ମାଟି ତଳୁ ଗଙ୍ଗ ସମୟର ପ୍ରାଚୀନ ବରାହ ବିଗ୍ରହ ଉଦ୍ଧାର

ସାଲେପୁର,୧୯/୦୫/୨୦୨୬(ଓଡ଼ିଶା ସମାଚାର)-ବିଧର୍ମୀଙ୍କ ଆକ୍ରମଣରୁ ଲୁଚାଯାଇଥିଲା ପ୍ରାଚୀନ ବିଗ୍ରହ, ଯାହାକୁ ଏବେ ଐତିହ୍ୟପ୍ରେମୀମାନେ ମାଟିତଳୁ ଖୋଳି ଉଦ୍ଧାର କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲା ସାଲେପୁର ତହସିଲ ଅନ୍ତର୍ଗତ ମଧ୍ୟକଚ୍ଛ ପଂଚାୟତ ପୂର୍ବକଚ୍ଛ ଗ୍ରାମ ପୁରୁଣା ଚନ୍ଦନ ପୋଖରୀ ହୁଡା ନିକଟ ମାଟିକୁଦରୁ । ଯାହା ଅନୁମାନ କରାଯାଏ ଏହି ମୂର୍ତିଟି ଗଙ୍ଗଶାସନ ସମୟର ଏକ ପୁରାତନ ବରାହଙ୍କ ପ୍ରସ୍ତର ମୂର୍ତି । ପୂର୍ବକଚ୍ଛ ଗ୍ରାମର ପୁରୁଣା ଚନ୍ଦନ ପୁଷ୍ପରିଣୀ ହୁଡ଼ା ନିକଟରେ ଥିବା ଏହି ମାଟି କୁଦଟିରେ ବଣଲତା ମଧ୍ୟରେ ଏହି ମୂର୍ତିଟିର ମସ୍ତକର କିଛି ଅଂଶ ଉପରକୁ ଦିଶୁଥିବା ବେଳେ ଏହାକୁ ସ୍ଥାନୀୟ ଐତିହ୍ୟପ୍ରେମୀ ବିଶ୍ୱଜିତ ସିଂହ ଦେଖିବାକୁ ପାଇଥିଲେ । ପରେ ସେ ଏ ସମ୍ପର୍କରେ ରିଡିସ୍କୋଭର ଲଷ୍ଟ ହେରିଟେଜ୍ ଟ୍ରଷ୍ଟର ସଦସ୍ୟ ନୃପତି ନିହାର ସିଅଳଙ୍କୁ ଜଣାଇଥିଲେ ।

ଗତ ୧୭ ତାରିଖ ରବିବାର ଐତିହ୍ୟ ଅନୁସନ୍ଧାନକାରୀ ଦଳ ପୂର୍ବକଚ୍ଛ ଗସ୍ତକରି ସ୍ଥାନୀୟ ଐତିହ୍ୟପ୍ରେମୀମାନଙ୍କ ସହଯୋଗରେ ଏହି ପ୍ରାଚୀନ ଐତିହ୍ୟଟିକୁ ଖୋଳି ବାହାର କରିଥିଲେ । ବର୍ତମାନ ମୂର୍ତିିଟିକୁ ପୂର୍ବକଚ୍ଛ କପିଳେଶ୍ୱର ମହାଦେବଙ୍କ ମନ୍ଦିରରେ ସୁରକ୍ଷିତ ଭାବରେ ଏକ ବୃକ୍ଷମୂଳରେ ରଖାଯାଇଛି । ମୂର୍ତିଟି ପ୍ରାୟ ୩ଫୁଟ ଉଚ୍ଚତା ବିଶିଷ୍ଟ । ଏହି ବରାହଙ୍କ ବିଗ୍ରହଟିର କେବଳ ମୁଖର କିଛି ଅଂଶ ଭୂମି ଉପରକୁ ଦୃଷ୍ଟିମାନ ହେଉଥିଲା ବେଳେ ଐତିହ୍ୟପ୍ରେମୀମାନେ ସମ୍ପୂୂର୍ଣ୍ଣ ମୂର୍ତିଟିକୁ ମାଟି ଖୋଳି ବାହାର କରିଥିଲେ । ସେହିପରି କିଛି ବର୍ଷ ତଳେ ଚନ୍ଦନପୋଖରୀର ପାଣି ଶୁଖାଯାଇଥିବା ସମୟରେ ଏହି ମୂର୍ତିର୍ିଟି ଦୃଷ୍ଟିଗୋଚର ହୋଇଥିଲା । ଏହାହିଁ ପୂର୍ବକଚ୍ଛ ଲକ୍ଷ୍ମୀ ନୃସିଂହ ମନ୍ଦିରର ପ୍ରକୃତ ସର୍ବପୁରାତନ ବିଗ୍ରହ ହୋଇପାରେ ତଥା ମାଟିକୁଦରୁ ମିଳିଥିବା ବରାହ ମୂର୍ତିଟି ସେହି ପୁରାତନ ମନ୍ଦିରର ପାର୍ଶ୍ୱଦେବତା ହୋଇପାରନ୍ତି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *