀ ( ଡୁଗୁ), ନରୋତ୍ତମ ସାହୁ,ସାଂସଦ ପ୍ରାର୍ଥୀ ଡଃ ଅବିନାଶ ସାମଲ,ଭୁବନ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ପୁହାଣ,ଜିଲ୍ଲା ବିଜେଡି ସଭାନେତ୍ରୀ ଶ୍ରୀମତୀ ସାଗରିକା ମିଶ୍ର,ଉପ ସଭାନେତ୍ରୀ ଶ୍ରୀମତୀ ତିଳୋତ୍ତମା ଚୌଧୁରୀ,ଭୁବନ ବ୍ଲକ ମହିଳା ବିଜେଡି ସଭାନେତ୍ରୀ ଶ୍ରୀମତୀ ପୁଷ୍ପଲତା ରାଉତ,କାମାକ୍ଷାନଗର ଏନ୍ ଏ ସି ସଭାନେତ୍ରୀ ଶ୍ରୀମତୀ ରଞ୍ଜିତା ବେହେରା,ଭୁବନ ଏନ୍ ଏ ସି ଉପାଧ୍ୟକ୍ଷା ଶ୍ରୀମତୀ ମାନିନୀ , ଭୁବନ ବ୍ଲକ ପୂର୍ବତନ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ଜିଲ୍ଲା ପରିଷଦ ସଭ୍ୟ ତଥା ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ,ଜିଲ୍ଲା ବିଜେଡି ସାଧାରଣ ସଂପାଦକ ନରେନ୍ଦ୍ର କୁମାର ସାହୁ,ଅଜୟ ସେଠୀ,ଜିଲ୍ଲା ବିଜେଡି ଉପ ସଭାପତି ସୁଧାକର ବେହେରା,ଜିଲ୍ଲା ଯୁବ ବିଜେଡି ସଭାପତି ତଥା କାମାକ୍ଷାନଗର ଚେୟାର ମ୍ୟାନ ଧର୍ମାନନ୍ଦ ପରିଡ଼ା, ବ୍ଲକ ଅଧ୍ୟକ୍ଷ ପ୍ରେମାନନ୍ଦ ସାହୁ,ବ୍ଲକ ବିଜେଡି ସଭାପତି ଆଇନଜିବୀ ପ୍ରଭାସ ମିଶ୍ର ପ୍ରମୁଖ ମଞ୍ଚାସିନ ହୋଇ ବକ୍ତବ୍ୟ ରଖିଥିଲେ। ମହିଳା ମାନଙ୍କୁ ରାଜନୈତିକ,ସାମ୍ବିଧାନିକ ଅଧିକାର ଓ ସାମାଜିକ ସୁରକ୍ଷା ଦେବାକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୯୦ ଦଶକରେ ସର୍ବ ପ୍ରଥମେ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିଥିଲେ ଓ ରୋଷଶାଳା ରୁ ଲୋକସଭା ରେ ପହଞ୍ଚାଇଥିଲେ ।

ନାରୀ ମାନଙ୍କୁ ସଶକ୍ତ କରିବା କ୍ଷେତ୍ରରେ ବିଜୁ ବାବୁ ହିଁ ଥିଲେ ଯୁଗ ପ୍ରବର୍ତ୍ତକ ଓ ପଥ ପ୍ରଦର୍ଶକ । ବିଜୁ ଙ୍କ ଆଦର୍ଶରେ ନବୀନ ପଟ୍ଟନାୟକ ଙ୍କ ସରକାର ପଞ୍ଚାୟତ ଓ ପୌର ନିର୍ବାଚନରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା କରିବା ସହ ୨୦୧୯ ଓ ୨୦୨୪ ସାଧାରଣ ନିର୍ବାଚନରେ ୩୩ ପ୍ରତିଶତ ମହିଳାଙ୍କୁ ଦଳୀୟ ଟିକେଟ ପ୍ରଦାନ କରିଥିଲେ । ୨୦୨୩ ରେ ମଧ୍ୟ ସଂସଦରେ ବିଜେଡି ମହିଳା ସଂରକ୍ଷଣ ବିଲ କୁ ସମର୍ଥନ କରିଥିଲା । ପାର୍ଲ୍ୟାମେଣ୍ଟରେ ଏହି ବିଲ୍ ପାସ୍ ହୋଇ ରାଷ୍ଟ୍ରପତିଙ୍କ ଅନୁମୋଦନ ଲାଭ କରି ସାରିଛି । କିନ୍ତୁ କେନ୍ଦ୍ର ସରକାର ନିଜର ରାଜନୈତିକ ସ୍ୱାର୍ଥ ସାଧନ ପାଇଁ ବର୍ତ୍ତମାନ ସୀମା ନିର୍ଦ୍ଧାରଣ ବିଲ୍ ସହିତ ମହିଳା ସଂରକ୍ଷଣ ବିଲ୍ କୁ ଯୋଡ଼ି ବିଭ୍ରାନ୍ତି ସୃଷ୍ଟି କରୁଛନ୍ତି ।

ନିଜ ଭୁଲ ଓ ଦୋଷ ଲୁଚାଇବା ସହିତ ଜନତାଙ୍କ ଆକ୍ରୋଶ ରୁ ବର୍ତ୍ତିବା ସକାଶେ ଜନ ଆକ୍ରୋଶ ରାଲି କରି ଫାର୍ସ ଚଳାଇଛି । ନାରୀ ନିର୍ଯାତନା,ହତ୍ୟା, ଗଣ ଧର୍ଷଣ ରେ ଓଡ଼ିଶା ସାରା ଦେଶରେ ୧ ନମ୍ବର ସ୍ଥାନ ହାସଲ କରି ଓଡ଼ିଶାକୁ ସାରା ବିଶ୍ୱରେ ବଦନାମ କରିଦେଇଛି । ଯେଉଁଥି ପାଇଁ ଯୁକ୍ତରାଷ୍ଟ୍ର ଆମେରିକା ତା ଦେଶ ବାସୀଙ୍କୁ ଓଡ଼ିଶା ନଆସିବାକୁ ମାର୍ଗ ଦର୍ଶନ ଜାରି କରିଛି । ଖୋଦ ମୁଖ୍ୟମନ୍ତ୍ରୀଙ୍କ ନିଜ ଜିଲ୍ଲାରେ ଜଣେ ଆଦିବାସୀ ମହିଳାଙ୍କ ମୃତ୍ୟୁକୁ ପ୍ରମାଣ କରି ପ୍ରାପ୍ୟ ପାଇବାକୁ ଭାଇ କଙ୍କାଳ ବୋହି ବ୍ୟାଙ୍କ କୁ ନେବା ଘଟଣା ଅନ୍ତର୍ଜାତୀୟ କ୍ଷେତ୍ରରେ ଓଡିଶାକୁ ନିନ୍ଦିତ ଓ ଅପମାନିତ କରି ଦେଇଛି । ଶାନ୍ତିପ୍ରିୟ ଓଡ଼ିଶାକୁ ବିଜେପି ଅଶାନ୍ତ କରିଦେଇଛି । ମହିଳା ଆଇ ଆଇ ସି ବାଲି ମାଫିଆ ଙ୍କ ଠାରୁ ମାଡ ଖାଉଛନ୍ତି ।

ଡବଲ ଇଞ୍ଜିନ ସରକାରରେ ମହିଳା ବିପଦରେ ବୋଲି ବର୍ଣ୍ଣନା କରିଥିଲେ। ପରେ ନେତୃମଣ୍ଡଳୀ ଭୁବନ ତହସିଲ କାର୍ଯ୍ୟାଳୟକୁ ଯାଇ ଅତିରିକ୍ତ ତହସିଲଦାର ଙ୍କୁ ମହାମହିମ ରାଷ୍ଟ୍ରପତି ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେଡି ର ସମସ୍ତ ସରପଞ୍ଚ,ସମିତି ସଭ୍ୟ,ଜିଲ୍ଲା ପରିଷଦ ସଭ୍ୟ,କାଉନସିଲର,ବିଜୁ ଯୁବ,ଛାତ୍ର,ମହିଳା କାର୍ଯ୍ୟକର୍ତ୍ତା ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *